Odiapua.com

ସ୍ଥାୟୀ ଡ୍ରେନ୍ ନଥିବାରୁ ଲଘୁଚାପ ବର୍ଷାରେ ବେହାଲ ଭଦ୍ରକ ପୌରବାସୀ

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳରେ ସ୍ଥାୟୀ ଡ୍ରେନ୍ ନଥିବା ଯୋଗୁଁ ଅସରାଏ ଲଘୁଚାପ ବର୍ଷା ଏବେ ପୌରବାସୀଙ୍କୁ ବେହାଲ କରିଛି । ସ୍ଥାୟୀ ଡ୍ରେନ୍ ଅଭାବରୁ ଜଳ ନିଷ୍କାସନରେ ବାଧା ଉପୁଜି ବର୍ଷାଜଳ ଓ ବ୍ୟକ୍ତିଗତ ପାଣି ସହ ଅଳିଆ ମିଶି ରାସ୍ତାରେ ନର୍ଦ୍ଦମା ସୃଷ୍ଟି କରିଛି । ଏହି ଜଳ ନିଷ୍କାସନ ବାଧା ଯୋଗୁଁ ଏବେ କେତେକ ତଳିଆ ଅଂଚଳ ବାସୀଙ୍କ ଘର ଓ ଦୋକାନ ଭିତରେ ପାଣି ପ୍ରବେଶ କରିଛି । ଗତ ଦୁଇଦିନର ଲଘୁଚାପ ବର୍ଷାରେ ଏହି ସମସ୍ୟା ପ୍ରତି ପ୍ରଶାସନ ଓ ପୌରପାଳିକା ପକ୍ଷରୁ କୌଣସି ପ୍ରତିକାର କରାଯାଇନଥିବାବେଳେ ୫ନଂ ୱାର୍ଡ ପକ୍ଷରୁ ସ୍ଥାନୀୟ ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେହିଭଳି ଚରମ୍ପା ଜାତୀୟ ରାଜପଥ ପାଖରେ ଥିବା ଜନୈକ ବ୍ୟକ୍ତି ନିଜ ଘରର ପାଇଖାନା ପାଣି, ଗାଧୁଆ ପାଣି ସହ ଅଳିଆ ଆବର୍ଜନାକୁ ରାସ୍ତାରେ ଛାଡି ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବାର ଅଭିଯୋଗ ହୋଇଛି । ଏଠାକାର ଲୋକେ ନିଜ ଖର୍ଚ୍ଚରେ ସୁଠ ପକାଇ ଜଳ ନିଷ୍କାସନ ବ୍ୟବସ୍ଥା କରୁଥିବାବେଳେ କିଛି ବ୍ୟକ୍ତି ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାର ଅଭିଯୋଗ ହୋଇଛି । ସେହିଭଳି ଭଦ୍ରକରେ ଜଳ ନିଷ୍କାସନ ସମସ୍ୟା ବହୁ ପୁରୁଣା ହୋଇଥିବାବେଳେ ପୌରାଞ୍ଚଳର ଚରମ୍ପାସ୍ଥିତ ୫ନଂ ୱାର୍ଡରେ ଥିବା ନାଳକୁ କେତେକ ଲୋକ ମାଟି ପକାଇ ପୋତି କଂକ୍ରିଟ୍ ଢଳେଇ କରିଥିବାରୁ ସ୍ଥାନୀୟ ଲୋକେ ଜଳ ନିଷ୍କାସନ ଜନିତ ସମସ୍ୟାରେ ଡହଳ ବିକଳ ହେଉଛନ୍ତି । ଏପରିକି ବର୍ତ୍ତମାନର ଲଘୁଚାପ ଜନିତ କେଇ ଅସରା ବର୍ଷାରେ ଲୋକଙ୍କ ଘରେ ପାଣି ପଶି ସେମାନଙ୍କୁ ବେଘର କରିବା ସହ ଯାତାୟତରେ ବାଧା ଉପୁଜିଛି । ଏଥିନେଇ ଉକ୍ତ ୱାର୍ଡର ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଜିଲାପାଳ ତ୍ରିଲୋଚନ ମାଝୀଙ୍କୁ ଭେଟି ଆଜି ଲିଖିତ ଅଭିଯୋଗ ଦିଆଯାଇଛି । ତେବେ ଜିଲାପାଳ ଶ୍ରୀ ମାଝୀ ସମସ୍ୟାର ସମାଧାନ ପାଇଁ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ଅନୁରୂପ କୁଆଁସ ୧୫ ନଂ ୱାର୍ଡରୁ ୧୬ ନଂ ୱାର୍ଡକୁ ଆସିଥିବା ଜଳ ନିଷ୍କାସନ ପଥର ପୋଲଟି ଅବରୋଧ ହେବା ଫଳରେ ଉଭୟ ୱାର୍ଡର ଅଧିକାଂଶ ଘରେ ଡ୍ରେନ୍ ପାଣି ପଶି ଲୋକଙ୍କୁ ଜଳବନ୍ଦୀ କରିଛି । ପୂର୍ବରୁ ଥିବା ବ୍ରିଟ୍ରିଶ୍ ସମୟର ଜଳ ନିଷ୍କାସନ ପଥଟିକୁ ଅବରୋଧ କରି ଅନ୍ୟ ନାଳ ନିର୍ମାଣ କରାଯିବାରୁ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ରାସ୍ତା କାଟି ନୂତନ ନାଳ ନିର୍ମାଣ କରିଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି କହିଛନ୍ତି ସ୍ଥାନୀୟ ଅଂଚଳର ତାଜ ମହମ୍ମଦ, ସେକ୍ ମଇରାଜ, ମିର୍ ରାଜ ପ୍ରମୁଖ ।