ବିଦ୍ୟୁତ ଦର ବୃଦ୍ଧି ହ୍ରାସ କରିବା ଏବଂ ଓଡିଶାର ସାଧାରଣ ଜନତାକୁ ନିରବିଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଇବା ଦାବିରେ ଆସନ୍ତାକାଲିଠୁ ୭ ଦିନ ଧରି ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବିଜେପି
ରାଜ୍ୟ ସରକାର ବିଦ୍ୟୁତ ବିଲରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ନିରୀହ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି
– ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଏବେ କଷ୍ଟରେ ଅଛନ୍ତି
– ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ଆସିଥିବା ହଜାର ହଜାର କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ରାଜ୍ୟ ସରକାର ହରିଲୁଟ୍ କରିଛନ୍ତି
– କେନ୍ଦ୍ରୀୟ ସହାୟତାକୁ କିଭଳି ଖର୍ଚ୍ଚ କରାଯାଇଛି, କେଉଁ ଠିକାଦାରକୁ କାମ ଦିଆଯାଇଛି ଏବଂ କେତେ ପରିମାଣରେ କାମ ହୋଇଛି ତାହାର ସବିଶେଷ ତଥ୍ୟ ଏକ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରନ୍ତୁ ରାଜ୍ୟ ସରକାର
– ରାଜ୍ୟରେ ୨୬ଟି ବଡ ଶିଳ୍ପ ସଂସ୍ଥା ଉପରେ ୨୯୪୯.୬୬ କୋଟି ଟଙ୍କାର ବିଦ୍ୟୁତ ବିଲ୍ ବକେୟା ପଡିଛି
– ୟୁନିଟ ପିଛା ୩ ଟଙ୍କା୨୧ରେ ବିଜୁଳି ବିକ୍ରି କରି ୩ ଟଙ୍କା ୮୧ରେ ବିଜୁଳି କିଣୁଛନ୍ତି ରାଜ୍ୟ ସରକାର
– ୩୩୨ଟି କମ୍ପାନୀ ଉପରେ ଜଳକର ବାବଦରେ ୫୧୫କୋଟିରୁ ଅଧିକ ଟଙ୍କା ଦୀର୍ଘ ଦିନରୁ ପଡି ରହିଛି ମାତ୍ର ଏହାକୁ ଆଦାୟ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି
– ରାଜ୍ୟରେ ଶିଳ୍ପ ବିକାଶ ପାଇଁ ବର୍ତମାନ ପ୍ରଚଳିତ ୟୁନିଟ ପିଛା ୫ଟଙ୍କା ୭୦ପଇସାର ଟାରିଫ ବଦଳରେ ଦେଶର ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜୁରାଟ ପରି ୪ଟଙ୍କା ୫୦କୁ କମ୍ କରନ୍ତୁ
– ଆନ୍ଧ୍ର ଓ ଗୁଜୁରାଟ ଭଳି ରାଜ୍ୟରେ ଅଣୁ କ୍ଷୁଦ୍ର ଶିଳ୍ପ ପାଇଁ ବିଶେଷ ରିହାତି ସହ ୟୁନିଟ ପିଛା ମୂଲ୍ୟ ୨ଟଙ୍କା ୬୦ପଇସା ଟାରିଫ୍ ଓଡିଶାରେ ଲାଗୁ କରନ୍ତୁ ରାଜ୍ୟ ସରକାର
– ବିଦ୍ୟୁତ ସଂଯୋଗ ନହୋଇ ମଧ୍ୟ ହଜାର ହଜାର ଟଙ୍କାର ବିଲ୍ ଆସୁଛି
– ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାୟ ୯ଟି ସରକାରୀ କଲେଜରେ ୫୦ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟୁତ ବିଲ ବାକି ପଡିଛି
