ପୁରୀ ୨୬-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ମାସେ ବିତିଲାଣି। ଥାନାରେ ଲିଖିତ ଅଭିଯୋଗ ସତ୍ତ୍ୱେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ଓଲଟା ସୁରକ୍ଷା ଦେଉଛି। ଏହାର ପ୍ରତିବାଦରେ ସ୍ତ୍ରୀ ଗ୍ରାମବାସୀଙ୍କ ସହ ନ୍ୟାୟ ପାଇଁ ଆଜି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ବ୍ରହ୍ମଗିରି ଥାନା ପଣସପଦା ଗାଁର ବୁଦ୍ଧଦେବ ପଲାଇ ଗତ ମାସ ୨୪ ତାରିଖରେ ବଡଦିଆଣ୍ଡି ଗାଁରୁ ଭଣଜାର ବାହାଘର ଭୋଜି ଖାଇ ଫେରୁଥିବାବେଳେ ପାଇକସାହି ଗାଁର ୧୦ରୁ ଅଧିକ ବ୍ୟକ୍ତି ବୁଦ୍ଧଦେବଙ୍କୁ ଖଣ୍ଡା ଓ ଲାଠିରେ ଆକ୍ରମଣ କରିଥିଲେ। ସ୍ତ୍ରୀ ପୁଷ୍ପାଞ୍ଜଳି ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ଓ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥିଲେ। ଏନେଇ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଚୁପ୍ ବସିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ହେଲେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନାହିଁ।ଏହାର ପ୍ରତିବାଦରେ ଆଜି ସ୍ତ୍ରୀ ପୁଷ୍ପାଞ୍ଜଳି ପଲେଇ ଓ ଗ୍ରାମବାସୀ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ, ନ୍ୟାୟ ପାଇଁ ଆଜି ଏସପିଙ୍କ ଦ୍ବାରସ୍ଥ ପତ୍ନୀ
