Odiapua.com

ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କା ପାଣିରେ ପଡିଲା , ବନ୍ତଛକରେ ପାଣି ନପାଇ ମରିବାକୁ ବସିଲାଣି ଗଛ

ଭଦ୍ରକ, .୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଗତ ୨ବର୍ଷ ହେଲା ସ୍ଥାନୀୟ ବିଧାୟକ ଚେଷ୍ଟା ଜାରୀ ରଖିଛନ୍ତି । ତେଣୁ ପୌର ପ୍ରଶାସନକୁ ଏଦିଗରେ ବିଧାୟକ ସମସ୍ତ ପ୍ରକାର ସ୍ୱାଧିନତା ପ୍ରଦାନ କରିଛନ୍ତି । କିନ୍ତୁ ଏହି ସୁଯୋଗର ଅପବ୍ୟବହାର କରି ଚାଲିଛନ୍ତି ପୌର କର୍ତ୍ତୃପକ୍ଷ । ଲକ୍ଷ ଲକ୍ଷ ଟଙ୍କା ସହରର ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେଉଛି । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ଗଛ ମରିବାକୁ ବସିଛି । ଫଳରେ ଏପରି ଏକ ମହତ୍ ଉଦ୍ଦେଶ୍ୟର ସୁଫଳ କାହାକୁ ମିଳୁ ନାହିଁ । ଗତ ବର୍ଷ ସହରର ମୁଖ୍ୟ ବନ୍ତ ଛକ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସହରର ମୁଖ୍ୟ ରାସ୍ତା ଡିଭାଇଡର ମଧ୍ୟବର୍ତ୍ତୀ ସ୍ଥାନରେ ବହୁ ସଂଖ୍ୟକ ସୌନ୍ଦର୍ଯ୍ୟବର୍ଦ୍ଧକ ଗଛ ଲଗା ଯାଇଥିଲା । ଏଥିପାଇଁ ପୌର ପ୍ରଶାସନ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲା । କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏଥିମଧ୍ୟରୁ ବହୁ ପରିମାଣର ଗଛ ମରିବାକୁ ବସିଲାଣି । ତେବେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ସୂଚନାନୁଯାୟୀ ଭଦ୍ରକ ସହରକୁ ଏକ ମଡେଲ ସହର ଗଢ଼ିବାକୁ ବର୍ତ୍ତମାନର ବିଧାୟକ ସଂଜୀବ ମଲ୍ଲିକ ନିଜ ନିର୍ବାଚନ ଇସ୍ତହାରରେ ଘୋଷଣା କରିଥିଲେ । ସେହି ଅନୁଯାୟୀ ସହରର ମହତାବ୍ ଷ୍ଟେଚ୍ୟୁ ଠାରୁ ଘୋଷରାବଜାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ବେଆଇନ ଦୋକାନକୁ ଉଛେଦ କରାଯାଇ ମୁଖ୍ୟ ରାସ୍ତାର ସଂପ୍ରସାରଣ କରାଯାଇଥିଲା ।

ବନ୍ତ ଛକ ଠାରୁ ରାନ୍ଦିଆ ବଜାର, ବାଇପାସ ଛକ ଠାରୁ ଇଛାପୁର ବଜାର, ବାଇପାସ ଠାରୁ ଚରମ୍ପା ଏପରିକି ଜାତୀୟ ରାଜପଥ ଉପରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି । ସେହିପରି ଗତ ୨ଦିନ ପୂର୍ବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ‘ଆଇ ଲଭ ଭଦ୍ରକ’ ସେଲଫି ପଏଣ୍ଟର ଉଦ୍‌ଘାଟନ କରାଯାଇଛି । ତେବେ ସୌନ୍ଦର୍ଯ୍ୟବୃଦ୍ଧି ପାଇିଁଁ ୨ବର୍ଷ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ଡେକୋରେଟିଭ ପ୍ଲାଣ୍ଟ ଲଗାଯାଇଥିଲା । ସହରର ମୁଖ୍ୟ ରାସ୍ତା ଡିଭାଇଡର ମଧ୍ୟବର୍ତ୍ତୀ ସ୍ଥାନ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ନାରେ ଏକ ଉଦ୍ୟାନ ମଧ୍ୟ ସୃଷ୍ଟି କରାଯାଇଥିଲା । ତେବେ ଭିକ୍ଷାବୃତ୍ତି କରୁଥିବା କିଛି ଅସହାୟ ବନ୍ତ ଛକ ଫ୍ଲାଏ ଓଭରବ୍ରିଜ୍ ତଳେ ଆଶ୍ରୟ ନେଉଥିବାବେଳେ, ସେମାନଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ କରି ଏହି ସ୍ଥାନରେ ବ୍ୟାରିକେଡ ନିର୍ମାଣ କରି ବହୁ ସଂଖ୍ୟକ କୁଣ୍ଡରେ ସୌନ୍ଦର୍ଯ୍ୟବର୍ଦ୍ଧକ ବୃକ୍ଷ ଲଗାଯାଇଥିଲା । ଏହାବ୍ୟତୀତ ଫ୍ଲାଏ ଓଭରବ୍ରିଜ୍‌ର ଉଭୟ ପାଶ୍ୱର୍ ୱାଲକୁ ପେଣ୍ଟିଂ ମଧ୍ୟ କରାଯାଇଥିଲା । ଏଥି ନିମତ୍ତ ପୌର କର୍ତ୍ତୃପକ୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ପ୍ରଥମେ କିଛି ଦିନ ଏସମସ୍ତ ଗଛର ଭଲ ଭାବରେ ଯତ୍ନ ନିଆଯାଇଥିଲା । ବନ୍ତ ଛକର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଲା । କିନ୍ତୁ ଇତିମଧ୍ୟରେ ପୌର କର୍ତ୍ତୃପକ୍ଷ ବନ୍ତ ଛକରେ ଲଗାଯାଇଥିବା ଗଛରେ ପାଣି ଦେବାକୁ ଭୂଲି ଯାଇଛନ୍ତି । ଫଳରେ ହଜାର ହଜାର ଟଙ୍କାର ସିମେଣ୍ଟ କୁଣ୍ଡ ସବୁ ଶୁଖିଲା ପଡ଼ିଥିବାବେଳେ, ଏôତରେ ଥିବା ଅଧିକାଂଶ ଗଛ ମରିଗଲାଣି । ପୌର କର୍ତ୍ତୃପକ୍ଷ କେବଳ କିପରି ଅର୍ଥର ବିନିଯୋଗ ହେବ ସେଥିପାଇଁ ଅଧିକ ଯତ୍ନଶୀଳ ହୋଇ ପଡ଼ୁଥିବାବେଳେ, ରକ୍ଷଣାବେକ୍ଷଣ ଦିଗ ପ୍ରତି ସ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି । ବିଶେଷକରି ସହରର ସଫେଇ ଓ ମଶାଧୂଆଁ ଛଡ଼ାଯାଉଥିବାର ଫଟୋ ଟ୍ୟୁଟରରେ ଛାଡ଼ି ବାହାବା ନେବାକୁ ଉଦ୍ୟମ ଚଳାଇଛି ପୌର ପ୍ରଶାସନ । ତେଣୁ ପୌରପାଳିକାର ପ୍ରଶାସକ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।