Odiapua.com

ସେଲଫ୍ ଫାଇନାନ୍‌ସିଙ୍ଗ୍ କୋର୍ସ ବନ୍ଦ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ଏ.ଆଇ.ଏସ୍‌.ଏଫ୍‌. ପ୍ରତିନିଧି ଦଳ

ଭୁବନେଶ୍ୱର ୨୪ା୦୫ (ଓଡ଼ିଆ ପୁଅ) : ରାଜ୍ୟର ପ୍ରମୁଖ ତିନିଟି ବିଶ୍ୱବିଦ୍ୟାଳୟରେ ସେଲ୍ସ ଫାଇନାନ୍‌ସିଙ୍ଗ୍ କୋର୍ସ ଅର୍ଥାତ୍ ନିଜସ୍ୱ ଦେୟ କୋର୍ସକୁ ବନ୍ଦ କରିବା ନିଷ୍ପତ୍ତି ବିରୁଦ୍ଧରେ ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ ଯୁଗ୍ମ ସମ୍ପାଦକ ବିବେକ କୃଷ୍ଣଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରି କୋର୍ସ ଗୁଡ଼ିକୁ ନିୟମିତ କୋର୍ସ ଭାବେ ପରିଚାଳନା କରିବାକୁ ଦାବି କରିଛନ୍ତି। ଉଚ୍ଚଶିକ୍ଷା ଭିତ୍ତିରେ କର୍ମନିଯୁକ୍ତି ଅଥବା ଆତ୍ମନିର୍ଭରଶୀଳତାର ଅଧିକ ସମ୍ଭାବନା ଥିବା ବିଷୟଗୁଡ଼ିକ ନିୟମିତ କୋର୍ସ ଭାବେ ପ୍ରଚଳନ କରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଗତ ୩/୪ ଦଶନ୍ଧି ଧରି ଗୁରୁତ୍ୱ ଦେଇନଥିବାରୁ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନେ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତାକୁ ଆଖି ଆଗରେ ରଖି କେତେକ ଚାହିଦା ଥିବା ପାଠ୍ୟକ୍ରମକୁ ସେଲଫ୍ ଫାଇାନାନ୍‌ସିଙ୍ଗ୍ କୋର୍ସ ଭାବେ ପ୍ରଚଳନ କରିଆସିଛନ୍ତି। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଆବଶ୍ୟକୀୟ ପାଠ୍ୟ ଭିତ୍ତିଭୂମି, ପ୍ରଫେସର, ଆସୋସିଏସଟ୍ ପ୍ରଫେସର, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ନଥିବାରୁ ସେଲଫ୍ ଫାଇନାନ୍‌ସିଙ୍ଗ୍ କୋର୍ସ ପାଠ୍ୟକ୍ରମରେ ଥିବା ଆସନ ସଂଖ୍ୟାର ଶତକଡ଼ା ୮୦ଭାଗ ହ୍ରାସ କରିବା ପାଇଁ ରାଜଭବନରୁ ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଭୀର ନୈରାଶ୍ୟ ଦେଖାଦେଇଛି। ଏହାର ସୁଯୋଗ ନେଇ ଘରୋଇ ବିଶ୍ୱବିଦ୍ୟାଳୟମାନେ ଚାହିଦା ଥିବା ଏହି ପାଠ୍ୟକ୍ରମର ଦେୟକୁ ଅଧିକ ମାତ୍ରାରେ ବୃଦ୍ଧି କଲେଣି। ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ଉପରେ ନିର୍ଭରଶୀଳ ଥିବା ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର ମେଧାବୀ ଛାତ୍ରଛାତ୍ରୀମାନେ ଚାହିଦା ଥିବା ପାଠ୍ୟକ୍ରମ ଯଥା- ଡାଟା ସାଇନ୍ସ, ଏମ୍‌ଟେକ୍ କମ୍ପ୍ୟୁଟର ସାଇନ୍ସ, ରିମୋର୍ଟ ସେନ୍‌ସିଙ୍ଗ ଓ ଅନ୍ୟାନ୍ୟ ଚାହିଦା ଥିବା ପାଠ୍ୟକ୍ରମରେ କଟ୍‌ଅପ୍ ମାର୍କ ୮୦%ରୁ ଅଧିକ ରହୁଥିବାରୁ ଏଥିରେ ମେଧାବୀ ଛାତ୍ରଛାତ୍ରୀମାନେ ସୁଯୋଗ ପାଉଥିଲେ। ରାଜଭବନର ଏହି ନିର୍ଦ୍ଦେଶ ପରେ ପାଠପଢାର ସୁଯୋଗ ହରାଇବାର ଆଶଙ୍କାରେ ଅନେକ ଛାତ୍ରଛାତ୍ରୀ ନିରାଶ ହେଲେଣି ଓ ଆନ୍ଦୋଳନର ରାସ୍ତା ଆପଣାଇଲେଣି। ଏହି ପୃଷ୍ଠଭୂମିରେ ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ କମିଟି ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ସହ ଆନ୍ଦୋଳନାତ୍ମକ ରାସ୍ତା ଅବଲମ୍ବନ କରାଯାଇଛି। ଆଜି ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ କମିଟିର ପ୍ରତିନିଧି ଦଳ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ୍‌ଙ୍କୁ ସାକ୍ଷାତ କରି ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଚଳାଇ ଆସିଥିବା ସେଲଫ୍ ଫାଇନାନ୍‌ସିଙ୍ଗ୍ ପାଠ୍ୟକ୍ରମକୁ ଦେୟମୁକ୍ତ ଓ ନିୟମିତ ପାଠ୍ୟକ୍ରମରେ ପରିଣତ କରିବା ପାଇଁ ଦୃଢ ଦାବି ଉପସ୍ଥାପନ କରିଛନ୍ତି। ଏହି ଦାବିପତ୍ର ଗ୍ରହଣ କରି ପ୍ରଫେସର ଗଣେଶୀ ଲାଲ୍ ଛାତ୍ର ସମାଜର ଉଦ୍‌ବେଗକୁ ଗୁରୁତ୍ୱ ପ୍ରଦାନ କରିବା ସହ ସରକାର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଓ ସରକାରୀ ଶିକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବାରୁ ଛାତ୍ରସଂଘର ଏହି ଦାବି ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ ଯୁଗ୍ମ ସମ୍ପାଦକ ବିବେକ କୃଷ୍ଣ, ମନୋଜ କୁମାର କର ଓ ସୌମ୍ୟରଂଜନ ପୃଷ୍ଟି ଥିବା ବେଳେ ‘ଶିକ୍ଷା ବଞ୍ଚାଅ-ଓଡ଼ିଶା ବଞ୍ଚଅ ଅଭିଯାନ’ର ଉପଦେଷ୍ଟା ଜୟନ୍ତ ଦାସ ଉପସ୍ଥିତ ଥିଲେ। ଛାତ୍ର ପ୍ରତିନିଧିମାନେ ସମାଜର ଭବିଷ୍ୟତ ଶିକ୍ଷାନବିଷଙ୍କ ଭବିଷ୍ୟତ ସମ୍ପର୍କରେ ମହାମହିମ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି।