Odiapua.com

ସେନା ମୁଖ୍ୟାଳୟ ପୁନର୍ଗଠନ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଞ୍ଜୁରି

– ସେନା ପ୍ରମୁଖଙ୍କ ଅଧୀନରେ କାର୍ଯ୍ୟକ୍ଷମ ହେବ ସ୍ୱତନ୍ତ୍ର ଭିଜିଲାନ୍ସ ସେଲ
– ସ୍ୱତନ୍ତ୍ର ମାନବାଧିକାର ବିଭାଗ ପ୍ରତିଷ୍ଠା ନିଷ୍ପତି

ନୂଆ ଦିଲ୍ଲୀ ୨୩-୮ (ଓଡ଼ିଆ ପୁଅ) ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସେନା ମୁଖ୍ୟାଳୟ ପୁନର୍ଗଠନ ସଂକ୍ରାନ୍ତରେ କେତେକ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ସେନା ମୁଖ୍ୟାଳୟ ପକ୍ଷରୁ ବିସ୍ତୃତ ଅନ୍ତରୀଣ ଅନୁଧ୍ୟାନ ଆଧାରରେ ଏହି ମଞ୍ଜୁରି ମିଳିଛି। ମଞ୍ଜୁରିପ୍ରାପ୍ତ ପ୍ରସ୍ତାବ ମଧ୍ୟରେ ରହିଛି :

(କ) ତିନି ସେନାର ପ୍ରତିନିଧିତ୍ୱ ସହିତ ସେନା ପ୍ରମୁଖ (ସିଓଏଏସ)ଙ୍କ ଅଧୀନରେ ଏକ ପୃଥକ ଭିଜିଲାନ୍ସ ସେଲ : ବର୍ତମାନ ଭିନ୍ନ ଭିନ୍ନ ଏଜେନ୍ସି ମାଧ୍ୟମରେ ସେନା ପ୍ରମୁଖଙ୍କ ଲାଗି ଭିଜିଲାନ୍ସ ସଂକ୍ରାନ୍ତ କାର୍ଯ୍ୟକଳାପ କରାଯାଉଛି। ଏଥିରେ କୌଣସି ଗୋଟିଏ ଏଜେନ୍ସିର ହସ୍ତକ୍ଷେପ ନାହିଁ। ଏଣିକି ସେନା ପ୍ରମୁଖଙ୍କ ଅଧୀନରେ ଏକ ସ୍ୱତନ୍ତ୍ର ଭିଜିଲାନ୍ସ ସେଲ କାର୍ଯ୍ୟକ୍ଷମ କରାଯିବ। ଏଥିପାଇଁ ସେନା ପ୍ରମୁଖଙ୍କ ଅଧୀନରେ ପ୍ରତ୍ୟକ୍ଷ ଭାବେ ଜଣେ ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଅବସ୍ଥାପିତ କରାଯିବ। ଏଥିରେ କର୍ଣ୍ଣେଲ ପାହ୍ୟାର ତିନି ଜଣ ଅଧିକାରୀ (ଭାରତୀୟ ସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ମଧ୍ୟରୁ ଜଣେ ଲେଖାଏଁ ଅଧିକାରୀ) ସାମିଲ ହେବେ। ଏହା ସେନା ମୁଖ୍ୟାଳୟର ବର୍ତମାନ ପଦବୀ ଅନ୍ତର୍ଗତ କରାଯିବ।

(ଖ)ମାନବାଧିକାର ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଉପ-ସେନା ପ୍ରମୁଖଙ୍କ ଅଧୀନରେ କେନ୍ଦ୍ରୀୟ ସଂଗଠନ : ମାନବାଧିକାର ସହ ଜଡ଼ିତ ପ୍ରସଙ୍ଗ ଓ ମୂଲ୍ୟବୋଧକୁ ଉଚ୍ଚ ପ୍ରାଥମିକତା ଦେବା ଲାଗି ସିଧାସଳଖ ଉପ ସେନା ପ୍ରମୁଖଙ୍କ ଅଧୀନରେ ଅତିରିକ୍ତ ମହାନିର୍ଦ୍ଦେଶକ (ମେଜର ଜେନେରାଲ ପାହ୍ୟାର ଅଧିକାରୀ)ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ମାନବାଧିକାର ବିଭାଗ ପ୍ରତିଷ୍ଠା କରାଯିବା ଲାଗି ନିଷ୍ପତି ନିଆଯାଇଛି। ଏହା ଯେକୌଣସି ପ୍ରକାର ମାନବାଧିକାର ଉଲ୍ଲଙ୍ଘନ ସମ୍ବନ୍ଧୀୟ ରିପୋର୍ଟ ଯାଂଚ କରିବା ଲାଗି ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ପାରଦର୍ଶିତା ଏବଂ ସର୍ବଶ୍ରେଷ୍ଠ ଯାଂଚ ବିଶେଷଜ୍ଞତା ସୁନିଶ୍ଚିତ କରିବା ଲାଗି ବିଭାଗରେ ଏସଏସପି/ଏସପି ପାହ୍ୟାର ଜଣେ ପୋଲିସ ଅଧିକାରୀଙ୍କୁ ଡେପୁଟେସନରେ ନିଯୁକ୍ତି ଦିଆଯିବ।

(ଗ) ଫିଲ୍ଡ ଆର୍ମି ଫର୍ମେସନ/ୟୁନିଟରେ ସେନା ମୁଖ୍ୟାଳୟର ୨୦୬ ଜଣ ସେନାଅଧିକାରୀଙ୍କୁ ଅବସ୍ଥାପିତ କରାଯିବ- ସେନା ମୁଖ୍ୟାଳୟରୁ ମୋଟ ୨୦୬ଜଣ ଅଧିକାରୀଙ୍କୁ କାର୍ଯ୍ୟ ଅନୁକୂଳ କରାଇ ସେମାନଙ୍କୁ ଫିଲ୍ଡ ଆର୍ମି ଫର୍ମେସନ/ୟୁନିଟରେ ଅତିରିକ୍ତ ଭାବେ ନିୟୋଜିତ କରାଯିବ। ଏହି ୨୦୬ ଜଣ ଅଧିକାରୀଙ୍କ ମଧ୍ୟରେ ୩ ଜଣ ମେଜର ଜେନେରାଲ, ୮ଜଣ ବ୍ରିଗେଡିୟର, ୯ ଜଣ କର୍ଣ୍ଣେଲ, ୧୮୬ ଜଣ କର୍ଣ୍ଣେଲ/ମେଜର ପାହ୍ୟାର ଅଧିକାରୀ ଅଛନ୍ତି।