Odiapua.com

ସ୍ଵାମୀ, ସ୍ତ୍ରୀ ଙ୍କ ଝୁଲନ୍ତା ଶବ ଉଦ୍ଧାର, ଏକ ବର୍ଷ ର ଶିଶୁ ଏବେ ଅସହାୟ

ବଲାଙ୍ଗୀର, ୧୫-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଗଡ଼ିଆଜୋର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଶାଗୁଆନ ଗଛରେ ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହ ଝୁଳନ୍ତା ଅବସ୍ଥାରେ ମିଳିଛି। ମୃତକ ସ୍ୱାମୀ ଜଣକ ହେଲେ ଗଡ଼ିଆଜୋର ଗାଁ ନୀଳକଣ୍ଠ କଟା ଏବଂ ତାଙ୍କ ସ୍ତ୍ରୀ ଶାନ୍ତି କଟା।

ଗତକାଲି ଦୁଇଜଣ ଭାଲୁମୁଣ୍ଡା ଗାଁ ବ୍ୟାଙ୍କକୁ କାମରେ ଯାଉଥିବା କହି ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ଖୋଜଖବର ମିଳିନଥିଲା। ଆଜି ତାଙ୍କ ଜମିରେ ଥିବା ଏକ ଶାଗୁଆନ ଗଛରେ ଦୁଇ ଜଣଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକ ତୁରେକେଲା ଥାନାକୁ ଖବର ଦେବା ପରେ ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ‌ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ତେବେ ଗତ ୩ ବର୍ଷ ହେବ ନୀଳକଣ୍ଠ ଓ ଶାନ୍ତି ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ୧ ବର୍ଷ ର ପୁଅ ଅଛି। କୌଣସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଏମିତି ଛୋଟ ବଡ଼ ଝଗଡା ଲାଗି ରହୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେପରି କୌଣସି ବଡ଼ କାରଣ ନଥାଉ ଦୁଇ-ଦୁଇ ଜଣ ଆତ୍ମହତ୍ୟା କରିବା କଥା ଏବେ ସଂପୃକ୍ତ ଅଞ୍ଚଳରେ ଚହଳ ପକାଇଛି।