Odiapua.com

ସୂର୍ଯ୍ୟପୁର ମୌଜାରେ ପ୍ରସ୍ତାବିତ ଠିପିବନ୍ଦ ବିଦେଶୀ ମଦ ଦୋକାନ ଖୋଲାକୁ ବିରୋଧ, ଜିଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକରେ ତଦନ୍ତ ନିଷ୍ପତ୍ତି

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଧାମନଗର ନିର୍ବାଚନ ମଣ୍ଡଳୀର ଧୁଷୁରୀ ପଂଚାୟତର ସୂର୍ଯ୍ୟପୁର ମୌଜାରେ ଏକ ପ୍ରସ୍ତାବିତ ଭାରତ ତିଆରି ଠିପିବନ୍ଦ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି । ଏବଂ ଖୋଲାଯିବାକୁ ଥିବା ଏହି ମଦ ଦୋକାନ ବିରୁଦ୍ଧରେ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ୨ ଟି ପଂଚାୟତର ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନ ଡାକରା ପରେ ଜିଲା ପ୍ରଶାସନ ପକ୍ଷରୁ ଆଜି ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଉପଜିଲାପାଳ ପୀତାମ୍ବର ସାମଲ, ଜିଲା ଅବକାରୀ ବିଭାଗ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସ, ଗୁଇନ୍ଦା ବିଭାଗ ଡିଏସ୍‌ପି କମଳଲୋଚନ ଭୂୟାଁ, ଧାମନଗର ଡିଏସ୍‌ପି ବିଜୟ କୁମାର ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଆନ୍ଦୋଳନର ଡାକରା ଦେଇଥିବା ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଜିଲା କୃଷକ ନେତା ଚନ୍ଦ୍ରଶେଖର ନାୟକ, ହସନାବାଦ ପଂଚାୟତର ସରପଞ୍ଚ ଗୌତମ ନାୟକ, ପୂର୍ବତନ ସରପଞ୍ଚ କମଳାକାନ୍ତ ପୁହାଣ, ସମାଜସେବୀ ବିନୋଦ ବିହାରୀ ନାୟକ, ପ୍ରଦୀପ ଜେନା, ସନ୍ତୋଷ ବିଶ୍ୱାଳ ଓ ପ୍ରଶାନ୍ତ ଜେନା ପ୍ରମୁଖ ଯୋଗଦେଇ ଧୁଷୁରୀ ପଂଚାୟତରେ ଥିବା ସୂର୍ଯ୍ୟପୁର ମୌଜାର ପ୍ଲଟ୍ ନଂ ୨୪୦୨ / ୩୨୫୬, ଖାତା ନଂ ୭୯୨/୧୪୮ ସ୍ଥାନରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରିଥିଲେ ।

ସେମାନଙ୍କ ଅଭିଯୋଗ ମୂଳେ ପାଇଆ ସାହି ଠାରୁ ଅସ୍ତକ ଯାଇଥିବା ପ୍ରଧାନମନ୍ତ୍ରୀ ସଡକ ପାଶ୍ୱର୍ସ୍ଥ ୩୦ ରୁ ୪୦ ଫୁଟ୍ ବ୍ୟବଧାନରେ ପ୍ରସ୍ତାବିତ ଉକ୍ତ ଠିପିବନ୍ଦ ବିଦେଶୀ ମଦ ଦୋକାନ ଖୋଲାଗଲେ ଏହା ନିକଟରେ ଥିବା ୨ଟି କଲେଜ ଓ ହାଇସ୍କୁଲକୁ ଆସୁଥିବା ଶତାଧିକ ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ହେବେ । ଏବଂ ୮/୧୦ ଟି ପଂଚାୟତର ଉଭୟ ହିନ୍ଦୁ ଓ ମୁସଲମାନ ବ୍ୟକ୍ତିବିଶେଷ ଉକ୍ତ ରାସ୍ତା ଦେଇ ଯାତାୟତ କରିଆସୁଥିବାବେଳେ ମଦ ଦୋକାନଟି ଖୋଲାଗଲେ ସେଠାରେ ଅସାମାଜିକ ମଦ୍ୟପମାନଙ୍କ ଆଡ୍ଡା ଜମିବା ସହ ଝିଅବୋହୂ, ଛାତ୍ରଛାତ୍ରୀ ଓ ବୃଦ୍ଧବୃଦ୍ଧାମାନେ ସେମାନଙ୍କ ଆକ୍ରୋଶର ସମ୍ମୁଖୀନ ହେବେ । ଏହାଫଳରେ ଉକ୍ତ ସ୍ଥାନରେ ସଦାସର୍ବଦା ଗଣ୍ଡଗୋଳ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେବ । ବିଶେଷକରି ସ୍ଥାନୀୟ ଲୋକେ ସେହି ରାସ୍ତା ଦେଇ ନିଜ ନିଜର ଚାଷଜମିକୁ ଯାତାୟତ କରିଆସୁଥିବାବେଳେ ମଦ ଦୋକାନଟି ଖୋଲାଗଲେ ଚାଷକାର୍ଯ୍ୟରେ ମଧ୍ୟ ବାଧା ଉପୁଜିବ । ଜିଲା ପ୍ରଶାସନ ପକ୍ଷରୁ ଉପସ୍ଥିତ ସମସ୍ତ ପଦାଧିକାରୀ ସେମାନଙ୍କ ଅଭିଯୋଗକୁ ହୃଦୟଙ୍ଗମ କରିଥିଲେ । ଏବଂ ସମସ୍ତଙ୍କ ସହମତି କ୍ରମେ ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ଖୁବଶୀଘ୍ର ଜିଲା ଅବକାରୀ ଅଧୀକ୍ଷକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ଟିମ୍ କ୍ଷେତ୍ରୀୟ ତଦନ୍ତ କରି ଲୋକଙ୍କ ଅଭିଯୋଗର ଶୁଣାଣି ପରେ ଉକ୍ତ ମଦ ଦୋକାନ ଖୋଲାଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ତେବେ ଉକ୍ତ ମଦ ଦୋକାନ ସେଠାରେ କୌଣସି ପରିସ୍ଥିତିରେ ଖୋଲାଯିବାକୁ ଦିଆଯିବ ନାହିଁ ବୋଲି କୃଷକ ନେତା ଶ୍ରୀ ନାୟକ ଗଣମାଧ୍ୟମକୁ କହିଛନ୍ତି ।