Odiapua.com

ସ୍ତ୍ରୀ ଋଣଟଙ୍କା ସୁଝିନପାରିବାରୁ ସ୍ୱାମୀକୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ତ୍ରୀ ଋଣଟଙ୍କା ସୁଝିନପାରିବାରୁ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ତାଙ୍କ ସ୍ୱାମୀଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପକାଇବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ଥାନା ଅଧୀନସ୍ଥ କୃଷ୍ଣନଗର ଗ୍ରାମରେ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ କୃଷ୍ଣନଗର ଗ୍ରାମର ଭଗବତୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନିକଟରୁ ସ୍ଥାନୀୟ ସେକ୍ ବାବୁ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ୩୦ ହଜାର ଟଙ୍କା ଋଣ ଆଣିଥିଲେ । ସପ୍ତାହକୁ ୭ ଶହ କରି କିସ୍ତି ଦେବା କଥା । କିନ୍ତୁ ସେ ୨ଟି କିସ୍ତି ଦେଇ ଅଭାବ ଯୋଗୁଁ ଆଉ ଦେଇପାରିନଥିଲେ । ଉକ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ‘ବନ୍ଧନ’ ନାମକ ଏକ ଘରୋଇ ଫାଇନାନ୍ସ ସଂସ୍ଥା ଠାରୁ ଋଣ ଆଣିଥିଲେ । ମାତ୍ର ଉକ୍ତ ଫାଇନାନ୍ସର କର୍ମଚାରୀମାନେ ବାରମ୍ବାର ଟଙ୍କା ମାଗିବାରୁ ସେକ୍ ବାବୁଙ୍କୁ ମହିଳା ସଦସ୍ୟମାନେ ଟଙ୍କା ଦେବାକୁ କହିଥିଲେ । ସ୍ତ୍ରୀ ଟଙ୍କା ନେଇଥିବାରୁ ସ୍ୱାମୀ ସୁଝିବା କଥା । ହେଲେ ଟଙ୍କା ନଦେବାରୁ ମହିଳାମାନେ ଏକଜୁଟ ହୋଇ ଆଜି ସେକ୍ ବାବୁଙ୍କୁ ଗାଁର ଏକ ବିଦ୍ୟୁତ୍ ଖୁଣ୍ଟରେ ଦଉଡିରେ ବାନ୍ଧି ପକାଇଥିଲେ । ପରେ ସଦସ୍ୟମାନେ ତାଙ୍କୁ ଥାନାରେ ଜିମା ଦେଇଥିଲେ । ତେବେ ଋଣ କିସ୍ତି ସୁଝିନପାରିବାରୁ ସ୍ୱାମୀକୁ ଖୁଣ୍ଟରେ ସର୍ବସମ୍ମୁଖରେ ବାନ୍ଧିବା ଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏଥିନେଇ ପୁଲିସ୍‌ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।