Odiapua.com

ସେବାୟତଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ନେଇ ପୁନଃ ଗଣନା କରାଯିବ

ପୁରୀ, ୧୯/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀଜଗନ୍ନାଥ ମନ୍ଦିର ସେବାୟତମାନଙ୍କ ସାମାଜିକ, ଅର୍ଥନୈତିକ ସର୍ବେକ୍ଷଣ ସମ୍ପର୍କରେ ତାଲିମ ଶିବିର ସ୍ଥାନୀୟ ଭକ୍ତ ନିବାସ ଠରେ ଅନୁଷ୍ଠିତ ହୋଇଯାଇଛି। ୨୦୧୩ରେ ସେବାୟତ ଜନଗଣନା କରାଯାଇଥିଲା। ଏବେ ପୁନଃ ଜନଗଣନା କରାଯିବ। ନବକୃଷ୍ଣ ଚୈାଧୁରୀ ସେଣ୍ଟର ଫର ଡ଼େଭଲପମେଣ୍ଟ ଷ୍ଟଡ଼ିସ୍ ତରଫରୁ ସେବାୟତମାନଙ୍କ ସୋସିଓ ଇକୋନୋମି ଷ୍ଟାଟସକୁ ନେଇ ପୁନଃ ଗଣନା କରାଯିବ। ଯେଉଁଥିରେ ସାମିଲ ହେବେ ୫୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ। ସେପଟେ ଏହା କାର୍ଯ୍ୟକାରୀ ହେଲେ ସେବାୟତମାନଙ୍କ ଦୀର୍ଘମୀଆଦୀ ଯୋଜନା ଉପଲବ୍ଧ ହୋଇପାରିବ। ଅନ୍ୟପଟେ ଏହା କେତେଦୂର କାର୍ଯ୍ୟକାରୀ ହୋଇପାରିବ ସେନେଇ ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି। କେବେ ଗରିବ ସେବାୟତଙ୍କ ପାଇଁ ନିର୍ମାଣ ହେବ ଘର। ଗତ ଆର୍ଥିକ ବର୍ଷ ବଜେଟରେ ସେବାୟତଙ୍କ ପାଇଁ ମାଟିତୋଟାରେ ଘର ଓ ତାଙ୍କ ପିଲାଙ୍କ ପାଠ ପଢ଼ିବା ପାଇଁ ଗୁରୁକୂଳ ନିର୍ମାଣ କରିବା ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା ନାଲିଫିତା ତଳେ ରହିଯାଇଥିବା ମନେ ହେଉଛି। କୋଭିଡ଼ କଟକଣା ପାଇଁ ଗତ ମାର୍ଚ୍ଚ ମାସରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିବାବେଳେ ଅଧଇକାଂଶ ସେବାୟତଙ୍କ ଆର୍ଥିକ ଅବସ୍ଥା ଦୟନୀୟ ହୋଇପଡ଼ିଛି। ସେବାୟତମାନେ ଏବେ ଆର୍ଥିକ ଅନାଟନରେ କାଳାତିପାତ କରୁଥିବା ବେଳେ ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି। ତେଣୁ ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାଇ ଯଥାଶୀଘ୍ର ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ଆବାସିକ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି। ୨୦୧୩ ମସିହାରେ ନବକୃଷ୍ଣ ସେଣ୍ଟର ଫର ଡ଼େଭଲପମେଣ୍ଟ ଷ୍ଟଡ଼ିଜ ପକ୍ଷରୁ ସେବାୟତଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଇଥିଲା। ପ୍ରାୟ ୨୨୩୬ ସେବାୟତ ପରିବାର ଥିବା ବେଳେ ୯୫୫୮ ଜଣ ସେବାୟତ ରହିଥିବା ଜଣାପଡ଼ିଛି। ତେବେ ହୋଇଥିବା ସର୍ଭେରେ ଅନେକ ତ୍ରୁଟି ରହିଥିବା ବେଳେ ଆଉଥରେ ସର୍ଭେ କରାଯାଇ ଆସନ୍ତା ୩ ମାସ ମଧ୍ୟରେ ଶେଷ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେଥିପାଇଁ ଆଜି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଭକ୍ତ ନିବାସରେ ତାଲିମ ଶିବର କରାଯାଇଛି। ସେବାୟତଙ୍କ ସଂଖ୍ୟା, ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା, ଅନ୍ୟ ବୃତ୍ତି ଓ ଆର୍ଥିକସ୍ଥିତି ମାନଦଣ୍ଡକୁ ନେଇ ଭବିଷ୍ୟତରେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରାଯିବ। ସେବାୟତଙ୍କ ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହଯୋଗରେ ୨୫୦ ଟି ହାଉସିଂ ନିର୍ମାଣ ହେବ। ଅନେକ ସେବାୟତ ସାହିରେ ଗୋଟିଏ ଗୋଟିଏ ଘରେ ୧୦-୧୫ ପରିବାର ବହୁ କଷ୍ଟରେ ରହୁଥିବା ନଜରକୁ ଆସିଛି। ଅନେକ ସେବାୟତ ପରିବାରକୁ ଘର ଯୋଗାଇବା ଚର୍ଚ୍ଚା ହୋଇଆସୁଛି। ତେବେ ଏହା ଦ୍ୱାରା ସେବାୟତମାନେ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ବଲବନ୍ଦ ସିଂ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀମନ୍ଦିର ସେବାୟତମାନଙ୍କ ପାଇଁ ବାସ୍ତବରେ ଏ ଯୋଜନା କେବେ ଓ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।