ଭୁବନେଶ୍ୱର ୧୩ ଜୁଲାଇ (ଓଡ଼ିଆ ପୁଅ) କରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ ବିଲ ବୃଦ୍ଧି କରିବା ବୋଝ ଉପରେ ନଳିତା ବିଡା ସଦୃଶ। ଓଇଆରସିର ବିଦ୍ୟୁତ ଦର ବୃଦ୍ଧି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଏପ୍ରିଲ ୪, ୨୦୨୧ରୁ ରାଜ୍ୟ ସରକାର ବିଦ୍ୟୁତ ବିଲରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ନିରୀହ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପୂର୍ବରୁ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ବିଜେପି ବିଧାନସଭା ଗୃହ ଭିତରେ ଓ ବାହାରେ ପ୍ରତିବାଦ କରିବା ପରେ ବି ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେଲେ ନାହିଁ। ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ହଜାର ହଜାର କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଓଡିଶାକୁ ପ୍ରଦାନ କରାଯାଇଛି। କିନ୍ତୁ ରାଜ୍ୟ ସରକାର ଭିତିଭୂମି ସୁଦୃଢ ନକରି ଏହି ଅର୍ଥକୁ ହରିଲୁଟ୍ କରିଛନ୍ତି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଏବେ କଷ୍ଟରେ ଅଛନ୍ତି। ରାଜ୍ୟ ସରକାର ସେବା କମ୍୍ ଏବଂ ଟିକସ ଅଧିକା ନେବା ନୀତି ଆପଣାଇଛନ୍ତି। ବିଶେଷ କରି କରୋନା ମହାମାରୀ ସମୟରେ ବିଦ୍ୟୁତ ଦର ବୃଦ୍ଧି କରିବା ଆଦୌ ଗ୍ରହଣୀୟ ନୁହେଁ।
ବିଦ୍ୟୁତ ଦର ବୃଦ୍ଧି ହ୍ରାସ କରିବା ଏବଂ ଓଡିଶାର ସାଧାରଣ ଜନତାକୁ ନିରବିଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଇବା ଦାବିରେ ବିଜେପି ପକ୍ଷରୁ ସାଧାରଣ ଉପଭୋକ୍ତାଙ୍କୁ ସାଙ୍ଗରେ ଧରି ୭ ଦିନ ଧରି ସାରା ରାଜ୍ୟରେ ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ଆଗରେ ପ୍ରତିବାଦ କରାଯିବ ବୋଲି ଶ୍ରୀ ସମୀର ମହାନ୍ତି ଚେତାବନୀ ଦେଇଛନ୍ତି। ଆସନ୍ତାକାଲି ତଥା ଜୁଲାଇ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଚାଲୁ ରହିବ। ଏହା ସହ ବାତ୍ୟା ପରେ ପରେ ମିଳିଥିବା କେନ୍ଦ୍ରୀୟ ସହାୟତାକୁ କିଭଳି ଖର୍ଚ୍ଚ କରାଯାଇଛି, କେଉଁ ଠିକାଦାରକୁ କାମ ଦିଆଯାଇଛି ଏବଂ କେତେ ପରିମାଣରେ କାମ ହୋଇଛି ତାହାର ସବିଶେଷ ତଥ୍ୟ ଏକ ଶ୍ୱେତପତ୍ର ମାଧ୍ୟମରେ ରାଜ୍ୟ ସରକାର ପ୍ରକାଶ କରନ୍ତୁ। ବିଧାନସଭାରେ ରାଜ୍ୟ ସରକାର ଆଡଜନମେଂଟ ମୋସନର ଉତର ରଖି ବିଦ୍ୟୁତ ଦର କମାଇବା ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏବେ ପାଳନ କରନ୍ତୁ ଏବଂ ବର୍ଦ୍ଧିତ ଟାରିଫକୁ ରାଜ୍ୟ ସରକାର ତୁରନ୍ତ କମ୍ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।
ରାଜ୍ୟରେ ୨୬ଟି ବଡ ଶିଳ୍ପ ସଂସ୍ଥା ଉପରେ ୨୯୪୯.୬୬ କୋଟି ଟଙ୍କାର ବକେୟା ବିଦ୍ୟୁତ ବିଲ୍ ପଡି ରହିଛି। ରାଜ୍ୟ ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡଯନ୍ତ୍ରରେ ଏହି କମ୍ପାନୀମାନେ କୋର୍ଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ରୁଗ୍ନ କରିଦେଇଛନ୍ତି। ରାଜ୍ୟର ୪ଟି ବିଦ୍ୟୁତ ବିତରଣ କଂପାନୀ ଉପରେ ୫୪୧.