Odiapua.com

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ୩ ରଥ ଉପରେ ୪ ନାହାକା ଉଠିଲା

ପୁରୀ, ୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ୧୩ ଦିନ ବିଳମ୍ବ ହୋଇଥିଲେ ସୁଧା ସ୍ନାନ ପୂର୍ଣ୍ଣିମା ର ୨ ଦିନ ପୂର୍ବରୁ ପରମ୍ପରା ଅନୁଯାୟୀ ୩ ରଥ ଉପରେ ୪ ନାହାକା ଉଠିଥିଲା। ସବୁ ସେହି ଲିଳାମୟୀ, ଇଛାମୟୀ ପ୍ରଭୁଙ୍କ ଇଛାରେ ସବୁ ଚାଲିଛି। ଦଣ୍ଡାରେ କଂଟା ବାଡିଆ ସରିବା ପରେ ଗତକାଲି ଗରଗଡା କାମ ପରେ ପଂଚ ଦଣ୍ଡା ଉପରେ ସଂଯୋଗ ହୋଇ ପ୍ରଥମ ବଡପୋଲ ଗୟଳ ଫିଟିଙ୍ଗ୍ କରାଯାଇଥିଲା। ଗତକାଲି ୩ ରଥର ୪ ନାହାକା ଉଠିଲା। ନିରାଡୀ ପୋତା ପରେ ଦ୍ୱତୀୟ ପୋଲ ଗୟଳ ମୋଡା ହୋଇ ସାରିବା ପରେ ତୃତୀୟ ଗୟଳ ମୋଡା ଶେଷ ହୋଇଛି। ରଥଖଳା ରେ ଅଁଳା ଗରେଡି ର ଚଉପଟ ପାଇଁ ହଣା ଚାଲିଛି। ଚାର ପରିଛା କାମ ଚାଲିଛି। ନନ୍ଦିଘୋଷ ରଥର ୯ ହାତଅଧେ ଦେବଦଳନ ରଥର ୮ ହାତ ଅଧେ ତାଳଧ୍ୱଜ ରଥର ୯ ହାତ ଲାଗିଥାଏ। ନାଟ ଗୋଡରେ ରୂପକାର ସେବକମାନେ ରାହୁ ରୂପ ଖୋଦେଇ କାମ ଜାରି ରଖିଛନ୍ତି। ଢମକା ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଂଚିଚି। ଦୋଳବେଦୀ ଠାରେ ଅସ୍ଥାୟୀ ଶାଳରେ ଓଝା ସେବକ ମାନେ ଓଟଳ କଂଟା, କଣ ଭିଡିଆ କଂଟା, ଓରା ବିଡିଆ କଂଟା ପ୍ରସ୍ତୁତିରେ ଲାଗି ରହିଛନ୍ତି। ସବୁଦିନ ପରି ରଥ ଖଳା ରେ କାର୍ଯ୍ୟ କରୁଥିବା ସମସ୍ତ ସେବକଙ୍କର ଥର୍ମାଲ୍ ସ୍କିନିଙ୍ଗ୍ କରାଯାଇଥିଲା।