Odiapua.com

ସ୍ବଚ୍ଛ ସର୍ବେକ୍ଷଣ ନିମନ୍ତେ ବ୍ରାଣ୍ତ ଆମ୍ବାସଡର ଘୋଷଣା

ପୁରୀ, ୨୮।୧୨ (ଓଡ଼ିଆ ପୁଅ) ପୁରୀ ସହରକୁ ସ୍ବଚ୍ଛ ରଖିବା ସହ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀ ଧାମକୁ ଏକ ନମ୍ବର କରିବା ନିମନ୍ତେ ପ୍ରଶାସନ ଅଣ୍ଟା ଭିଡିଛି। ସହରର ସବୁ ବର୍ଗ ମଧ୍ୟରେ ସଚେତନ ସୃଷ୍ଟି ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ରାଣ୍ତ ଆମ୍ବାସାଡର ଓ ପୃଷ୍ଠପୋଷକଙ୍କ ନାମ ଘୋଷଣା କରାଯାଇଛି। ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ମାତା ଶ୍ରୀ ଆଶୁତୋଷ ପଟ୍ଟନାୟକ, ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ରଙ୍କୁ ବ୍ରାଣ୍ତ ଆମ୍ବାସାଡର ଏବଂ ପଦ୍ମ ବିଭୂଷଣ ଶିଳ୍ପୀ ଶ୍ରୀ ସୁଦର୍ଶନ ସାହୁ ଏବଂ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପୃଷ୍ଠପୋଷକ ଭାବେ ଘୋଷଣା କରାଯାଇଛି। ଏହାଦ୍ବାରା ସ୍ବଚ୍ଛତା କ୍ଷେତ୍ରରେ ପ୍ରଶାସନିକ ଓ ସାମାଜିକ ସ୍ତରରେ ଉପଯୁକ୍ତ ସମନ୍ବୟ ରକ୍ଷା କରାଯିବା ସହ ସହରକୁ ସ୍ବଚ୍ଛ କରିବାରେ ସହାୟକ ହେବ ବୋଲି ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ କହିଛନ୍ତି। ବ୍ରାଣ୍ତ ଆମ୍ବାସଡର ଓ ପୃଷ୍ଠପୋଷକ ମାନଙ୍କ ସମର୍ଥନ ଓ ଜନସାଧାରଣ ମାନଙ୍କ ସହଯୋଗ ହିଁ ସହରକୁ ସଫା ରଖିବାର ପୁଞ୍ଜି। ପୌରସଂସ୍ଥା ସହ ସ୍ବଚ୍ଛତା ରକ୍ଷା ପାଇଁ ଜନସାଧାରଣଙ୍କ ଗୁରୁ ଭୂମିକା ଥିବା ଶ୍ରୀ ସ୍ବାଇଁ ମତବ୍ୟକ୍ତ କରିଛନ୍ତି। ସ୍ବଚ୍ଛ ସର୍ବେକ୍ଷଣ କ୍ଷେତ୍ରରେ ପୁରୀ ସହର ୨୦୨୦ ମସିହାରେ ୨୫୬ ସ୍ଥାନରେ ଥିବା ବେଳେ ୨୦୨୧ ମସିହାରେ ୧୨୫ ସ୍ଥାନରେ ରହିଛି। ଆସନ୍ତା ବର୍ଷ ସହରକୁ ଏକ ନମ୍ବର କରିବାର ଲକ୍ଷ ରଖାଯାଇଥିବା ନିର୍ବାହୀ ଅଧିକାରୀ କହିଥିଲେ। ସହରର ବାସିନ୍ଦା ମାନଙ୍କ ଘରୁ ଦୈନିକ ୫୦ ଟନ ଆବର୍ଜନା ସଂଗ୍ରହ କରିବା ନିମନ୍ତେ ପୌରସଂସ୍ଥାର କ୍ଷମତା ଥିବାବେଳେ ଦୈନିକ ୩୦ ଟନ ଅଳିଆ ସଂଗ୍ରହ କରାଯାଉଛି। ସେଗୁଡିକୁ ପୃଥକୀକରଣ କରିବା ନିମନ୍ତେ ସହରରେ ୯ଟି Micro Composting Centre (MCC) ଏବଂ ୬ଟି Material Recovery Facility (MRF) କାର୍ଯ୍ୟକ୍ଷମ ରହିଛି। ଏପର୍ଯ୍ୟନ୍ତ ୪୦ ଟନ ଖତ ବିକ୍ରୟ କରାଯାଇଥିବା ୪ ଲକ୍ଷ ଟଙ୍କା ମୂଲ୍ୟର ପ୍ଲାଷ୍ଟିକ ସାମଗ୍ରୀ ବିକ୍ରୟ କରାଯାଇଛି। ବିଭିନ୍ନ ଶିଳ୍ପକୁ ଅଢେଇ ଟନ ରେସିଡୁଆଲ ପ୍ଲାଷ୍ଟିକ ସାମଗ୍ରୀ ଯୋଗାଇ ଦିଆଯାଇଥିବା ଶ୍ରୀ ସ୍ବାଇଁ ଜଣେଇଥିଲେ। ସ୍ବଚ୍ଛତା ନିମନ୍ତେ ବ୍ରାଣ୍ତ ଆମ୍ବାସଡର ଭାବେ ଚୟନ କରାଯାଇଥିବାରୁ ଶ୍ରୀ ଆଶୁତୋଷ ପଟ୍ଟନାୟକ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୌରସଂସ୍ଥା ପରିମଳ ବିଶେଷଜ୍ଞ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର, ଶ୍ରୀ ରିସଭ ଦାଶ, ପରାମର୍ଶଦାତା ଶ୍ରୀ ଜ୍ୟୋତିପ୍ରକାଶ, ଶ୍ରୀ ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।