Odiapua.com

ସୋଧ ଯେନାସାହି କିର୍ତ୍ତନ ମଣ୍ଡପ କାର୍ଯ୍ୟ ନିର୍ମାଣକୁ ନେଇ ବିବାଦ ତେଜୁଛି

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ବିଗୁଲ ବାଜିଲାପରେ ଗାଁ ଗହଳିରେ ନେତାମାନେ ସକ୍ରିୟ ହୋଇ ଉଠିଲେଣି । ଭୋଟ ହାତେଇବା ପାଇଁ ଗାଁର ବି ବିଭିନ୍ନ ଦଳର କର୍ମୀମାନେ ମଧ୍ୟ ପ୍ରଚାର ଆରମ୍ଭ କରିଦେଲେଣି । ଗାଁ ଗାଁର ଏବେ ପୁରୁଣା କାମକୁ ମଧ୍ୟ ନୂଆ କରିବା ପାଇଁ ଦଳ ଦଳ ମଧ୍ୟରେ ବାଦ ବିବାଦ ଓ ଗଣ୍ଡଗୋଳ ଲାଗିଲାଣି । ପ୍ରକାଶ ଥାଉକି ଧାମନଗର ବ୍ଲକ ଦୋବଲ ପଂଚାୟତରେ ସୋଧ ଯେନା ସାହି ଗ୍ରାମର ଏକ କୀର୍ତ୍ତନ ମଣ୍ଡପ ନିର୍ମାଣକୁ ନେଇ ଆଜି ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଘନେଇଥିବାର ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶଯେ ସୋଧ ଯେନା ସାହି କୀର୍ତ୍ତନ ମଣ୍ଡପର ପୁର୍ନରୁଦ୍ଧାର ପାଇଁ ତତ୍କାଳୀନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ହାତପାଣ୍ଠୀରୁ ଏକ ଲକ୍ଷଟଙ୍କା ଦିଆଯାଇ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପରବର୍ତ୍ତି ସମୟରେ ଦୋବଲ ପଂଚାୟତ ପକ୍ଷରୁ ଦୁଇଲକ୍ଷ ଟଙ୍କା ଅନୁଦାନ ଦିଆଯାଇ କାର୍ଯ୍ୟମଧ୍ୟ କରାଯାଉଥିଲା ।

ହେଲେ ଗ୍ରାମର କିଛି ବ୍ୟକ୍ତି ଉକ୍ତ ନିର୍ମାଣଧିନ ଜାଗା ଜମିର ସମସ୍ୟା ନେଇ ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଉକ୍ତ କାର୍ଯ୍ୟ ବନ୍ଦ ରହିଥିଲା । ତେବେ ପୁଣି ନିର୍ବାଚନ ପାଖେଇ ଆସିବାରୁ ଆଉ ଦୁଇଲକ୍ଷ ଟଙ୍କା ପଂଚାୟତ ପକ୍ଷରୁ ଦିଆଯାଇ ଏବେ କାର୍ଯ୍ୟ ଆରମ୍ଭ ହେଉଥିବାବେଳେ ବିଧାୟକ ବିଷ୍ଣୁ ସେଠୀଙ୍କ ହାତପାଣ୍ଠୀରୁ ସେହି କୀର୍ତ୍ତନ ମଣ୍ଡପ ପାଇଁ ଏବେ ୨ଲକ୍ଷ ଟଙ୍କା ଦିଆଯାଇ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଆଜି ଦୁଇ ଗୋଷ୍ଠି ପକ୍ଷରୁ ଉକ୍ତ କାର୍ଯ୍ୟକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କହିଛନ୍ତିଯେ ଉକ୍ତ କୀର୍ତ୍ତନ ମଣ୍ଡପ ନିର୍ମାଣ ପାଇଁ ପ୍ରଥମ ଆସିଥିବା ଅର୍ଥର କାର୍ଯ୍ୟ ଶେଷ ହୋଇନଥିବାବେଳେ ପୁଣି ସେହି ମଣ୍ଡପକୁ ବିଧାୟକଙ୍କ ହାତପାଣ୍ଠୀରୁ ଦୁଇଲକ୍ଷ ଟଙ୍କା ଅର୍ଥ ବ୍ୟୟବରାଦ ହେଉଥିବାରୁ ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଉଛି । ପ୍ରକାଶ ଥାଉକି ପଂଚାୟତ ପକ୍ଷରୁ ଆସିଥିବା ୨ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପଂଚାୟତ ନିର୍ବାହୀ ଅଧିକାରୀ ଯୀତେନ୍ଦ୍ର କରଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ବିଧାୟକଙ୍କ ହାତପାଣ୍ଠୀରେ ଅର୍ଥର କାର୍ଯ୍ୟାଦେଶ ଅଶୋକ ପଣ୍ଡାଙ୍କ ନାମରେ ରହିଥିବାବେଳେ ଗ୍ରାମବାସୀଙ୍କ ଉପସ୍ଥିତିରେ ଆପୋସ ସମାଧାନ କରାଯାଇ କାର୍ଯ୍ୟ ଖୁବ୍‌ଶୀଘ୍ର କରାଯିବବୋଲି କନିଷ୍ଠ ଯନ୍ତ୍ରୀ ମଧ୍ୟ ପ୍ରକାଶ କରିଛନ୍ତି ।