Odiapua.com

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି : ରାତିସାରା ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧା ମୂର୍ତ୍ତୀ

ପୁରୀ, ୨୬/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିରଳ ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଗତକାଲି ରାତିରେ ଠାକୁରଙ୍କର ପହୁଡ ନହୋଇ ଚତୁର୍ଦ୍ଧା ମୂର୍ତି ତଡପଲାଗି ବେସରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ। ଆଜି ପ୍ରତ୍ୟୁଷରୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କର ଏହି ବେସ ଦର୍ଶନ କରିଥିଲେ। ପରାଗ ସମୟରେ ଅନ୍ୟାନ୍ୟ ଦେବାଦେବୀ ଙ୍କ ଦେବନୀତି ବନ୍ଦ ଥିବାବେଳେ ଜଗତର ନାତ ଜଗନ୍ନାଥଙ୍କର ପରାଗ ସ୍ପର୍ଷ ହେବାପରେ ଠାକୁର ମାନଙ୍କର ସ୍ୱତନ୍ତ୍ର ନୀତି ଆରମ୍ବ ହୋଇ ପ୍ରଥମେ ପରାଗ ମହାସ୍ନାନ କରାଯାଇଥିଲା। ଏହାପରେ ଅନ୍ୟାନ୍ୟ ନୀତି ଆରମ୍ବ ହୋଇଥିଲା। ପ୍ରଥମେ ଶ୍ରୀଜିଉ ମାନଙ୍କୁ କୋରାଖଇ ଭୋଗ କରାଯାଇଥିଲା। ଏହାପରେ ପହିଲି ଭୋଗ, ସକାଳ ଧୂପ, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ, ଦ୍ୱିତୀୟ ଭୋଗ ମଣ୍ଡପ ନୀତି ୩ଟା ୧୫ମିନିଟ ମଧ୍ୟରେ ସମ୍ପନ୍ନ ହୋଇଥିଲା। ସଂଧ୍ୟା ଆଲତୀ ୫ଟା୧୦ ମିନିଟ ରେ କରାଯାଇଥିଲା। ଗ୍ରହଣ ମୋଖ୍ୟ ହେବାପରେ ତ୍ରୀର୍ଥ ଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଭକ୍ତ ମାନେ ମହୋଦଧି ଓ ବିଭିନ୍ନ ତୀର୍ଥ ପୁଷ୍କରିନୀ ରେ ସ୍ନାନ କରି ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ଦେବାଦେବୀ ମନ୍ଦିରକୁ ଯାଇ ଠାକୁର ମାନଙ୍କୁ ଦର୍ଶନ କରିଥିଲେ। ଗୃହସ୍ଥ ମାନେ ଘରେ ସେମାନଙ୍କର ପୂଜାପୁଜି ଆରମ୍ଭ କରିଥିଲେ। ଆଜି ଆକାଶ ମେଘାଛ୍‌ନ ଓ କୋହଲା ପାଗ ଥିବାରୁ ସୂର୍ଯ୍ୟ ପରାଗ ବହୁ ଲୋକ ଦେଖିପାରିନଥିଲେ।ଚଳିତ ବର୍ଷର ଏହା ଶେଷ ‌ସୂର୍ଯ୍ୟପରାଗ ଥିଲା।