Odiapua.com

ସ୍ୱତନ୍ତ୍ର ଭାବେ ଚାଲିବ ଜୁନାଗଡରୁ ଭୂବନେଶ୍ୱର ଟ୍ରେନ, ମାଣିକେଶ୍ୱରୀ ଏକ୍ସପ୍ରେସ ନାମରେ ନାମିତ କରାଯିବାକୁ ପ୍ରସ୍ତାବ

କଳାହାଣ୍ଡି – ୨୦.୦୮.୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ ଜୁନାଗଡ ତଥା ସମଗ୍ର ଧର୍ମଗଡ ଉପଖଣ୍ଡ ଅଂଚଲବାସୀଙ୍କ ଦୀର୍ଘ ଦିନର ଦାବୀ ଅନୁସାରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଶ ଗୋୟଲ ଭୂବନେଶ୍ୱରରୁ ସ୍ୱତନ୍ତ୍ର ଭାବେ ଜୁନାଗଡକୁ ଟ୍ରେନ ଚଲାଚଳ କରିବ ବୋଲି ଜଣାଇଥିବା ପ୍ରକାଶ । ଉଲ୍ଲେକେଯାଗ୍ୟ ଯେ, ଭୂବନେଶ୍ୱର ଠାରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ୧୮୪୪୭/୧୮୪୪୮ ରେ ଜୁନାଗଡ ପାଇଁ ଦଶ ଗୋଟି ବଗି ଯୋଡି ହୋଇ ରାୟଗଡା ପର୍ଯ୍ୟନ୍ତକୁ ଆସିବା ପରେ ଲାଂଜିଗଡ-ଭବାନୀପାଟଣା ଦେଇ ଜୁନାଗଡ-ରୋଡ ପର୍ଯ୍ୟନ୍ତକୁ ରେଳ ଚଳାଚଳ କରୁଥିଲା । ସେହିପରି ଜୁନାଗଡ-ରୋଡ ରେଳ ଷ୍ଟେସନରୁ ୧୮୪୩୭/୧୮୪୩୮ ଲିଙ୍କ ଏକ୍ସପ୍ରେସ ଟ୍ରେନ ୧୦ଟି ବଗି ନେଇ ରାୟଗଡା ପର୍ଯ୍ୟନ୍ତକୁ ଯାଇ ସେଠାରେ ଜଗଦଲପୁର ଠାରୁ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସ ରେ ଯୋଡି ହୋଇ ଭୂବନେଶ୍ୱର ଯାଉଥିଲା । ଅନେକ ସମୟରେ ରାୟଗଡା ଠାରେ ହୀରାଖଣ୍ଡ ର ବିଲମ୍ବ ଯୋଗୁଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ମଧ୍ୟ ପଡୁଥିଲା । ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏବେ କଳାହାଣ୍ଡି ବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହୋଇଥିବା ଜଣାପଡିଛି । ଜୁନାଗଡ-ରୋଡ ଠାରୁ ରାୟଗଡା ମଧ୍ୟ ଦେଇ ଆନ୍ଧ୍ର ପ୍ରଦେଶର ବିଜୟନଗରମ ଷ୍ଟେସନ ଯାଇ ସେଠାରୁ ଭୂବନେଶ୍ୱର ଯାଉଥିବା ଏହି ଟ୍ରେନଟିକୁ ବିଶାଖାପାଟଣା ପର୍ଯ୍ୟନ୍ତ ଯାଇ ସେଠାରୁ ବିଜୟନଗରମ ଷ୍ଟେସନ ଫେରି ଭୂବନେଶ୍ୱର ଯିବାକୁ କିମ୍ବା ୩/୪ ଟି ବଗି ବିଶାଖାପାଟଣା ଉଦେ୍ଦଶ୍ୟରେ ବିଜୟନଗରମ ଠାରେ ଛାଡି ଦେଲେ ସେସବୁ ଅନ୍ୟ ଟ୍ରେନରେ ଯୋଡି ହୋଇ ବିଶାଖାପାଟଣା ଯିବାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଥିବା କୁହାଯାଉଛି । ସେହିପରି ଜୁନାଗଡ-ରୋଡ ଠାରୁ ଭୂବନେଶ୍ୱର ଯାଉଥିବା ଟ୍ରେନ ୧୮୪୩୭/୧୮୪୩୮ କୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ନାମ ହିସାବରେ ମାଣିକେଶ୍ୱରୀ ଏକ୍ସପ୍ରେସ ଭାବେ ନାମିତ କରାଯିବାକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି ।
ସ୍ୱତନ୍ତ୍ର ଭାବେ ଜୁନାଗଡଠାରୁ ଭୂବନେଶ୍ୱର ଟ୍ରେନ ଚଳାଚଳ କଲେ ଏବଂ ଜୁନାଗଡ ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତକୁ ଟ୍ରେନ ଚଳାଚଳର ବ୍ୟବସ୍ଥା କଲେ ସମଗ୍ର ଅଂଚଲ ବାସୀ ଉପକୃତ ହୋଇପାରିବେ । ସେଥିପାଇଁ କଳାହାଣ୍ଡି ବାସୀ କେନ୍ଦ୍ର ମନ୍ତ୍ରୀଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।