Odiapua.com

ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କୁ ‘ନାରଦ ସମ୍ମାନ’ ପ୍ରଦାନ

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ସମ୍ବାଦ କେନ୍ଦ୍ର ଆନୁକୁଲ୍ୟରେ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଯଶସ୍ୱୀ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କୁ ସମ୍ମାନଜନକ ଚଳିତ ବର୍ଷର ‘ନାରଦ ସମ୍ମାନ’ ପ୍ରଦାନ କରାଯାଇଛି । ପ୍ରତି ବର୍ଷ ନାରଦ ଜୟନ୍ତ୍ରୀ ଅବସରରେ ଗଣମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ମହର୍ଷି ନାରଦ ହେଉଛନ୍ତି ବିଶ୍ୱ ବ୍ରହ୍ମାଣ୍ଡର ଗଣମାଧ୍ୟମ କ୍ଷେତ୍ରର ଆଦି ପୁରୁଷ । ଯେମିତି ପ୍ରଭୁ ବିଶ୍ୱକର୍ମା ହେଉଛନ୍ତି ସମସ୍ତ ଶିଳ୍ପୀକୁଳର ଆରାଧ୍ୟ, ସେହି ମର୍ମରେ ଦେବର୍ଷି ନାରଦ ହେଉଛନ୍ତି ଗଣମାଧ୍ୟମର ଇଷ୍ଟ ଦେବତା । ସମଗ୍ର ବ୍ରହ୍ମାଣ୍ଡର ମଙ୍ଗଳ ନିମନ୍ତେ ସେ କାର୍ଯ୍ୟ କରୁଥିଲେ ଏବଂ ସେହି ଆଦର୍ଶରେ ଏହି ସମ୍ମାନ ପ୍ରତିଷ୍ଠିତ । ବରିଷ୍ଠ ସ୍ତମ୍ଭକାର ନିରଂଜନ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଓଡିଆ ସାରସ୍ୱତ ଜଗତର ଅଗ୍ରଣୀ ସାଧକ ମୁଖ୍ୟ ଅତିଥି ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କୁ ଉପଢ଼ୌକନ, ମାନପତ୍ର , ନାରିକେଳ ଏବଂ ସମ୍ମାନସୂଚକ ଦଶ ହଜାର ମୁଦ୍ରା ପ୍ରଦାନ କରି ସମ୍ମାନିତ କରିଥିଲେ ।

ଏହି ସମାରୋହରେ ଖ୍ୟାତନାମା ସାମ୍ବାଦିକ ରାଜାରାମ ଶତପଥୀ ସମ୍ମାନିତ ଅତିଥି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତୀୟ କାର୍ଯ୍ୟବାହକ ଡଃ ଅନୀଲ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଦେବର୍ଷ ନାରଦଙ୍କୁ ଭକ୍ତି ନିବେଦନ କରିବା ସହିତ ନାରଦ ସମ୍ମାନ ବିଜେତା ଅଭୟ ଦ୍ୱିବେଦୀଙ୍କ ସ୍ତମ୍ଭ-ସାହିତ୍ୟ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି ବୋଲି ମତ ବ୍ୟକ୍ତ କରିଥିଲେ । ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭ ରଚନା କରିବା ସହିତ ଓଡିଆ ସାହିତ୍ୟର ଜଣେ ଅଗ୍ରଣୀ ପ୍ରାବନ୍ଧିକ ଓ ସମାଲୋଚକ ଭାବେ ପରିଚିତ । ତାଙ୍କର ଏଯାବତ୍ ୧୮ ଖଣ୍ଡରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରକାଶ ପାଇଥିବାବେଳେ, ସେ ବିଦ୍ୟାଳୟ ଛାତ୍ର ଜୀବନରେ ମୀନାବଜାର ପୁରସ୍କାର ସମେତ ପରବର୍ତ୍ତୀ କାଳରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଉତ୍କଳ ସାହିତ୍ୟ ସମାଜ, ଭୁବନେଶ୍ୱର ପୁସ୍ତକ ମେଳା , ଥିଙ୍କ ଓଡିଶା ଆଦି ବିଭିନ୍ନ ଖ୍ୟାତି ସଂପନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସଂବର୍ଦ୍ଧିତ ହୋଇଛନ୍ତି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଭଦ୍ରାଣୀ’ ଅନୁଷ୍ଠାନ ତରଫରୁ ଚଳିତ ବର୍ଷ ସମାଜ ସେବା କ୍ଷେତ୍ରରେ ପ୍ରଫେସର ଆଦିତ୍ୟ ମହାନ୍ତିଙ୍କୁ ‘ଭଦ୍ରାଣୀ ସେବା ସମ୍ମାନ’ ଏବଂ ଡଃ ଗୌରୀ ଶଙ୍କର ସାହୁଙ୍କୁ ‘ସ୍ତମ୍ଭ-ସାହିତ୍ୟ ତରୁଣ ବର୍ଗ’ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହିତ ସେ ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଆବାହକ ଅଛନ୍ତି ।