୧୧ କୋଟି ଟଙ୍କା ବକେୟା ରହିଛି। ବାହାର ରାଜ୍ୟକୁ ଓଡିଶା ସରକାର ଯେଉଁ ବିଜୁଳି ବିକୁଛନ୍ତି ତାହାର ହାରାହାରି ୟୁନିଟ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି। ମାତ୍ର ବାହାର ରାଜ୍ୟ ମାନଙ୍କରୁ ଯେଉଁ ବିଜୁଳି ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ ପିଛା ହାରାହାରି ମୂଲ୍ୟ ୩ଟ ୮୧ପଇସା ରହିଛି। କିଣାବିକାରେ ଏହି ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ ହୋଇଛି। ରାଜ୍ୟର ୩୩୨ଟି କମ୍ପାନୀ ଉପରେ ଜଳକର ବାବଦରେ ୫୧୫କୋଟିରୁ ଅଧିକ ଟଙ୍କା ଦୀର୍ଘ ଦିନରୁ ପଡି ରହିଛି ମାତ୍ର ଏହାକୁ ଆଦାୟ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଏଚପିସିକୁ କମ ଦରରେ ବିଜୁଳି ଉତ୍ପାଦନ ପାଇଁ ୫୨୨୫କୋଟି ଟଙ୍କା ଜଳକର ଛାଡ କରାଯାଇଛି। ଏହା ପରେ ବି ବିଦ୍ୟୁତ୍ ନିୟାମକ ଆୟୋଗ ସାମ୍ନାରେ ଓଏଚପିସି ତରଫରୁ ବିଜୁଳି ଟାରିଫ୍ ରେ ବଡ ବୃଦ୍ଧି ପାଇଁ ଦାବି କରାଯିବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।
ଓଡିଶାରେ ଘରୋଇ ବିଦ୍ୟୁତ ଟାରିଫ ୟୁନିଟ୍ ପିଛା ପ୍ରଥମ ୫୦ୟୁନିଟ ପର୍ଯ୍ୟନ୍ତ ୨ଟ ୫୦ପଇସା ରହିଥିବା ବେଳେ ଦେଶର ସିକିମ, ଆନ୍ଧ୍ର, ତେଲେଙ୍ଗାନା, ଗୋଆ ଓ ଛତିଶଗଡରେ ଏହା ହାରାହାରି କମ୍ ରହିଛି। ଖାଉଟି ମାନଙ୍କର ବିଜୁଳି ଟାରିଫ୍ ଅପରିବର୍ତିତ ରଖିବା ସହ ରାଜ୍ୟର କୃଷକମାନଙ୍କୁ ଶାସକ ଦଳର ପ୍ରତିଶୃତି ଅନୁସାରେ ମାଗଣା ବିଜୁଳି ଯୋଗାଇ ଦିଅନ୍ତୁ। ରାଜ୍ୟରେ ଶିଳ୍ପ ବିକାଶ ପାଇଁ ବର୍ତମାନ ପ୍ରଚଳିତ ୟୁନିଟ ପିଛା ୫ଟଙ୍କା ୭୦ପଇସାର ଟାରିଫ ବଦଳରେ ଦେଶର ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜୁରାଟ ପରି ୪ଟଙ୍କା ୫୦କୁ କମ୍ କରନ୍ତୁ। ଆନ୍ଧ୍ର ଓ ଗୁଜୁରାଟ ଭଳି ରାଜ୍ୟରେ ଅଣୁ କ୍ଷୁଦ୍ର ଶିଳ୍ପ ପାଇଁ ବିଶେଷ ରିହାତି ସହ ୟୁନିଟ ପିଛା ମୂଲ୍ୟ ୨ଟଙ୍କା ୬୦ପଇସା ଟାରିଫ୍ ଓଡିଶାରେ ଲାଗୁ କରିବା ପାଇଁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।
ଲକ୍ଡାଉନ ସମୟରେ ବିଦ୍ୟୁତ କିଣିବା ପାଇଁ ଓଡିଶାର ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ) ଗୁଡିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ଦିଆଯାଇଥିବା ୮୪କୋଟି ଟଙ୍କାର ରିହାତି ଦିଆଯାଇଛି। ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନି ଗୁଡିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଅଧୀନରେ ଥିବା ଏନଏଚପିସି ୩.୭୮କୋଟି, ଏନଟିପିସି ୫୬.୮କୋଟି ଏବଂ ପିଜିସିଆଇଏଲ ପକ୍ଷରୁ ୨୪.୩୫କୋଟି ରିହାତି ଦିଆଯାଇଛି। କରୋନା ସମୟରେ ଉପଭୋକ୍ତା ମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ ସରବରାହ ହୋଇପାରିବା ଲକ୍ଷ୍ୟରେ ଏହି ଆର୍ଥିକ ରିହାତି ଦିଆଯାଇଛି। ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ) ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୫୪୧.୧୧ଟଙ୍କା ବକେୟା ଅଛି। ସେଥି ମଧ୍ୟରୁ ଟିପିସିଓଡିଏଲ ଉପରେ ୧୬୫.୫୫, ଟିପିଏସଓଡିଏଲ୍ ଉପରେ ୧୧.୫୩, ଟିପିଡବ୍ଲ୍ୟୁଓଡିଏଲ ଉପରେ ୧୪୦.୨୪ ଏବଂ ନେସ୍କୋ ଉପରେ ୨୨୩.୭୯କୋଟି କୋଟି ବକେୟା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଫନି ବାତ୍ୟା ସମୟରେ ସ୍ପେଶାଲ ରିଲିଫ୍ କମିଶନରଙ୍କ ଅଫିସରୁ ଶକ୍ତି ବିଭାଗକୁ ପାୱାର ସପ୍ଲାଏ ରିଷ୍ଟୋର କରିବା ପାଇଁ ୭୨୮ କୋଟି ଦିଆଯାଇଥିଲା। କିନ୍ତୁ ଶକ୍ତି ବିଭାଗ ମୋଟ ୭୦୧କୋଟି ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କୁ ରିଲିଜ୍ କରିଥିଲେ। ସେଥିମଧ୍ୟରୁ ନେସ୍କୋ ୩୪୩କୋଟି ଖର୍ଚ୍ଚର ବିବରଣୀ ଶକ୍ତି ବିଭାଗକୁ ପ୍ରଦାନ କରିଥିବା ବେଳେ ଟିପିଡବ୍ଲୁଓଡିଏଲ ଓ ନେସ୍କୋ ବଳକା ଅର୍ଥ ଶକ୍ତି ବିଭାଗକୁ ଫେରାଇ ନାହାଁନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ରାଜ୍ୟରେ ଅନେକ ସ୍ଥାନରେ ବିଦ୍ୟୁତ ସଂଯୋଗ ନହୋଇ ମଧ୍ୟ ହଜାର ହଜାର ଟଙ୍କାର ବିଲ୍ ଆସୁଛି। ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ ଡିପ ବୋର ୱେଲ ଗଭୀର ନଳକୂପ ଖନନ କରିଥିଲେ। ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ ତାର ମଧ୍ୟ ଟଣା ହୋଇଛି। କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି। ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ। ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ବୌଦ୍ଧ ସଦର ବ୍ଲକ ବ୍ରାହ୍ମଣିପାଲି ପଂଚାୟତରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ବୌଦ୍ଧ ଉଠାଜଳସେଚନ ବିଭାଗ ପକ୍ଷରୁ ୨୦୧୪-୧୫ ମସିହାରେ ଜମିକୁ ଜଳସେଚନ କରିବା ପାଇଁ ଗଭୀର କୂଅ ଖନନ କରାଯାଇଥିଲା। ହେଲେ ମୋଟର ବସିନି କି ବିଦ୍ୟୁତ ମଧ୍ୟ ସଂଯୋଗ ହୋଇନି। ଏହା ପରେ ବି ୧୨ଜଣ ଚାଷୀଙ୍କ ନାଁରେ ଲକ୍ଷାଧିକ ଟଙ୍କାର ବିଲ୍ ଆସିଛି।
କାଶଲପୁର ଗ୍ରାମର ଚାଷୀ ରମେଶ ପ୍ରସାଦ ଦାଶ କୂଅ ଖୋଳି ଚାଷ କରିବେ ଆଶା କରିଥିଲେ। ହେଲେ କୂଅ ଖୋଳିଥିଲେ ବି ମୋଟର ଲାଗିନି। ହେଲେ ଛଅ ବର୍ଷ ପରେ ଆସିଛି ୫୮ହଜାର ଟଙ୍କାର ବିଦ୍ୟୁତ ବିଲ। ରମେଶଙ୍କ ପରି ୧୨ଜଣ ଚାଷୀଙ୍କ ସମାନ ଅବସ୍ଥା। କିଏ ୫ଏକର ଚାଷ ପାଇଁ ତ କିଏ ୧୦ଏକର ଚାଷ ଜମିରେ ଜଳସେଚନ ସୁବିଧା ପାଇଁ ଆବେଦନ କରିଥିଲେ। ବର୍ତମାନ ୬ବର୍ଷ ପରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ଆସିବାରୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। କରୋନା