ବାଲିଗୁଡା, ୧୮/୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : ସବୁଠି ସ୍ତବ୍ଧ, ସବୁଠି ନୀରବତା। ସହୀଦ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ଖବର ଶୁଣିଲା ପରେ ବିଅରପାଙ୍ଗା ଗ୍ରାମବାସୀଙ୍କ ମନରେ ଆଉ ଖୁସି ନାହିଁ। ଗାଁ’କୁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭକରି ରାଜ ନେତାଙ୍କ ସୁଅ ଛୁଟୁଛି। ୟା’ ଭିତରେ କିନ୍ତୁ ଚନ୍ଦ୍ରକାନ୍ତଙ୍କ କଥା ମନେ ପକାଇ ଝୁରୁଛନ୍ତି ସାଙ୍ଗ ସାଥିଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ। ଚନ୍ଦ୍ରକାନ୍ତ ଗାଁ’କୁ ଆସିଲେ କିପରି ସମସ୍ତଙ୍କ ସହ ସ୍ନେହରେ ସମୟ ବିତାଏ, ଗାଁ’ର ଉନ୍ନତି କଥା ଚିନ୍ତା କରେ ସେକଥା ମଧ୍ୟ ମନେ ପକାଉଛନ୍ତି। ଗାଁ’ରେ କେମିତି ଏକତା ରହିବ ସମସ୍ତେ ମିଳି ରହିବେ ସେଥି ପ୍ରତି ଚେଷ୍ଠା କରିବା ସହ ସବୁ ଲୋକଙ୍କ ସହ ଆଲୋଚନା କରିଥାଏ। ଗତ ଡ଼ିସେମ୍ବରରେ ଆସିଥିବା ବେଳେ ଗାଁ’ରେ, ଏକ ଗୋଷ୍ଠୀଗୃହ ନିର୍ମାଣ ପାଇଁ ମନ ବଳାଇଥିଲେ। ଯାହାଦ୍ୱାରା ସବୁ ପରିବାର ଲୋକେ ଆବଶ୍ୟକ ସ୍ଥଳେ କାମରେ ଆସିବ ସେ ନେଇ ସେ ଉଦ୍ୟମ କରିଥିଲେ। ଏଥିପାଇଁ ଉକ୍ତଗୋଷ୍ଠି ଗୃହ ନିର୍ମାଣ ପାଇଁ କିଛି ଅର୍ଥ ମଧ୍ୟ ଯୋଗାଇ ଦେଇଥିଲା ବୋଲି କୁହନ୍ତି ବିଅର ପାଙ୍ଗା ଗ୍ରାମର ସାମନ୍ତ ପ୍ରଧାନ। ସେହି ଗ୍ରାମର ସୁମିତ ପ୍ରଧାନ କୁହନ୍ତି, ସେ ଗାଁ’କୁ ଆସିଲେ ସମସ୍ତଙ୍କୁ ବୁଝାଏ ମଦ୍ୟ ପାନ ନକରିବା ପାଇଁ। ବାହାରକୁ ଦାଦନ ଖଟିବାକୁ ନଯାଇ ନିଜ ଚାଷ କାମରେ ମନ ଦେଲେ ଭଲ ମଣିଷ ହେବା ସହ ଗାଁ’ର ମଧ୍ୟ ଊନ୍ନତି ହୋଇପାରିବ ବୋଲି ସବୁବେଳେ କୁହେ। ଏପରିକି ଛୁଟିରେ ଆସିଲେ ନିଜ ଗ୍ରାମର ଛୋଟ ପିଲାଙ୍କୁ ପାଠ ମଧ୍ୟ ପଢାଇ ଥାଏ। ଗାଁ’ର ଯେଉଁ କେତେ ଜଣ ସରକାରୀ ଚାକିରିଆ ଅଛନ୍ତି ସେମାନେ ସମସ୍ତେ ସହଯୋଗ କରିଲେ ଗାଁ’ର ଉନ୍ନତି ପଥରେ ଯିବା ସହ ଯୁବ ଗୋଷ୍ଠୀ ବାଟବଣା ହେବ ନାହିଁ ବୋଲି ସୁମିତ କୁହନ୍ତି।।ତେବେ ସହିଦ ଚନ୍ଦ୍ରକାନ୍ତ ଗ୍ରାମରେ ଏକ ମୋବାଇଲ୍ ଟାୱାର ନିର୍ମାଣ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ସଫଳ ହୋଇ ପାରିନଥିଲେ। ଏପରକି ଟାୱାରା ନିର୍ମାଣ କଲେ ସେ ନିଜ ଜମି ମାଗଣାରେ ପ୍ରଦାନ କରିବ ବୋଲି ମଧ୍ୟ ଗ୍ରାମବାସୀଙ୍କୁ କହିଥିଲେ। ଏହି ସ୍ୱପ୍ନ ଅଧା ରହିଗଲା। ହେଲେ ସହିଦ୍ ହେବାପରେ ଟାୱାର ର୍ନମାଣ ହେବ ବୋଲି ଗ୍ରାମର କିଛି ଲୋକ କହିଛନ୍ତି। ବୟସ ତୁଳନାରେ ସେ ଗ୍ରାମବାସୀଙ୍କ ପାଇଁ ବହୁତ କିଛି ଚିନ୍ତା କରିଥିଲେ ବୋଲି କାନ୍ଦି କାନ୍ଦି ତାଙ୍କର ପିଲାଦିନର ବନ୍ଧୁମାନେ ପ୍ରକାଶ କରିଥିଲେ।