Odiapua.com

ସ୍ମାର୍ଟ ଫୋନ୍ ଓ ଅନଲାଇନ୍ କ୍ଲାସ୍

ଅତ୍ୟଧିକ ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ମାର୍ଟ ଫୋନ୍ ର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ମାନସିକ ଚାପ ଆଶଙ୍କା ବୃଦ୍ଧି କରିପାରେ। ପିଲାଙ୍କ ସ୍ମାର୍ଟ ଫୋନ୍ ବ୍ୟବହାରରେ ସନ୍ତୁଳନ ରକ୍ଷା କରିବା ଦରକାର। ପିଲାଙ୍କ ପାଇଁ ଖାଇବା ସମୟରେ, ଶୋଇବାକୁ ଯିବା ପୂର୍ବରୁ ମୋବାଇଲ୍ ବ୍ୟବହାରରେ କଟକଣା ରହିବା ଆବଶ୍ୟକ।

କିଛି ଦିନ ତଳର କଥା। ଆମ ପଡିଶା ବର୍ମା ବାବୁ ଙ୍କ ଘରୁ ପାଟି ଶୁଣି ହଠାତ ନିଦ ଭାଙ୍ଗିଗଲା, ସେତେବେଳକୁ ସମୟ ରାତି ୧୨ଟା। ଯୁକ୍ତି ତର୍କ ଚାଲିଥିଲା କିନ୍ତୁ କିଛି ଠିକ୍ ରେ ଶୁଣା ଯାଉନଥିଲା। କିଛି ମୁହୂର୍ତ ପରେ ଆଉ ପାଟି ଶୁଣାଗଲା ନାହିଁ। ତା ପର ଦିନ ୧୦ ଟା ବେଳେ ବର୍ମା ବାବୁ ବଜାରରେ ମୋର ଦେଖା ହେଲେ। ବର୍ମା ବାବୁ ବହୁତ ଭଲ ଲୋକ ଓ ଆମ ଅଂଚଳ ର ଜଣେ ଜଣାଶୁଣା ସମାଜସେବୀ। ତେଣୁ ବେଶୀ କିଛି ଚିନ୍ତା ନକରି ପଚାରିଲି, ଆଜ୍ଞା କାଲି ବିଳମ୍ବିତ ରାତିରେ ଆପଣ ଙ୍କ ଘରେ ପାଟି ଶୁଣା ଯାଉଥିଲା। ଏତିକି ଶୁଣିବା ପରେ ବର୍ମା ବାବୁ ବିସ୍ମିତ ମୁହଁ ରେ କିଛି ସମୟ ନିରବ ରହିଲେ। ମୁଁ ପୁଣି ପଚାରିଲି ଆଜ୍ଞା କିଛି ଖରାପ ଭାବିବେ ନାହିଁ ଏମିତି ପଚାରିଦେଲି। ଏଇଟା ଆପଣଙ୍କ ଘର କଥା ମୋତେ କହିବା ଠିକ୍ ନୁହେଁ। ତାପରେ ବର୍ମା ବାବୁ ଆରମ୍ଭ କଲେ, କିଛି ଘର କଥା ନୁହେଁ ଆଜ୍ଞା, ଆଜିକାଲି ପିଲା ଙ୍କ କଥା। ବର୍ମା ବାବୁ ଙ୍କ ପୁଅ ୯ମ ଶ୍ରେଣୀ ରେ ପଢୁଛି। କରୋନା ପାଇଁ ସ୍କୁଲ ଛୁଟି ହେବା ପରେ ସରକାର ଘୋଷଣା କରିଥିଲେ ଅନଲାଇନ୍ କ୍ଲାସ୍। ତେଣୁ ବର୍ମା ବାବୁ ବାଧ୍ୟ ହୋଇ ଗୋଟେ ସ୍ମାର୍ଟ ଫୋନ୍ କିଣି ତାଙ୍କ ପୁଅ କୁ ଦେଇଥିଲେ। ସେଦିନ ରାତିର ପାଟିଗୋଳ ର ମୁଖ୍ୟ କାରଣ ସେହି ସ୍ମାର୍ଟ ଫୋନ୍। ବର୍ମା ବାବୁ ଆରମ୍ଭ କଲେ ତାଙ୍କ ପୁଅ ଓ ସ୍ମାର୍ଟ ଫୋନ୍ କାହାଣୀ। ସମୟ ଟା ଏମିତି ଚାଲିଛି ଯେ ଆର୍ଥିକ ଅବସ୍ଥା ଭଲ ନାହିଁ ତଥାପି ଯାହା ହେଲେ ବି