Odiapua.com

ସ୍ମାର୍ଟ ସିଟି ଗଠନରେ ବାଟ ଓଗାଳୁଛନ୍ତି ଜବରଦଖଲକାରୀ, ପ୍ରଶାସନ ନିଦାବିଷ୍ଣୁ, କୋଟି କୋଟି ଟଙ୍କାର ଭୂସଂପତ୍ତିକୁ ଉଦ୍ଧାର କରିବ କିଏ!

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଇତିମଧ୍ୟରେ ବହୁ ଜିଲାପାଳ ଆସି ବିଦାୟ ନେଲେଣି । ବହୁ ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ ନିର୍ବାଚନରେ ବିଜୟୀ ହୋଇ ନିଜର ଅବଧି ଶେଷ କଲେଣି । କିନ୍ତୁ ସହରର ପାରିପାଶ୍ୱର୍ିକ ଅବସ୍ଥା ଯେଉଁ ତିମିରେକୁ ସେହି ତିମିରେ ରହିଛି । ନବନିର୍ବାଚିତ ବିଧାୟକ ସଂଜୀବ ମଲ୍ଲିକ ଏବେ ଅଣ୍ଟା ଭିଡିଛନ୍ତି ସହରଟିକୁ ସବୁଜ ସୁନ୍ଦର କରି ସ୍ମାର୍ଟ ସିଟିରେ ପରିଣତ କରିବେ । କିନ୍ତୁ ସେ ପ୍ରଥମେ ପ୍ରତିପତ୍ତିଶାଳୀ ପ୍ରଭାବଶୀଳ ଲୋକଙ୍କ କବଜାରୁ ସରକାରୀ ଜବରଦଖଲ ଉଚ୍ଛେଦ କରିପାରିବେ ତ! ଏଭଳି ପ୍ରଶ୍ନ ଏବେ ଉଙ୍କି ମାରିଚାଲିଛି ସହରବାସୀଙ୍କ ମନରେ । କାହିଁକିନା ବ୍ରିଟ୍ରିଶ୍ ସମୟରୁ ରହିଆସିଥିବା ସହରର ଏହି ସ୍ୱରେଜ ବ୍ୟବସ୍ଥା ଭୁଷୁଡି ପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଯଦିଓ କୋଟି କୋଟି ଟଙ୍କାରେ ଡ୍ରେନେଜ୍ ଡିଭିଜନ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଓ ପୌରପାଳିକା ପକ୍ଷରୁ ନୂତନ ଡ୍ରେନ୍ ନିର୍ମାଣ ହେଉଛି, କିନ୍ତୁ ଜବରଦଖଲ କାରଣରୁ ସେଗୁଡିକର ସଦୁପଯୋଗ ହୋଇପାରୁନାହିଁ । ଏପରିକି ଚାନ୍ଦବାଲି ବାଇପାସ୍ ରାସ୍ତା ପାଶ୍ୱର୍ରେ ସାଳନ୍ଦୀ ଜଳସେଚନ ବିଭାଗ ଓ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର କୋଟି କୋଟି ଟଙ୍କାର ସରକାରୀ ଜମିକୁ ଦୀର୍ଘବର୍ଷ ହେବ କେତେକ ଜମି ମାଫିଆ ଜବରଦଖଲ କରି ଶିକ୍ଷାନୁଷ୍ଠାନ ଓ କଲ୍ୟାଣ ମଣ୍ଡପ ଭଳି ଲାଭଦାୟକ ସଂସ୍ଥାମାନ ଖୋଲି ଲକ୍ଷ ଲକ୍ଷ ଟଙ୍କା ମୁନାଫା ଉଠାଇ ଚାଲୁଥିଲେ ବି ଜିଲା ପ୍ରଶାସନ ଓ ସଂପୃକ୍ତ ବିଭାଗ ଚୁପ୍ ହୋଇବସିବା ଘଟଣା ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଛି ।

ତେବେ ଚାନ୍ଦବାଲି ବାଇପାସ୍‌ର ଡାକ୍ତର ଅନୀଲ ବେହେରାଙ୍କ ଘର ସମ୍ମୁଖରେ ସାଳନ୍ଦୀ ଜଳସେଚନ ବିଭାଗ ଅଧୀନରେ ଥିବା ଏକ ଜଳାଶୟକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ରାତାରାତି ପୋତି ନିଜ କବଜାକୁ ନେବା ଘଟଣା ସଂପର୍କରେ ସ୍ଥାନୀୟ ସାଳନ୍ଦୀ କଲୋନୀର ସତ୍ୟବ୍ରତ ପାଣିଗ୍ରାହୀ, ଡ. ରବିନାରାୟଣ ପାଣିଗ୍ରାହୀ, ଇଂ ଅଭୟ କୁମାର ପଣ୍ଡା, ଦୋଳଗୋବିନ୍ଦ ନାୟକ, ଅନନ୍ତ ପ୍ରସାଦ ପଣ୍ଡା, ଶ୍ରୀହର୍ଷ ସ୍ୱାଇଁ, ସ୍ୱଦେଶ ରଂଜନ ରାଉତ, ସନ୍ତୋଷ ନାୟକ, ବିଜୟ କର, ଦିଲ୍ଲୀପ କୁମାର ପଣ୍ଡା, ନିରଂଜନ ମହାନ୍ତିଙ୍କ ଭଳି ବହୁ ବ୍ୟକ୍ତି ଜିଲାପାଳଙ୍କ ଠାରୁ ଆରମ୍ଭ କରି ପୁଲିସ୍ ଷ୍ଟେସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସେମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି । ଏହି କଲୋନୀ ବାସୀଙ୍କ ଅଭିଯୋଗ ମୂଳେ ଉକ୍ତ ଜଳାଶୟଟି ଉପରେ ବହୁ ବୁଲା ଗୋରୁଗାଈ ଜଳ ଟୋପେ ପାଇଁ ନିର୍ଭର କରୁଥିବାବେଳେ ସେମାନେ ମଧ୍ୟ ମୃତାହ କର୍ମ ଓ ସୁଧିକ୍ରିୟା ସହିତ ଠାକୁର ଭସାଣି ଭଳି ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ମାତ୍ର ଉକ୍ତ ଜଳାଶୟଟିକୁ ପୋତିବା ସହ ଅନ୍ୟ ଜଣେ ବ୍ୟକ୍ତି ସଂପୃକ୍ତ ବିଭାଗର ଜମିରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ଘଟଣା ସଂପର୍କରେ ଆଜି ସାଳନ୍ଦୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ତହସିଲଦାର ସରଜମିନ୍ ତଦନ୍ତ କରିଛନ୍ତି । ଅନୁରୂପ ବିଶେଷ ଖବର ପ୍ରେସ୍ ସମ୍ମୁଖରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଅତ୍ୟନ୍ତ ମୂଲ୍ୟବାନ ଜମିଟିକୁ ଜଣେ ବ୍ୟକ୍ତି ନିଜ ଦଖଲକୁ ନେଇ ପ୍ରଥମେ ମିଲନ ନାମକ ଏକ କଲ୍ୟାଣ ମଣ୍ଡପ କରି ବହୁ ଅର୍ଥ ହାତେଇବା ପରେ ଏବେ ସେଣ୍ଡ ଜାଭିୟର ନାମକ ଏକ ଶିକ୍ଷାନୁଷ୍ଠାନ ଖୋଲିଅଛି ।

ଏହି ଜମିଟିର ଜବରଦଖଲକୁ ନେଇ ବିଭାଗ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ପରେ ତାହାକୁ ସରକାରୀ ଖାତାକୁ ଆଣିବା ନେଇ ମାନ୍ୟବର ଅଦାଲତ ଦେଇଥିବା ଉଚ୍ଛେଦ ନିର୍ଦ୍ଦେଶ ସ୍ଥାନୀୟ ପୁଲିସ୍‌ଙ୍କ ଅସହଯୋଗରୁ ଏପର୍ଯ୍ୟନ୍ତ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । କେବଳ ଏତିକି ନୁହେଁ ସହର ମଧ୍ୟରେ ଏହିଭଳି କୋଟି କୋଟି ଟଙ୍କାର ସରକାରୀ ସଂପତ୍ତିକୁ ଦୀର୍ଘବର୍ଷ ହେବ ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜ କବ୍‌ଜାକୁ ନେଇ ହୋଟେଲ, ରେଷ୍ଟୁରାଣ୍ଟ, ଗ୍ୟାରେଜ, ମାର୍କେଟ୍ କମ୍ଲେକ୍ସ ଭଳି ବ୍ୟବସାୟ ପ୍ରତିଷ୍ଠାନ ଗଢି ବେଆଇନ୍ ଭାବେ କୋଟି କୋଟି ହାତେଇ ଆସୁଥିବାବେଳେ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଏଣୁ ଏ ଦିଗରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଧାୟକଙ୍କ ସ୍ମାର୍ଟ ସିଟିର ସ୍ୱପ୍ନ ଯେ ଅଧୁରା ରହିଯିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।