Odiapua.com

ସୌଭାଗ୍ୟ ଯୋଜନାରେ ୩ବର୍ଷ ହେବ ଉପଭୋକ୍ତା ପାଉନାହାନ୍ତି ସେବା

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବିଜ୍ଞାପିତ ଅଞ୍ଚଳର ୧ନମ୍ବର ୱାର୍ଡ଼ର ବରଗଡ଼ିଆ ଗ୍ରାମର ବିଦ୍ୟୁତ୍‌ସେବା ବିପର୍ଯ୍ୟସ୍ତ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ସୂଚନା ଥାଉକି ଉକ୍ତ ଗ୍ରାମର ଗ୍ରାମବାସୀଙ୍କ ସହଯୋଗରେ ଏକ ୨୫କେଭି ବିଦ୍ୟୁତ୍ ଟ୍ରାନ୍ସଫରମର ଲାଗିଥିଲା । ସେତେବେଳେ ଉକ୍ତ ଗ୍ରାମର ୧୦ରୁ ୧୨ଜଣ ଉପଭୋକ୍ତା ବିଦ୍ୟୁତ୍ ସେବା ପାଇଥିଲେ । ପରବର୍ତ୍ତି ସମୟରେ ଉକ୍ତ ଗ୍ରାମଟି ଧାମନଗର ବିଜ୍ଞାପିତ ଅଞ୍ଚଳରେ ଅନ୍ତର୍ଭୁକ୍ତ ହେବାପରେ ୧୦୦କେଭିଏ ବିଦ୍ୟୁତ୍ ଟ୍ରାନ୍ସଫରମର ବସିବାପାଇଁ ପ୍ରସ୍ତାବ ଥିଲେ ମଧ୍ୟ ଆଜି ସୁଦ୍ଧା ତାହା କାର୍ଯ୍ୟା କାରି ହୋଇ ପାରିଲା ନାହିଁ । ଉକ୍ତ ଗ୍ରାମର ଏବେ ୨୨ରୁ ଉର୍ଦ୍ଧ୍ୱ ଉପଭୋକ୍ତା ରହିଛନ୍ତି । ପରବର୍ତ୍ତି ସମୟରେ ଉକ୍ତ ଗ୍ରାମର ବୈରାଗି ରାଉତ, ଭାସ୍କର ରାଉତ, ଗୋବର୍ଦ୍ଧନ ରାଉତ, ଖିରୋଦ ରାଉତ, ନିରୋଦ ରାଉତ, ନିରଂଜନ ରାଉତ, ଦଶରଥ ରାଉତ, କୁମ୍ଭକର୍ଣ୍ଣ ସାମଲ, ସନ୍ତୋଷ ରାଉତ, ଶିଶୁଦେବ ସାମଲ, ନକୂଳ ସାମଲ ଓ ଲକ୍ଷ୍ମୀଧର ସାମଲ ଶୋଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା । ମାତ୍ର ତିନିବର୍ଷ ହେବ ସେମାନଙ୍କ ଘରକୁ ତାର ସଂଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ କରାଯାଇପାରିଲା ନାହିଁ । ସରକାରଙ୍କର ନିଷ୍ପତ୍ତି ପ୍ରତିଗାଁର ସମସ୍ତ ଲୋକଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେବାପାଇଁ ସଂକଳ୍ପ ବଦ୍ଧ ।

ହେଲେ ଦୀପ ତଳ ଅନ୍ଧାରପରି ଧାମନଗର ବିଜ୍ଞାପିତ ଅଞ୍ଚଳର ୧ନମ୍ବର ୱାର୍ଡ଼ର ବରଗଡ଼ିଆ ଗ୍ରାମର ୧୨ପରିବାର ବିଦ୍ୟୁତ୍ ସେବା ନପାଇବା ଦୁଃଖ ଓ ପରିତାପର ବିଷୟ । ସେହିପରି ଉକ୍ତ ଅଂଚଳକୁ ବିଜ୍ଞାପିତ ପରିଷଦ ପକ୍ଷରୁ ୩ବର୍ଷ ହେବ ଆଲୋକି କରଣ ପାଇଁ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲ ନାହିଁ । ବରଂ ସେହି ଷ୍ଟ୍ରିଟ୍ ଲାଇଟ୍‌ରୁ କିଛି ଲାଇଟ୍ ଚୋରି ହୋଇଗଲାଣି । ଅନେକ ସ୍ଥାନରେ ତାର ମଧ୍ୟ ଝୁଲି ବିପଦ ପୁର୍ଣ୍ଣ ଅବସ୍ଥାରେ ରହିଅଛି । ଅପର ପକ୍ଷ ଉକ୍ତ ଟ୍ରାନ୍ସଫରମର ଠାରୁ ଭଗବାନପୁର ପଞ୍ଚାୟତର ଜୈନିକ ବ୍ୟକ୍ତିଙ୍କୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ କରାଇବା ବଡ଼ ଦୁଃଖ ଓ ପରିତାପର ବିଷୟ ହୋଇଛି । ଏ ନେଇ ସ୍ଥାନୀୟ ଅଂଚଳର ଲୋକମାନେ ବାରମ୍ବାର ବିଭାଗୀୟ ଅଧିକାରୀ ସହ ବିଜ୍ଞାପିତ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାସ ହେଲେଣି । ହେଲେ ଏ ପର୍ଯ୍ୟନ୍ତ ଉକ୍ତ ଗ୍ରାମର ବିଦ୍ୟୁତ୍ ଉଛପଭୋକ୍ତାମାନେ ସେବା ପାଇବାରୁ ବଂଚିତ ହେଉଛନ୍ତି । ଏନେଇ ନିର୍ବାହୀ ଅଧିକାରୀ ଯତୀନ୍ଦ୍ର ମିଶ୍ର କୁହନ୍ତି ଏପରି ଅଭିଯୋଗ ଆମର ହସ୍ତଗତ ହୋଇଛି ତୁରନ୍ତ ତାହାର ସମାଧାନ କରାଯିବବୋଲି ସେ କହିଛନ୍ତି । ତୁରନ୍ତ ଏ ଦୀଗରେ ପଦକ୍ଷେପ ନନେଲେ ଆଗାମି ଦୀନରେ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ଗ୍ରାମବାସୀ ମାନେ ଚେତାବନି ଦେଇଛନ୍ତି ।