Odiapua.com

ସ୍କିଲ୍ ଇଣ୍ଡିଆ ଠକାମୀର ମାଷ୍ଟର ମାଇଣ୍ଡ ସୌଦାଗରକୁ ଅର୍ଥନୈତିକ ଅପରାଧ ଶାଖା ଧରିବ କେବେ!, ପୁଲିସ୍ ଆଖିରେ ଫେରାର ଥାଇ ଏବେବି ଓଡ଼ିଶାରେ ଚଲାଇଛି ତାର କଳା ସାମ୍ରାଜ୍ୟ

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟର କୋଟି କୋଟି ଲୋକଙ୍କ ଝାଳବୁଝା ଧନକୁ ହରିଲୁଟ କରି ଏପର୍ଯ୍ୟନ୍ତ ଖୋଲା ଆକାଶ ତଳେ ନିର୍ଭୟରେ ବୁଲୁଥିବା ଚିଟ୍‌ଫଣ୍ଡ ଲୁଟେରାଙ୍କ ବିରୁଦ୍ଧରେ ସରକାର କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାବେଳେ ଦେଶର ବେକାର ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରାଇବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୧୬-୧୭ ମସିହାରେ ମାଗଣାରେ ତାଲିମ୍ ଦିଆଯାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦେବାତ ଦୂରର କଥା, ଷ୍ଟାଇପେଣ୍ଡ ଅର୍ଥକୁ ବାଟମାରଣା କରି ଅଦ୍ୟାବଧି ପୁଲିସ୍ ଆଖିରେ ଫେରାର ଥିବା ଓଡ଼ିଶାର ଭଦ୍ରକ ଜିଲାର ମାଷ୍ଟର ମାଇଣ୍ଡକୁ ଗିରଫ କରାନଯିବା ଘଟଣା ପୁଣିଥରେ ଠକାମୀର ଶୀକାର ହୋଇଥିବା ଛାତ୍ରଛାତ୍ରୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଦିଓ ଭଦ୍ରକ ନିବାସୀ ଏହି ମାଷ୍ଟର ମାଇଣ୍ଡ ଫେରାର ଥିବା ବିଷୟ ପୁଲିସ୍ କହୁଛି, ତେବେ ଏହାର ସହଯୋଗୀ ଗଂଜାମ ଜିଲାର ଯୁବକ ଜଣକ ଜେଲ୍ ଯାଇ ଏବେ ବେଲ୍‌ରେ ଅଛି । କିନ୍ତୁ ଏକ ବିଶେଷ ସୂତ୍ରରୁ ଯାହା ଜଣାଯାଏ ପୁଲିସ୍ ଆଖିରେ ଫେରାର ଥିବା ମାଷ୍ଟର ମାଇଣ୍ଡ ଜଣକ ଏବେ ଓଡ଼ିଶାରେ ରହି ପୁଣିଥରେ ଭାରତ ସରକାରଙ୍କ ଠାରୁ ଅନ୍ୟ ପ୍ରୋଜେକ୍ଟ ଆଣି ବହୁ ଅନୁଷ୍ଠାନ ଓ ଏନ୍‌ଜିଓକୁ ସିଏସ୍‌ଆର ଫଣ୍ଡ ଦେବା ନାଁରେ ଅର୍ଥ ଶୋଷଣ ଆରମ୍ଭ କରିଛି । ଏହି ବିଷୟ ଏ ପ୍ରତିନିଧିଙ୍କ ହାତରେ ପଡିଥିବା ମାଷ୍ଟର ମାଇଣ୍ଡ ଯୁବକର ମୋବାଇଲ୍ ଫୋନ୍ ଭଏସ୍ ରେକର୍ଡିଂରୁ ଜଣାପଡିଛି । ଏକଦା ସ୍କିଲ୍ ଡେଭଲପମେଂଟ ନାମରେ କୋଟି କୋଟି ଟଙ୍କା ହଡପ କରି ଚହଳ ସୃଷ୍ଟି କରିଥିବା ଏହି ମାଷ୍ଟର ମାଇଣ୍ଡଙ୍କ ନାମ ସୌଦାଗର ଶୀତ ଶିଶିର ବେହେରା ହୋଇଥିବାବେଳେ ତାଙ୍କ ପିତାଙ୍କ ନାମ ପ୍ରଫୁଲ୍ଲ କୁମାର ବେହେରା ଓ ଘର ଭଦ୍ରକ ଜିଲା ଗଣିଜାଙ୍ଗ ହାସିନପୁର ଗ୍ରାମରେ । ଗତ ୨୦୧୬-୧୭ ମସିହାରେ କେନ୍ଦ୍ର ସରକାରଙ୍କ ସ୍କିଲ୍ ଡେଭଲପମେଂଟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସଂଖ୍ୟାଲଘୁ, ଅନୁସୂଚିତ ଜାତି ଓ ଜନଜାତି ସହ ସାଧାରଣ ବର୍ଗର ବେକାର ଯୁବକ/ଯୁବତୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ୩ ମାସରୁ ୬ ମାସ ପର୍ଯ୍ୟନ୍ତ ମାଗଣାରେ ତାଲିମ ଦିଆଯାଇଥିଲା ।

