Odiapua.com

ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ଅଶ୍ଳୀଳ ଫଟୋ ଓ ଆପତ୍ତିଜନକ ମନ୍ତବ୍ୟ, ଏସ୍‌ପିଙ୍କୁ ଅଭିଯୋଗ କଲେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତା

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଗତକାଲିଠାରୁ ପ୍ରସାରିତ ହେଉଥିବା ହିନ୍ଦୁଦେବାଦେବୀଙ୍କର ଅତ୍ୟନ୍ତ ଅଶ୍ଳୀଳଫଟୋ ଏବଂ ଆପତ୍ତିଜନକ ମନ୍ତବ୍ୟ ଯୋଗୁଁ ହିନ୍ଦୁ ସମାଜ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ମା’ କାଳୀ, ମା’ ଦୁର୍ଗା, ଭଗବାନ ଶିବ, ପାର୍ବତୀ ଆଦି ଦେବାଦେବୀଙ୍କ ଫଟୋକୁ କମ୍ପ୍ୟୁଟର ସହାୟତାରେ ବିକୃତ କରି ଇନଷ୍ଟାଗ୍ରାମରେ ଛଡା ଯାଇଥିଲା । ଏହା ଲୋକଲୋଚନକୁ ଆସିବାପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏପରି ଏକ ସ୍ପର୍ଶକାତର ବିଷୟକୁ ନେଇ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗଦଳର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଆଜି ଏ ବିଷୟକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଥାନାରେ ଏତାଲା ଦିଆଯାଇ ଥିଲା । ଭଦ୍ରକ ପରି ଏକ ସମ୍ବେଦନଶୀଳ ଅଞ୍ଚଳରେ ଏହି ବିଷୟ ଅତ୍ୟନ୍ତ ବିପଦଜନକ ଅଟେ । କାରଣ ଏହିପରି ସମାନ ବିଷୟ ଯୋଗୁଁ ୨୦୧୭ ମହିସାରେ ଭଦ୍ରକରେ ଭୟଙ୍କର ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା । ଆଲୋଚନା ପରେ ଆରକ୍ଷୀ ଅଧିକ୍ଷକ ଏହି ବିଷୟ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ବିଶ୍ୱହିନ୍ଦୁ ପରିଷଦର ପ୍ରାପ୍ତ ପ୍ରଚାର ପ୍ରମୂଖ ମାନସ ମହାନ୍ତି, ବଜରଙ୍ଗ ଦଳର ପ୍ରାପ୍ତ ମିଳନକେନ୍ଦ୍ର ପ୍ରମୂଖ ବିପିନ ପଣ୍ଡା, ବିଶ୍ୱହିନ୍ଦୁ ପରିଷଦର ବିଭାଗ ସମ୍ପାଦକ ବିଜୟ ସିହ୍ନା, ତଥା ବସନ୍ତ କୁମାର ରାଉତ, ଜ୍ଞାନ ପ୍ରକାଶ ପାଣି, ଦେବାଶିଷ ଗ୍ରହାଚାର୍ଯ୍ୟ ପ୍ରମୂଖ ଯୋଗଦାନ କରିୁଥିଲେ ।