Odiapua.com

ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ରତ୍ନ ପଥର ବେପାରୀ ଗିରଫ, ୩ କ୍ୱିଂଟାଲ ପଥର ଜବତ

କଳାହାଣ୍ଡି, ତା.୧୩.୦୭.୨୦୨୦ ( ଓଡିଆପୁଅ) ରତ୍ନଗର୍ଭା କଳାହାଣ୍ଡି ଜିଲ୍ଲାରେ ବହୁ ମୂଲ୍ୟବାନ ରତ୍ନ ପଥର ମିଳୁଥିବା ବେଳେ ଅତୀତରେ ଓଡିଶା ଖଣି ନିଗମ ( ଓଏମସି) ସେହି ମୂଲ୍ୟବାନ ରତ୍ନ ପଥର ସଂଗ୍ରହ ଦାୟୀତ୍ୱ ନେଇଥିବା ବେଳେ କିଛିବର୍ଷ ପରେ ବର୍ତମାନ ଓଏମସି ନୀରବ ଥିବା ଦେଖାଯାଉଛି । ଏହାର ସୁଯୋଗ ନେଇ ବିଭିନ୍ନ ରତ୍ନ ପଥର ଚୋରା ବେପାରୀ ମାନଙ୍କ ଲୋଲୁପ ଦୃଷ୍ଟି କଳାହାଣ୍ଡିର ମୂଲ୍ୟବାନ ରତ୍ନ ପଥର ଉପରେ ରହୁଥିବା ଜଣାପଡିଛି । ବିଗତ ଦିନରେ ଏପରି ଅନେକ ଚୋରା ବେପାରୀ ଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରକାଶ ।
ଜୁନାଗଡ ଥାନା ଅନ୍ତର୍ଗତ ପଳାସ ଗ୍ରାମରେ ଚୋରା ରତ୍ନ ପଥର କାରବାର କରୁଥିବା କୌଣସି ସୂତ୍ରରୁ ଜଣାପଡିବା ପରେ ରାଜ୍ୟ କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ ର ସ୍ୱତନ୍ତ୍ର ନଜର ଥିଲା । ଗତ ରବିବାର ଦିନ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଜୁନାଗଡ ପୋଲିସ ସହିତ ପଳାସ ଗ୍ରାମର ସୁଜିତ କୁମାର ମେହେର ପିତା- ରାମେଶ୍ୱର ମେହେର ଙ୍କ ଘରେ ଚଢାଉ କରି ୩୦୨ କେଜି ମଲ୍ୟୂବାନ ମାଣିକ୍ୟ ( ରୁବି) ଓ ପାନ୍ନା ପଥର ଜବତ କରିଥିବା ବିଷୟ କଳାହାଣ୍ଡି ଅତିରିକ୍ତ ଏସପି ଗୋପୀନାଥ ମଣିପାତ୍ର ଆଜି ଗଣମାଧ୍ୟମକୁ ଜଣାଇଛନ୍ତି । ଏନେଇ ଜୁନାଗଡ ଥାନା କେଶ ନଂ. ୧୬୯/୨୦୨୦ ଧାରା ୩୭୯ , ୪୧୧ ଆଇପିସି ଏବଂ ଖଣିଜ ଦ୍ରବ୍ୟ ଚୋରା ଚାଳାଣ ରୋକିବା ଆଇନ ଧାରା ୧୨ ଅନୁସାରେ ଏକ କେଶ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ଏବଂ ଏହି ଚୋରା ରତ୍ନ ପଥର କାରବାରର ଚେର କେତେ ଦୂର ଲମ୍ବିଛି ଏବଂ କେଉଁ ମାନେ ସଂଶ୍ଳିଷ୍ଟ ଅଛନ୍ତି ସେସବୁର ତଦନ୍ତ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।