ଏହି ତାଲିମ୍ ପାଇଁ କେତେକ ଏନ୍‌ଜିଓ ଉକ୍ତ ପ୍ରୋଜେକ୍ଟକୁ ନିଜ ନାମରେ ଆଣି ଫ୍ରାଂଚାଇଜ୍ ମାଧ୍ୟମରେ ବିଭିନ୍ନ ଛୋଟବଡ ଶିକ୍ଷାନୁଷ୍ଠାନ ସହ ଚୁକ୍ତି କରିଥିଲେ । ତେବେ ଏହି ଏନ୍‌ଜିଓ ମାନେ ଏହି ଚୁକ୍ତି ମଝିରେ କିଛି ମୁଷ୍ଟିମେୟ ଲୋକଙ୍କୁ ଦଲାଲ ଭାବେ ନିୟୋଜିତ କରିଥିଲେ । ସେମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନ ଗୁଡିକ ସହ ଚୁକ୍ତି କରି ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା କୋଟି କୋଟି ଟଙ୍କାର ଷ୍ଟାଇପେଣ୍ଡ ଅର୍ଥକୁ ସେମାନଙ୍କୁ ନଦେଇ ବାଟମାରଣ କରିଥିଲେ । ଏହି ମିଡିଲ୍ ମ୍ୟାନ ହିସାବରେ ଆମ ରାଜ୍ୟର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଭଦ୍ରକର ସୌଦାଗର ନାମକ ଯୁବକ ଗଂଜାମ ଜିଲା ବରହମପୁରର ଜଗନ୍ନାଥ ନାମକ ଅନ୍ୟ ଜଣେ ଯୁବକକୁ ନିଜର ସହଯୋଗୀ ଭାବେ ରଖାଇ କେବଳ ଓଡ଼ିଶା ନୁହେଁ ପଡୋଶୀ ଝାଡଖଣ୍ଡ, ଛତିଶଗଡ, ବିହାର ଭଳି ରାଜ୍ୟମାନଙ୍କରେ ନିଜର ଜାଲ୍ ସାମ୍ରାଜ୍ୟ ବିସ୍ତାର କରିଥିଲେ । ଏମାନେ ଓଡ଼ିଶାରେ ଶତାଧିକ ସେଂଟର ସମେତ କେବଳ ଭଦ୍ରକରେ ମାକ୍ରୋୱେବ୍ ଟେକ୍‌ନୋଲୋଜି ଭଳି ଶିକ୍ଷାନୁଷ୍ଠାନରେ ଏହି ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । କିନ୍ତୁ ଏଠାରେ ତାଲିମ ନେଇଥିବା ଛାତ୍ରଛାତ୍ରୀମାନେ ନା ପ୍ରମାଣ ପତ୍ର ପାଇଲେ ନା ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଷ୍ଟାଇପେଣ୍ଡ ଅର୍ଥ ପାଇଲେ । ଏହି ପ୍ରୋଜେକ୍ଟକୁ ଆଣୁଥିବା ଏନ୍‌ଜିଓମାନଙ୍କର ଶିକ୍ଷାଦାନ କ୍ଷେତ୍ରରେ କୌଣସି ଭିତିଭୂମି ନଥିବାବେଳେ ସ୍ଥାନୀୟ କ୍ଷୁଦ୍ର ଶିକ୍ଷାନୁଷ୍ଠାନ ଗୁଡିକୁ ଅର୍ଥ ଉପାର୍ଜନର ଲୋଭ ଦେଖାଇ ସେମାନଙ୍କର କାର୍ଯ୍ୟ ହାସଲ କରାଇନେଇଥିଲେ । ପରବର୍ତୀ ସମୟରେ ତାଲିମ୍ ଅବଧିର ପରିସମାପ୍ତି ପରେ ପିଲାମାନଙ୍କ ନାମରେ ଆସୁଥିବା ଷ୍ଟାଇପେଣ୍ଡ ଓ ତାଲିମ୍ ବାବଦ ହୋଇଥିବା ଖର୍ଚ୍ଚର ଅର୍ଥକୁ ଉପରୋକ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ନଦେଇ ଆତ୍ମସାତ୍ କରିବାରେ ସଫଳ ହୋଇଥିଲେ । ଏମାନେ ସେମାନଙ୍କର ଏହି କାର୍ଯ୍ୟ ସାଧନ କରିବା କ୍ଷେତ୍ରରେ ସଂପୃକ୍ତ ବିଭାଗର କେତେକ ଅସାଧୁ ଅଧିକାରୀଙ୍କୁ ହାତକରି ସେମାନଙ୍କର ଉଦ୍ଦେଶ୍ୟ ପୂରଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କର ଦକ୍ଷତା ବୃଦ୍ଧି ଓ ବେକାର ଶିକ୍ଷିତ ଯୁବକ-ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ଯେଉଁ ଲକ୍ଷ୍ୟ ରହିଥିଲା, ତାହା ସଫଳ ହେବା ବଦଳରେ କେତେକ ମୁଷ୍ଟିମେୟ ଅସାଧୁ ବ୍ୟକ୍ତିଙ୍କର ରୋଜଗାର ପନ୍ଥା ପାଲଟିଛି । ଏ ସଂପର୍କରେ ଠକାମୀର ଶୀକାର ହୋଇଥିବା ଅନୁଷ୍ଠାନ ଗୁଡିକ ଏହି ଘଟଣାକୁ ନେଇ ଅତୀତରେ ଇ.ଓ.ଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)ର ଦ୍ୱାରସ୍ଥ ହେବା ସହ ସେମାନଙ୍କ ନାମରେ ମାମଲା ମଧ୍ୟ ରୁଜୁ କରିଥିଲେ । ଏପରିକି ପ୍ରମାଣପତ୍ର ଓ ଷ୍ଟାଇପେଣ୍ଡ ପାଇନଥିବା ଛାତ୍ରଛାତ୍ରୀମାନେ ସଂପୃକ୍ତ ବିଭାଗ ବିରୁଦ୍ଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ପଛାଇନଥିଲେ । ତେବେ ଘଟଣାର ଗୁରୁତ୍ୱକୁ ଉପଲବ୍ôଧ କରି ସଂପୃକ୍ତ ବିଭାଗ ପକ୍ଷରୁ ତାଲିମ୍ ଦିଆଯାଉଥିବା ଅନୁଷ୍ଠାନ ଗୁଡିକୁ କ୍ଷେତ୍ରୀୟ ତଦନ୍ତ କରିବା ପାଇଁ କେତେକ ଅଧିକାରୀ ଆସିଥିଲେ ମଧ୍ୟ ସେମାନେ ଏହି ଘଟଣାର ସମାଧାନ କରିବା ପରିବର୍ତେ ବହୁ ଅନୁଷ୍ଠାନ ପାଖରୁ ହାତଗୁଂଜା ଲକ୍ଷାଧିକ ଟଙ୍କା ନେଇ ଏପର୍ଯ୍ୟନ୍ତ ଚୁପ୍ ବସିଛନ୍ତି । ଏବଂ ଏଭଳି ରାକେଟ୍‌ର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସୌଦାଗର ଏବେ ପୁଲିସ୍ ଓ ଇ.ଓ.ଡବ୍ଲ୍ୟୁ ଆଖିରେ ଫେରାର ଥାଇ ଲୁଟିଥିବା ସରକାରୀ ଅର୍ଥରେ ମଉଜ ମଜଲିସ୍ କରି ପୁଣି ଅନ୍ୟ ପ୍ରୋଜେକ୍ଟ ନାମରେ ନିଜର କାୟା ବିସ୍ତାର କରିବା ଆରମ୍ଭ କଲେଣି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ବିଭାଗ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ତାଲିମ୍ ଦେବାର ଆବେଦନ କରିବାର ପ୍ରକ୍ରିୟାକୁ ଜଟିଳ ପରିବର୍ତେ ସିଧାସଳଖ ସଂପୃକ୍ତ ଅନୁଷ୍ଠାନ ଗୁଡିକୁ ଅଣଦେଖା ନକରି ପ୍ରୋଜେକ୍ଟଗୁଡିକୁ ପ୍ରଦାନର ବ୍ୟବସ୍ଥା କଲେ ଏହି ଠକାମୀର ଦୂରୀକରଣ ହୋଇପାରନ୍ତା ବୋଲି ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ କହିଛନ୍ତି ।