ପାଇଁ ଦୀର୍ଘ ଦୁଇବର୍ଷ ହେଲା ଲକଡାଉନ ସଟଡାଉନ ହେବା ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏବେ ପୁଣି ଚାଷୀମାନଙ୍କ ନାମରେ କାହାର ୫୮ହଜାର ଟଙ୍କା ତ କାହାର ୪୦ହଜାର ଟଙ୍କାର ବିଦ୍ୟୁତ ବିଲ ଆସିଛି। ସରକାର ଗରିବ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିଲେ ସୁଦ୍ଧା ବାସ୍ତବରେ ଏହା କାର୍ଯ୍ୟକାରୀ ହେଉନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସରକାରୀ କଲେଜରେ ଲକ୍ଷ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ବାକି ପଡିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାୟ ୯ଟି ସରକାରୀ କଲେଜରେ ୫୦ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟୁତ ବିଲ ବାକି ପଡିଛି। ଏନେଇ ବିଦ୍ୟୁତ ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି। ଗତ ଜୁନ ୮ତାରିଖରେ ଟିପିସିଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନେକ ସରକାରୀ କଲେଜରେ ବିଦ୍ୟୁତ୍ ବିଲ୍ ଉପରେ ବହୁମୂଲ୍ୟ ଦେୟ ରହିଛି ବୋଲି ଚିଠି ଲେଖିଥିଲେ। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ କଲେଜ ଗୁଡିକରୁ ବିଦ୍ୟୁତ ବିଲ ପୈଠ କରିବାକୁ ଅନୁରୋଧ କରାଯାଇଛି। ଯଦି କୌଣସି କଲେଜରେ ପାଣ୍ଠିର ଅଭାବ ଅଛି, ତେବେ ପାଣ୍ଠିର ଆବଶ୍ୟକତା ସହିତ ବିଭାଗକୁ ରିପୋର୍ଟ ଦାଖଲ କରିବାକୁ ଚିଠିରେ ଉଲ୍ଲେଖ ହୋଇଛି। ରାଜ୍ୟରେ ୯ଟି କଲେଜ ଯଥା ବିଜେବି କଲେଜ, ରାଜଧାନୀ କଲେଜ, ପୁରୀ ଏସସିଏସ କଲେଜ, ଢେଙ୍କାନାଳ ସ୍ୱୟଂଶାସିତ କଲେଜ, ଶୈଳବାଳା ମହିଳା ମହାବିଦ୍ୟାଳୟ, ଅନୁଗୁଳ ସ୍ୱୟଂଶାସିତ କଲେଜ, ଜେକେବିକେ ଡିଗ୍ରୀ କଲେଜ, ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ବିଦ୍ୟୁତ ବିଲ୍ ବକେୟା ରହିଛି। ତେବେ ସୂଚନା ମୁତାବକ ଅନୁଗୁଳରେ ୧୧ଲକ୍ଷ ୭୧ହଜାର ୭୩୨ଟଙ୍କା ବାକି ଥିବାବେଳେ କଟକରେ ପଡିଛି ୫ଲକ୍ଷ ୮୨ହଜାର ୬୧୪ଟଙ୍କା। ସେହିପରି ଢେଙ୍କାନାଳରେ ୫ଲକ୍ଷ ୭୯ ହଜାର ୩୨୯, କେନ୍ଦ୍ରାପଡାରେ ୪ଲକ୍ଷ ୭୯ହଜାର ୮୭୦, ଖୋର୍ଦ୍ଧାରେ ୮ଲକ୍ଷ ୪୯ହଜାର ୮୨ଟଙ୍କା ବାକି ପଡିଥିବା ପୁରୀରେ ପଡିଛି ୧୪ଲକ୍ଷ ୬୬ହଜାର ୫୩୩ଟଙ୍କା। ମୋଟ ଆକାରରେ ୫୧ଲକ୍ଷ ୨୯ହଜାର ୧୪୯ଟଙ୍କା ବିଦ୍ୟୁତ ବିଲ୍ ବିଭିନ୍ନ କଲେଜରେ ବାକି ପଡିଛି। ରାଜ୍ୟ ସରକାର ଏହି ବିଲ୍ ଦେୟ କରିବା ସହ ବିଦ୍ୟୁତ ଦର ହ୍ରାସ କରିବା ପାଇଁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।
ଏହି ଅବସରରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ମୁଖ୍ୟପାତ୍ର ବିରଂଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।