ପିଲା ଙ୍କ ପାଠ ପଢା କୁ ଲକ୍ଷ୍ୟ କରି ସ୍ମାର୍ଟ ଫୋନ୍ ଗୋଟେ କିଣି ଦେଇଥିଲି। ଯାହା ଅନଲାଇନ୍ କ୍ଲାସ୍ ବିଷୟରେ ଶୁଣିଲି ଆଉ ଦେଖିଲି ନକହିବା ଭଲ। କେତେବେଳେ କି କ୍ଲାସ୍ ହେଲା, କଣ ସେ ପଢିଲା ତାକୁ ଜଣା। ଆମ ବେଳେ ଏଗୁଡା ସବୁ ନଥିଲା। ଅନଲାଇନ୍ କ୍ଲାସ୍ ଟା ଶୁଣିବାକୁ ଯେମିତି ଭଲ ଲାଗୁଚି କିନ୍ତୁ ମୁଁ ଭାବି ପାରୁନି ପୁଅ ମୋର ସେମିତି କିଛି ଆଖି ଦୃଶିଆ ଜ୍ଞାନ ଆହରଣ କରିଛି, ତେବେ ଯାହା ହଉ କାମ ଚଳିଗଲା। ସେ ବିଷୟରେ ମୋର ଆଉ କିଛି କହିବାର ନାହିଁ କିନ୍ତୁ ଏବେ ମୁଁ ଦେଖୁଚି ଅନଲାଇନ୍ କ୍ଲାସ୍ ପରେ ଯେମିତି ପୁଅ ମୋର ୨୪ ଘଣ୍ଟିଆ ଚାକିରୀ ପାଇ ଯାଇଛି ଗୋଟେ ମୁହୂର୍ତ ବି ମୋବାଇଲ କୁ ଛାଡିପାରୁନି। ଘରେ କାହା ସହିତ କଥା ନାହିଁ, କେବଳ ମୋବାଇଲ ହିଁ ସର୍ବସ୍ଵ। ଏମିତିକି ଗାଧୁଆ ଘର କୁ ଗଲାବେଳେ ବି ମୋବାଇଲ ସହିତ ଯାଉଛି। ବହୁବାର ତାକୁ ବୁଝେଇଛି ବାପରେ ମୋବାଇଲ ଯେତିକି ଦରକାର ସେତିକି ବ୍ୟବହାର ଭଲ। ବେଶୀ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏତେ ବୁଝାଇଲା ପରେ ବି ସେଦିନ ରାତି ୧୨ଟା ପର୍ଯ୍ୟନ୍ତ ମୋବାଇଲ ଘାଣ୍ଟୁ ଥାଏ, ତେଣୁ ମୁଁ ପାଟି କରୁଥିଲି। ବର୍ମା ବାବୁ ଙ୍କ କଥା ରୁ ଜଣାପଡୁଥିଲା ସେ ବହୁତ ବ୍ୟସ୍ତ ଆଉ ଚିନ୍ତିତ ଥିଲେ ତାଙ୍କ ପୁଅ ପାଇଁ। ଖାଲି ବର୍ମା ବାବୁ ନୁହନ୍ତି, ଏମିତି ଅନେକ ଅଛନ୍ତି।

ଆଧୁନିକ ସମାଜ ର ସ୍ମାର୍ଟ ସାମଗ୍ରୀ ମଧ୍ୟରୁ ମୋବାଇଲ ପ୍ରମୁଖ। ଛୁଆ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏହା ସହ ବେଶ ଅଭ୍ୟସ୍ଥ। କେବଳ କଥାବାର୍ତ୍ତା ପାଇଁ ନୁହେଁ ଏହା ଆମ ଦୈନଦିନ ଜୀବନରେ ଏକ ଅଂଶ ହେଇଯାଇଛି। ଅନଲାଇନ୍ ରେ ଖାଇବା ଅର୍ଡର ଠାରୁ ଆରମ୍ଭ କରି ଶିକ୍ଷା ଆହରଣ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ହେଇପାରୁଛି। ଆଗରୁ ଗୋଟେ ମିଟିଂ କରିବା ପାଇଁ ସମସ୍ତେ ଗୋଟେ ଜାଗା ରେ ଉପସ୍ଥିତ ହେବାକୁ ପଡୁଥିଲା ଏବେ ତାହା କମ ସମୟରେ ଓ ବିନା ଭ୍ରମଣ ଖର୍ଚ ରେ ହେଇପାରୁଛି। ଏହା ଦ୍ୱାରା ଖର୍ଚ୍ଚ କମି ପାରିଛି। ଏମିତି ହେଲାଣି ଯେମିତି ସ୍ମାର୍ଟ ଫୋନ୍ ବିନା ଗୋଟେ ମୁହୂର୍ତ ରହିବା ଅସମ୍ଭବ କାରଣ ସ୍ମାର୍ଟ ଫୋନ୍ ଆମର ସମସ୍ତ କାମକୁ ସହଜ ଓ ସରଳ କରି ଦେଇଛି। କିନ୍ତୁ ଠିକ୍ ରେ ବ୍ୟବହାର ନକଲେ ଓ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କଲେ ଏହା ଆମ ର ସ୍ୱାସ୍ଥ୍ୟ ପକ୍ଷେ କେତେ ହାନି କାରକ ଜାଣିବା ଦରକାର। ଅଧିକ ବ୍ୟବହାର କଲେ ମାନସିକ ଅଶାନ୍ତି ବଢେ, ଏକାଗ୍ରତା ନଷ୍ଟ କରେ, ଅଧିକ ସମୟ ମୋବାଇଲ ଦେଖିବା ଦ୍ୱାରା ମୁଣ୍ଡ ବିନ୍ଧା ହେଉଛି। ଡାକ୍ତର ଙ୍କ କହିବା ଅନୁଯାୟୀ ପିଲାମାନେ ଫୋନ୍ ଅଧିକ ବ୍ୟବହାର କରିବା ଦ୍ଵାରା ସେମାନଙ୍କ ଆଖି ଉପରେ କୁ ପ୍ରଭାବ ପକାଏ। ଅଧିକ ସମୟ ଫୋନ୍ ଧରି ବସି ରହିବା ଦ୍ଵାରା ଶରୀର ର ମେରୁଦଣ୍ଡ, କାନ୍ଧ ଆଦି ରେ କୁ ପ୍ରଭାବ ପକାଏ। ପ୍ରାୟତଃ ଦେଖିବାକୁ ମିଳେ ପିଲାମାନଙ୍କୁ ଚୁପ କରାଇବା ପାଇଁ ଘର ଲୋକ ମାନେ ସ୍ମାର୍ଟ ଫୋନ୍ ଦେଇ ଦିଅନ୍ତି। ଯାହା ଦ୍ଵାରା ସେମାନେ ସ୍ମାର୍ଟ ଫୋନ୍ ରେ ଗେମ୍ କିମ୍ବା ଭିଡିଓ ଦେଖି ଚୁପ ହୋଇ ଯାଆନ୍ତି। ଗବେଷଣା ଅନୁସାରେ ବାରମ୍ବାର ସ୍ମାର୍ଟ ଫୋନ୍ ବ୍ୟବହାର ଦ୍ୱାରା ପିଲାମାନଙ୍କ ଭାବନା କଣ୍ଟ୍ରୋଲ ହୋଇଯାଏ, ଯାହାକି ପିଲାମାନଙ୍କ ପାଇଁ ଠିକ୍ ନୁହେଁ। ଅଧିକ ରୁ ଅଧିକ ସମୟ ଫୋନ୍ ରେ ବିତାଉ ଥିବାରୁ ପିଲା ମାନେ ଖେଳ କୁଦ ସବୁ ଭୁଲି ଯାଇଥାନ୍ତି। ଯାହା ଦ୍ୱାରା ତାଙ୍କର ଶାରୀରିକ ବିକାଶ ଘଟି ନଥାଏ। ଖାଇଲା ବେଳେ ଫୋନ୍ ବ୍ୟବହାର କରିବା ଦ୍ଵାରା ଉଭୟ ଖାଦ୍ୟ ଓ ଶରୀର ଉପରେ କୁପ୍ରଭାବ ପଡେ। ଅତ୍ୟଧିକ ସମୟ ଫୋନ୍ ଚଲାଇବା ଦ୍ଵାରା ପିଲା ମାନେ ବାହାର ଦୁନିଆ ଓ ଲୋକ ଙ୍କ ସହିତ କମ୍ ମିଳାମିଶା କରିଥାନ୍ତି, ଯାହା ଦ୍ୱାରା ତାଙ୍କର ବ୍ୟବହାର ଓ ଆଚରଣ ରେ ପରିବର୍ତ୍ତନ ଆସି ଥାଏ। ମୋବାଇଲ ର ବ୍ୟବହାର ଆମ ପାଇଁ ନିହାତି ଜରୁରୀ ହୋଇପଡିଛି କିନ୍ତୁ ଅତ୍ୟଧିକ ବ୍ୟବହାର ଅତି ରୁ ଇତି ସଦୃଶ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା