Odiapua.com

ସ୍ୱଚ୍ଛ ସାଥୀ ଓ ସୁପରଭାଇଜର୍ ସଂଘ ପକ୍ଷରୁ ଭଦ୍ରକ ଡିଆର୍‌ଡିଏ ଅଫିସ ଆଗରେ ବିକ୍ଷୋଭ

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ପୌରପାଳିକା, ମହାନଗର ନିଗମ, ବିଜ୍ଞାପିତ ଅଂଚଳ ପରିଷଦମାନଙ୍କରେ ନିୟୋଜିତ ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବର୍ଦ୍ଧିତ ଦରମା ସମେତ ଅନ୍ୟାନ୍ୟ ଦାବୀ ପୂରଣ ନେଇ ଆଜି ଭଦ୍ରକ ଡିଆର୍‌ଡିଏ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ଣରେ ଭଦ୍ରକ ପୌରପାଳିକା, ବାସୁଦେବପୁର ପୌରପାଳିକା, ଚାନ୍ଦବାଲି ଏନ୍‌ଏସି, ଧାମନଗର ଏନ୍‌ଏସିର ସ୍ୱଚ୍ଛ ସାଥୀ ଓ ସୁପରଭାଇଜରମାନେ ସେମାନଙ୍କ ଦାବୀ ନେଇ ଏକତ୍ରିତ ହୋଇ ଧାରଣାରେ ବସିଥିଲେ । ଦାବୀ ଗୁଡ଼ିକ ମଧ୍ୟରେ ସରକାରଙ୍କ ନଗର ଉନ୍ନୟନ ବିଭାଗର ଚିଠି ସଂଖ୍ୟା ୫୯୯୩/ଏଚୟୁଡି/୧୨.୩.୨୦୨୪, ଚିଠି ସଂଖ୍ୟା ୬୦୦୩/ଏଚୟୁଡି/୧୨.୦୩.୨୦୨୪, ଚିଠି ସଂଖ୍ୟା ୭୦୮୬୨୧.୩.୨୪ ଅନୁଯାୟୀ ଘୋଷିତ ବର୍ଦ୍ଧିତ ଦରମା ସ୍ୱଚ୍ଛସାଥୀଙ୍କର ୪ ହଜାରରୁ ୮ ହଜାର ଓ ସୁପରଭାଇଜରମାନଙ୍କର ୮ ହଜାରରୁ ୧୨ ହଜାର ଟଙ୍କା ବିନା ସର୍ତରେ ନିର୍ଦ୍ଦେଶନାମା ଜାରି ହେବାଠାରୁ ପ୍ରଦାନ କରିବା, ବିନା କୌଣସି ଟାଳଟୁଳ ନୀତିରେ ଚିଠି ସଂଖ୍ୟା ୯୪୨୯/ଏଚୟୁଡି/୩୦.୪.୨୪ ଅନୁଯାୟୀ ଜାରୀ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା, କାର୍ଯ୍ୟରତ ସମସ୍ତ ସ୍ୱଚ୍ଛସାଥୀ ଓ ସୁପରଭାଇଜରଙ୍କୁ ନିୟମିତ ନିଯୁକ୍ତି ସହିତ ନିଯୁକ୍ତି ପତ୍ର ପ୍ରଦାନ, ଶ୍ରମ ଆଇନ ଅନୁଯାୟୀ କେନ୍ଦ୍ରୀୟ ପ୍ରକଳ୍ପ ଅଥବା ରାଜ୍ୟ ପ୍ରକଳ୍ପ ଆଧାରରେ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ, ସରକାରୀ କର୍ମଚାରୀଙ୍କ ପରି ସରକାରୀ ଛୁଟି ପ୍ରଦାନ, ୟୁଜର୍ସ ଫି ସଂଗ୍ରହ ବେଳେ ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଇପିଏଫ୍ ଓ ଇଏସ୍‌ଆଇର ସୁବିଧା ପ୍ରଦାନ, ପ୍ରସବକାଳୀନ ଛୁଟି ଆଦି ୧୦ ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସି ରହିଥିଲେ । ଏହି ଧାରଣାରେ ସ୍ୱାଗତିକା ପରିଡ଼ା, ଚିନ୍ମୟୀ ପାଣିଗ୍ରାହୀ, ଶୁଭଲକ୍ଷ୍ମୀ ରାୟ, ତରନୁମ୍ ପରୱିନ, ସୁପ୍ରିୟା ସାହୁ, ସଂଘମିତ୍ରା ଜେନା, ସଂଜିତା ଦାସ, ସନ୍ତୋଷୀ ଲେଙ୍କା, ନର୍ଗିସ୍ ଜାହାଁ, ମନୋରମା ମାଝୀ, ଗୌରୀଲତା ମହାନ୍ତି, ସସ୍ମିତା ମହାପାତ୍ର, ମର୍ଜିନା ବାନୋ, ଶିବାନୀ ରାଉଳ, ଝରଣା ଜେନା, ରଞ୍ଜୁଲତା ଷେଣ୍ଢ, ରଶ୍ମିତା ନାୟକ, ବର୍ଷା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।