Odiapua.com

ସ୍ବାଧୀନତାର ୭୨ ବର୍ଷ ପରେବି ହଳଦୀପାଣି ନୂଆସାହିକୁ ମୌଳିକ ସୁବିଧା ସାତସପନ

ବଡ଼ବିଲ, ତା ୨ ଜୁନ(ଓଡିଆ ପୁଅ/ସୀତାରାମ ଦିଖିତ) କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୁଆଁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହଳଦୀପାଣି ନୂଆସାହିର ୫୦୦ରୁ ଉର୍ଦ୍ଧ୍ୱ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଏହି ଗ୍ରାମର ଲୋକମାନେ ବିଦ୍ୟୁତ ସେବା ଓ ସ୍ବଚ୍ଛ ପାନୀୟ ଜଳରୁ ବଞ୍ଚିତ ହୋଇ ରହୁଥିବାର ଦେଖିବାକୁ ମିଳିଛି। ଏବାବଦରେ ଗ୍ରାମର ଲୋକମାନେ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ମୌଳିକ ସମସ୍ୟାକୁ ନେଇ ଗ୍ରାମର ଲୋକମାନେ ବାଂଶପାଳ ବ୍ଲକ ଅଧିକାରୀଙ୍କୁ ଅନେକଥର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏଥିସହ କେନ୍ଦୁଝର ଜିଲ୍ଲା ପ୍ରଶାସନର ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଅନେକଥର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଯାହା ଫଳରେ ଏଠାକାର ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗ୍ରାମରେ ନଳକୂପ ଥିଲେ ମଧ୍ୟ ସେଗୁଡ଼ିକରୁ ପାଣି ବାହୁରୁ ନଥିବାର ଦେଖିବାକୁ ମିଳିଛି। ଏହି ଗ୍ରାମର ଲୋକମାନଙ୍କୁ ଦେଖିଲେ ମନେହୁଏ ସ୍ବାଧୀନତାର ୭୨ ବର୍ଷ ପରେବି ବିକାଶର ସ୍ବାଦ ଏମାନଙ୍କ ପାଇଁ ସାତସପନ ପାଲଟିଛି। ବିଦ୍ୟୁତ ସେବା ଏହି ଗ୍ରାମରେ ନଥିବା ଯୋଗୁଁ ଛୋଟ ବଡ ଛାତ୍ର ଛାତ୍ରୀମାନେ ପାଠ ପଢିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗ୍ରାମର ଯଦୁମଣି ଦେହୁରୀ, ସାବ ଦେହୁରୀ, ମଧୁ ଦେହୁରୀ, ନିଧି ଦେହୁରୀ, ସୁନା ପଶା, କାଙ୍ଗାଳୀ ପଶା, ମାନି ନାୟକ, ମୁକ୍ତା ଦେହୁରୀ, ସୁମିତ୍ରା ପଶା, ସାବିତ୍ରୀ ନାଏକ, ବେଣୁ ଦେହୁରୀ, ରଖୁ ନାୟକ, ମନ୍ଦଦୋରୀ ପଶା ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି, ଯେ ଗ୍ରାମକୁ ଅତିଶୀଘ୍ର ମୌଳିକ ସୁବିଧା ଯୋଗାଇ ନଦେଲେ ଗ୍ରାମର ଲୋକମାନେ ଆଗାମୀ ଦିନରେ ରାଜରାସ୍ତାକୁ ଉହ୍ଲାଇବାକୁ ଚେତାବନୀ ଦେଇଛନ୍ତି।