ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀକଳର ନିୟମ, ନିର୍ଦ୍ଦେଶ ଓ ସାହିତ୍ୟ, ସଂସ୍କୃତିକୁ ସମ୍ମାନ ଦେଇ ନିଜର କର୍ତବ୍ୟକୁ ଗୁରୁତ୍ୱ ଦେଇ ନିରହଂକାର କାର୍ଯ୍ୟଦକ୍ଷତା , ଲୋକାଭିମୁଖୀ ଆଚରଣରେ ଦୁଃଖୀ ମଣିଷର ବନ୍ଧୁ ଭାବରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ସମ୍ପନ୍ନ କରି ଭଦ୍ରକବାସୀଙ୍କ ହୃଦୟ ଜୟ କରିପାରିଥିବାରୁ ଭଦ୍ରକର ଲୋକପ୍ରିୟ ଜିଲ୍ଲାପାଳ ଡ. ଦିଲୀପ ରାଉତରାଏଙ୍କୁ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଭଦ୍ରକ ଜିଲ୍ଲା ମହୋତ୍ସବର କର୍ମକର୍ତାମାନେ “ସେବାଗୌରବ ସମ୍ମାନ”ରେ ସମ୍ମାନିତ କରିଛନ୍ତି। ଭଦ୍ରକ ଜିଲ୍ଲା ମହୋତ୍ସବର ସଭାପତି ଓଡ଼ିଆ ଭାଷା ସାହିତ୍ୟ ବିଶେଷଜ୍ଞ ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଭଦ୍ରକର ଲୋକପ୍ରିୟ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଦ୍ରକର ଐତିହ୍ୟ, ସଂସ୍କୃତି ,ପରମ୍ପରା ଓ କିମ୍ବଦନ୍ତୀ ସମ୍ପର୍କରେ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟ ଦକ୍ଷତା ଓ ନିରହଂକାର ଜୀବନଶୈଳୀ ଉପରେ ଭାବାବେଗ ବକ୍ତବ୍ୟ ରଖୁଥିଲେ। ଏହି ଅବସରରେ ମୁଁ ଓଡ଼ିଆ ପ୍ରତିଷ୍ଠାନ, ସଂଗ୍ରାମୀ ମାୟାଧର ସ୍ମୃତି କମିଟି, ଓଁକାର ଫାଉଣ୍ଡେସନ, ଦେବଦୂତ ଫାଉଣ୍ଡେସନ, ଓଡ଼ିଶା ରାଜ୍ୟ ପୂଜ୍ୟ ପୂଜା ପରିଷଦ ଏବଂ ଗୁରୁଜ୍ଞାନ ଏକାଡେମୀର କର୍ମକର୍ତାମାନେ ମାନ୍ୟବର ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଂଗ୍ରାମୀ ମାୟାଧର ଦାସ ସ୍ମୃତି କମିଟି ପକ୍ଷରୁ ଏହି ସ୍ୱତନ୍ତ୍ର ସଭାରେ ଜିଲ୍ଲାପାଳଙ୍କୁ ” ଭଦ୍ରକଗୌରବ ସମ୍ମାନ”ରେ ସମ୍ମାନିତ କରାଯାଇଥିବା ବେଳେ ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କ ସମ୍ପାଦିତ ” କନିକା ପ୍ରଜା ଆନ୍ଦୋଳନର କର୍ମବୀର ସଂଗ୍ରାମୀ ମାୟାଧର” ପୁସ୍ତକ ଜିଲ୍ଲାପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଭଦ୍ରକ ଜିଲ୍ଲା ମହୋତ୍ସବର କାର୍ଯ୍ୟକାରୀ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ, ଉପ ସଭାପତି ପ୍ରମୋଦ ରାୟ, ଅରୁଣ କୁମାର ମଲ୍ଲିକ, ସାଧାରଣ ସମ୍ପାଦକ ଏସ୍ ସତ୍ୟଭୂଷଣ ସ୍ୱାମୀ, ସାଂସ୍କୃତିକ ସଂଯୋଜକ ପ୍ରଶାନ୍ତ କୁମାର ତ୍ରିପାଠୀ, ଗୋପାଳ ଚନ୍ଦ୍ର ସାହୁ, ସାବିତ୍ରୀ ସେଠୀ, ଅନିତା ରାୟ , ଓଁକାର ଫାଉଣ୍ଡେସନର ଆବାହକ କ୍ୟାପଟେନ୍ ଓଁକାର, ଦେବବ୍ରତ ଫାଉଣ୍ଡେସନର ଆବାହକ ଦୀପ୍ତିମୟୀ ଦାସ, ସଂଗ୍ରାମୀ ମାୟାଧର ଦାସ ସ୍ମୃତି କମିଟିର ସମ୍ପାଦକ ବଂଶୀଧର ଦାସ, ଜଗା ଚାକର ସଂଗଠନର ସମାଜସେବୀ ଗୀତାଞ୍ଜଳି ଅଗସ୍ତି, ବରିଷ୍ଠ ସାମ୍ବାଦିକ ତପନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ଭଦ୍ରକ ଜିଲ୍ଲା ମହୋତ୍ସବର କାର୍ଯ୍ୟକାରୀ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥିବା ମାନପତ୍ର ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପାଲି ନାୟକ, ଶଙ୍କର ରାୟ, ମିତାଲି ବେହେରା, ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧନାର ଉତର ଦେଇ ଜିଲ୍ଲାପାଳ ଦିଲୀପ ରାଉତରାଏ କହିଥିଲେ ” ଭଦ୍ରକବାସୀଙ୍କ ଅନାବିଳ ଭଲପାଇବାକୁ ମୁଁ ଜୀବନର ଅନ୍ତିମ ପର୍ଯ୍ୟନ୍ତ ଭୁଲି ପାରିବି ନାହିଁ। ” ଶେଷରେ ସମାଜସେବୀ ଗୀତାଞ୍ଜଳି ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ।