Odiapua.com

ସ୍କୁଲ ନାହିଁ ତ ଫି ବି ନାହିଁ: ମାନସ ଚୌଧୁରୀ – ବେସରକାରୀ ସ୍କୁଲରୁ ଚାନ୍ଦା ପାଉଛନ୍ତି ବିଜେଡ଼ି ନେତା

ଭୁବନେଶ୍ୱର ୬-୮ (ଓଡ଼ିଆ ପୁଅ) – କରୋନା ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ସ୍କୁଲ କଲେଜ ବନ୍ଦ ରହିଛି। ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଏକ ଭଲ ପଦକ୍ଷେପ। ତେବେ ଦୁଃଖ ଓ ପରିତାପର ବିଷୟ କରୋନା ଭଳି ଘଡ଼ିସନ୍ଧି ସମୟରେ ଅଭିଭାବକମାନଙ୍କୁ ବେସରକାରୀ ସ୍କୁଲଗୁଡ଼ିକ ଲୁଟ କରି ଚାଲିଛନ୍ତି। ଆପଣମାନେ ଜାଣିଥିବେ ସରକାର ଲୋକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଗରିବ ଲୋକଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି, ଧନୀ ଲୋକଙ୍କ ପାଇଁ ଟିକସ ବି ଛାଡ଼ ହୋଇଛି। ମଦରେ ବି ସେସ କମିଛି। କିନ୍ତୁ ନବୀନ ସରକାର ଅଭାବୀ ଅଭିଭାବକଙ୍କ କଥା ଚିନ୍ତା କରୁନାହାନ୍ତି। ବେସରକାରୀ ସ୍କୁଲଗୁଡ଼ିକ ଠାରୁ ବିଜେଡ଼ି ନେତାମାନେ ଚାନ୍ଦା ନେଉଛନ୍ତି। ଯେଉଁଥିପାଇଁ ଏସବୁ ଅନ୍ୟାୟ ଦେଖିଲେ ବି ଆଖି ବୁଜି ଦେଇଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ କହିଛନ୍ତି।

ଶ୍ରୀ ଚୌଧୁରୀ କହିଛନ୍ତିଯେ, ସାରା ରାଜ୍ୟରେ ଏବେ ବେସରକାରୀ ସ୍କୁଲଗୁଡ଼ିକର ଚାପରେ ଅଭିଭାବକମାନେ ଚେପା ହୋଇଯାଇଛନ୍ତି। କରୋନା ପାଇଁ କେତେକ ଅଭିଭାବକଙ୍କର ଚାକିରୀ ପଳେଇଲାଣି, ସଟର ବନ୍ଦ ଥିବାରୁ ବ୍ୟବସାୟିକ କାରବାର ବି ଠପ ହୋଇଯାଇଛି। ଏଭଳି ସ୍ଥିତିରେ ଘର ଚଳାଇବା ବି ମୁସ୍କିଲ ହୋଇଗଲାଣି। ଗରିବ ହୁଅନ୍ତୁ କି ମଧ୍ୟବିତ ସମସ୍ତଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କିନ୍ତୁ ବେସରକାରୀ ସ୍କୁଲଗୁଡ଼ିକର ଟଙ୍କା ନିଶା ଛାଡୁନାହିଁ।

ସବୁଠାରୁ ବଡ଼ କଥା ହେଉଛି କେତେକ ସ୍କୁଲ କେବଳ ଟ୍ୟୁସନ ଫି ନୁହେଁ, ବରଂ ଡେ ବୋର୍ଡ଼ିଂ ଚାର୍ଜଠାରୁ ନେଇ ଫୁଡ଼ିଂ ପର୍ଯ୍ୟନ୍ତ ଟଙ୍କା ବି ନେଉଛନ୍ତି। ସ୍କୁଲ ବନ୍ଦ ଥିବାରୁ ପିଲା ତ ସ୍କୁଲ ଯାଉନାହାନ୍ତି ତାହେଲେ ଖାଇବା ଟଙ୍କା କାହିଁକି ଦେବେ, ଡେ ବୋର୍ଡ଼ିଂ ଟଙ୍କା କାହିଁକି ଦେବେ। ଭିତିଭୂମି ବିକାଶ ପାଇଁ ଟଙ୍କା କାହିଁକି ଦେବେ। ଘରେ ବସିବସି ବେସରକାରୀ ସ୍କୁଲଗୁଡ଼ିକ ଏବେ ମୋଟା ଅଙ୍କର ଟଙ୍କା ଗୋଟାଇବାରେ ଲାଗିଛନ୍ତି। ଏଭଳି ପଇସା ଖିଆ ଘରୋଇ ସ୍କୁଲ ବିରୋଧରେ ନବୀନ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଖାଲି ଫିସ ଛାଡ଼ କରିବାକୁ ଅନୁରୋଧ କଲେ ଚଳିବ ନାହିଁ, ସେମାନଙ୍କୁ ନିର୍ଦ୍ଦେଶ ଦେବା ଦରକାରବୋଲି ମାନସ ଚୌଧୁରୀ ଦାବି କରିଛନ୍ତି।

ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ସାଇ ଇଂଟରନାସନାଲ ସ୍କୁଲର ଉଦାହରଣ ନିଆଯାଉ। ସେଇ ସ୍କୁଲର ମାଲିକ ଏବେ ସରକାରଙ୍କ ଉପଦେଷ୍ଟା ସାଜିଛନ୍ତି। କିନ୍ତୁ ସେଠାରେ ଅଭିଭାବକମାନଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଭାବକମାନେ ଅଭିଯୋଗ କରୁଛନ୍ତି। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ପୁଲିସ କେସ ବି କରାଯିବାର ନଜିର ରହିଛି। ଏଭଳି ଲୁଟେରା ଓ ଶୋଷକମାନେ କିଭଳି ଶିକ୍ଷାବିତ ହେବେବୋଲି ଶ୍ରୀ ଚୌଧୁରୀ ପ୍ରଶ୍ନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଶ୍ରୀ ଚୌଧୁରୀ ଦାବି କରିଛନ୍ତିଯେ,

୧- ବେସରକାରୀ ସ୍କୁଲଗୁଡ଼ିକରେ ଫି ନିର୍ଦ୍ଧାରଣ କମିଟି ଦେଇଥିବା ସୁପାରିଶକୁ ଲାଗୁ କରାଯାଉ।

୨- ବେଆଇନ ଭାବେ ବିଭିନ୍ନ ଫିସ ଲାଗୁ କରୁଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

୩- ଶିକ୍ଷାକୁ ସେବା ଭାବେ ଗ୍ରହଣ କରାଯାଉ। ଏହାକୁ ବ୍ୟବସାୟ କରି ଶୋଷଣ କରୁଥିବା ମାଲିକମାନଙ୍କୁ କଠୋର ଦଣ୍ଡ ଦେବା ଦରକାର।

୪- କରୋନା ସମୟରେ ଘରୋଇ ସ୍କୁଲଗୁଡ଼ିକ ମନଇଚ୍ଛା ଟଙ୍କା ଆଦାୟ ନକରନ୍ତୁ। ନୋ ସ୍କୁଲ ନୋ ଫି ନ୍ୟାୟରେ ସେମାନେ ଅଭିଭାବକମାନଙ୍କୁ ଶୋଷଣ କରିବାରୁ ନିବୃତ ରୁହନ୍ତୁ।

୫- ଘରୋଇ ସ୍କୁଲଗୁଡ଼ିକରେ ୨୫% ଗରିବ ଓ ଅବହେଳିତ ବର୍ଗର ପିଲାମାନେ ଯେଭଳି ପାଠ ପଢ଼ିବେ ତାହା ସୁନିଶ୍ଚିତ କରାଯାଉ। ଅନେକ ସମୟରେ ମିଛ କହି ଘରୋଇ ସ୍କୁଲଗୁଡ଼ିକ ସରକାରଙ୍କୁ ଠକୁଛନ୍ତି। ସେହି ମାଲିକମାନଙ୍କୁୁ ଗିରଫ କରିବା ସହ ସ୍କୁଲରୁ ସ୍ୱୀକୃତି ପ୍ରତ୍ୟାହାର କରିବା ଦରକାର। ଶିକ୍ଷା ଅଧିକାର ଆଇନ ଅନୁଯାୟୀ, ୨୫% ସିଟ ଅବହେଳିତ ଶ୍ରେଣୀ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିଲେବି ସିଟ ବିକା ଯାଉଥିବାର ନଜିର ରହିଛି। ଏନେଇ କୋର୍ଟରେ ବି ମାମଲା ହୋଇଛି।

୬- ବିନା ଏନଓସିରେ ଚାଲିଥିବା ସ୍କୁଲଗୁଡ଼ିକ ଉପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

୭- ବେସରକାରୀ ସ୍କୁଲଗୁଡ଼ିକର ଏଭଳି ବେଆଇନ ଓ ଅମାନବୀୟ କାର୍ଯ୍ୟ ସମ୍ପର୍କରେ ସରକାର ଜାଣିଛନ୍ତି କି ନାହିଁ । ଯଦି ଜାଣିଛନ୍ତି ତେବେ ଚୁପ କାହିଁକି । ବିଜେଡ଼ି ନେତାମାନେ ସେମାନଙ୍କ ଠାରୁ ଚାନ୍ଦା ନେଇ ସୁରକ୍ଷା ଦେଉଛନ୍ତି କି ନାହିଁ । ଏହାର ଜବାବ ସରକାର ଦେବା ଦରକାର।

ଆଜିର ଏହି ସାମ୍ବାଦିକ ସମ୍ମିଳନିରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶ୍ରୀ ସତ୍ୟପ୍ରକାଶ ନାୟକ, ରଶ୍ମି ମହାପାତ୍ର, ରାଜୀବ ପଟ୍ଟନାୟକ, ଅଶୋକ ଦାସ, ବିଶ୍ୱଜିତ୍ ଦାସ, ନାସିର ନୱାଜ, ଆଶିଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।