Odiapua.com

ସ୍କୁଲରେ ରାତ୍ର ଜଗୁଆଳି ଦ୍ୱାରା ଚୋରି,ଇନଭର୍ଟର-ବ୍ୟାଟେରୀ ସହ ସିସିଟିଭି ହାର୍ଡ ଡିସ୍କ ଗାଏବ, ତିନି ଅଟକ

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଚୁଡ଼ାକୁଟି ଇନ୍ଦ୍ରମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ଚୋରି ହୋଇଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି। ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ବିଦ୍ୟାଳୟର ରାତ୍ରୀ ଜଗୁଆଳି ସନ୍ତୋଷ ଦାସ ଓ ଦୁଇ ଜଣ ସହଯୋଗୀଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି। ପ୍ରକାଶ ଥାଉକି ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ପ୍ରଭାତ ଜେନାଙ୍କ ଅଭିଯୋଗ ଅନୁସାରେ ରବିବାର ସନ୍ଧ୍ୟାରେ ବିଦ୍ୟାଳୟର ଅଫିସ କକ୍ଷର ତାଲା ଖୋଲି ୨ଟି ଇନଭର୍ଟର, ୨ଟି ବ୍ୟାଟେରୀ, ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ, କମ୍ପ୍ୟୁଟର ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଭଙ୍ଗା ମଦ ବୋତଲ ମିଳିଥିବାରୁ ଚୋରି ପୂର୍ବରୁ ସେଠାରେ ମଦ୍ୟପାନ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଧାମନଗର ଥାନାର ଏସ୍‌ଆଇ ସୁନୀତା ହେମ୍ରମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଭଣ୍ଡାରୀପୋଖରୀ ବ୍ଲକ ନୀର୍ଗୁଣ୍ଡି ଅଂଚଳର ବାସିନ୍ଦା ତଥା ବିଦ୍ୟାଳୟର ନାଇଟ ୱାଚମ୍ୟାନ ସନ୍ତୋଷ ଦାସଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଇଥିବା ବେଳେ ସେ ଘଟଣା ସମ୍ପର୍କରେ ସତ ମାନିଥିବା ସୂଚନା ମିଳିଛି।ପରେ ଦୁଇ ଜଣ ସହ ଯୋଗୀ ଙ୍କୁ ମଧ୍ୟ ଅଟକ ରଖି ପଚରା ଉଚରା ଜାରି ରହିଛି। ପୋଲିସ୍ କେସ ନମ୍ୱର୍ ୨୪୨/୨୬ ରେ ମାମଲା ରୁଜୁ କରାଯାଇଛି। ଉଲ୍ଲେଖ ଥାଉକି ବିଦ୍ୟାଳୟ ପରିସରରେ ପ୍ରତିଦିନ ରାତିରେ ମଦ ଓ ମାଂସ ଭୋଜିର ଆସର ବସୁଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ସ୍ଥାନୀୟ ଅଂଚଳର କିଛି ବ୍ୟକ୍ତି ସ୍କୁଲ ପରିସରକୁ ଏଭଳି କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଥିବା ବେଳେ ଏଥିପ୍ରତି ସମ୍ପୃକ୍ତ ପ୍ରଧାନ ଶିକ୍ଷକ ପ୍ରଭାତ ଜେନାଙ୍କ ପ୍ରଶ୍ରୟ ରହିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଚୋରିର ପ୍ରକୃତ କାରଣ ଓ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଶୁଭ୍ରଜିତ ଦାସ ସୁଚନା ଦେଇଛନ୍ତି।