Odiapua.com

ସେସୁ ୫୩ଟି ବ୍ୟବସାୟିକ ସଂସ୍ଥାରୁ ଆରମ୍ଭ କଲା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କାର୍ଯ୍ୟ

ଭୁବନେଶ୍ୱର ୧୬ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ରାଜ୍ୟର ଲକ୍ଷାଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ୧୯୭୧ କୋଟି ଟଙ୍କାର ବକେୟା ରହିଥିବା ଅଭିଯୋଗ କରି ସେସୁର ସିଇଓ ଅରୁଣ ବୋଥ୍ରା ଡିସେମ୍ବର ୧୧ରେ ବିଦ୍ୟୁତ୍ ପୈଠ କରିବା ପାଇଁ ଉପଭୋକ୍ତାଙ୍କୁ ଅନୁରୋଧ କରିଥିଲେ। ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମୀଳନି କରି କହିଥିଲେ ଉପଭୋକ୍ତାମାନେ ବକେୟା ବିଦ୍ୟୁତ ବିଲ ପୈଠ ନକଲେ ୧୬ ତାରିଖରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ। ସେସୁର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଏବଂ ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିବା ସେ କହିଥିଲେ । ବକେୟା ବିଲ ପୈଠ କରୁ ନ ଥିବା ଅଭିଯୋଗରେ ସେସୁ ଆଜି ଠାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଆରମ୍ଭ କରିଛି ।

 

ପ୍ରଥମେ ଖୋର୍ଦ୍ଧା ଅଞ୍ଚଳରୁ ବିଦ୍ୟୁତ କାଟିବା ଆରମ୍ଭ କରିଛି । ସେସୁ ପକ୍ଷରୁ ନିୟୋଜିତ ୩୯ ସ୍କାର୍ଡ ଦ୍ବାରା ଲାଇନ କଟା ଚାଲିଛି। ପ୍ରଥମ ପର୍ଯ୍ୟାୟରେ ସେସୁ ୫୩ଟି ବ୍ୟବସାୟିକ ସଂସ୍ଥାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛି। ବକେୟା ବିଦ୍ୟୁତ୍ ବିଲ ପୈଠ କରିବା ପାଇଁ ଉପଭୋକ୍ତାଙ୍କୁ ୧୫ ତାରିଖ ପର‌୍ୟ୍ୟନ୍ତ ସମୟ ସୀମା ଦିଆଯାଇଥିଲା। ସେସୁ ଆଜି ୮୦୦ ଉପଭୋକ୍ତାଙ୍କର ସଂଯୋଗ ବିଚ୍ଛିନ୍ନ କରିଥିବା ବେଳେ ୩କୋଟି ଟଙ୍କା ଆଦୟ ହୋଇଥିବା ଜଣା ପଡ଼ିଛି।ଆଜି ଠାରୁ ସେସୁର ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ୯ ଟି ଜିଲାରେ ବିଦ୍ୟୁତ ବକେୟା ଦେଇ ନ ଥିବା ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ୍ ବିଚ୍ଛିନ୍ନ କରଯିବ ବୋଲି ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ଏହା ସ୍ପଷ୍ଟ କରିଥିଲେ। ସେସୁ ପକ୍ଷରୁ ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ ଗ୍ରାମାଞ୍ଚଳ ର ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି ବିଲ ଦେବାକୁ, କିନ୍ତୁ ସେମାନେ ବିଦ୍ୟୁତ୍ ବିଲ ଦେଉନାହାନ୍ତି। ସେମାନଙ୍କ ବିଦ୍ୟୁତ କାଟ ପ୍ରଥମେ କରାଯିବ ବୋଲି କୁହାଯାଇଥିଲା। ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ସୂଚନା ଅନୁସାରେ ସମ୍ପୁର୍ଣ୍ଣ ଗାଁରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରି ଯେଉଁ ଉପଭୋକ୍ତା ବିଦ୍ୟୁତ୍ ବକେୟା ବିଲ ପୈଠ କରିନାହାନ୍ତି ସେମାନଙ୍କ ଘରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବ ବୋଲି ସୁଚନା ଦେଇଛନ୍ତି ।