ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମହାନ୍ତିପଡା ପଚାଂୟତରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପକ୍ଷରୁ ଶିଳ୍ପୀ କାରିଗରଙ୍କୁ ସ୍ୱାବଲମ୍ବୀ କରିବା ନେଇ ସୂଜନିକା ଗୃହ ପାଇଁ ଅର୍ଥ ଯୋଗାଇ ଦେଇଛନ୍ତି । ଏହି ଗୃହରେ ଏକାଧିକ ଶିଳ୍ପୀ କାରିଗର ନିଜର କାର୍ଯ୍ୟ କରିବା ସହ ସାମଗ୍ରୀକୁ ଗଚ୍ଛିତ ରଖିପାରିବେ । ଏହାକୁ ଦୃଷ୍ଟିରେ ରଖି ସରକାର ଅର୍ଥ ଯୋଗାଇ ଦେଇଥିବା ବେଳେ ଏହି ଅର୍ଥ ବର୍ଷାଧିକ କାଳ ପଡି କାର୍ଯ୍ୟାରମ୍ଭ ନହେବା ପ୍ରତିବାଦରେ ଆଜି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ଶତାଧିକ ଟେରାକୋଟା ଶିଳ୍ପୀ ଜିଲ୍ଲାପାଳ ଓ ଜିଲ୍ଲା ହସ୍ତଶିଳ୍ପ ସହ ନିର୍ଦ୍ଦେଶକଙ୍କୁ ଭେଟି ତୁରନ୍ତ ସୁଜନିକା ଗୃହ ଆରମ୍ଭ କରିବାକୁ ନିବେଦନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ମହାନ୍ତିପଡା ପଚାଂୟତର ତ୍ରିସାଲିଆ, କୁଣ୍ଡି, ବଉଳଢିହ, ମହାନ୍ତିପଡା ଆଦି ଗ୍ରାମରେ ୩ ଶହରୁ ଉର୍ଦ୍ଧ ଟେରାକୋଟା ଶିଳ୍ପୀ ରହିଛନ୍ତି । ଦୀର୍ଘବର୍ଷ ଧରି ଶିଳ୍ପୀ ମାନେ ମାଟିରେ ନିର୍ମିତ ବିଭିନ୍ନ ମୂର୍ତୀ, କଣ୍ଢେଇ,ମାଟିଦୀପ, ଚା ଗ୍ଲାସ୍, ଫୁଲଦାନୀ ଆଦି ବ୍ୟବହାର ସାମଗ୍ରୀ ପ୍ରସ୍ତୁତ କରି ସରକାରୀ ପ୍ରଦଶର୍ନୀ ସହ ବଜାରରେ ବିକ୍ରୟ ବଟା କରି ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ସୂଜନିକା ଗୃହ ନଥିବାରୁ ତାଲିମ୍, ବଜାର ବିକ୍ରୟ, ବାହ୍ୟ ଜ୍ଞାନ ଆହରଣ ସାଙ୍ଗକୁ ଉତ୍ପାଦିତ ଦ୍ରବ୍ୟର ମାନ ବୃଦ୍ଧି ଘଟି ପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ଏଠାରେ ସାଧାରଣ ସୁବିଧାକେନ୍ଦ୍ର ‘ସୂଜନିକା’ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଢ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୁବିଧା କେନ୍ଦ୍ରରେ ଶିଳ୍ପୀ ମାନଙ୍କର ଦକ୍ଷତା ବିକାଶ ପାଇଁ ଉନ୍ନତ ଯନ୍ତ୍ରପାତି, ବ୍ୟବହାର ଏବଂ ବିକ୍ରୀ ବଟାର ସୁବିଧା ନିମିତ ଏହି ଗୃହ ସହାୟକ ହୋଇ ପାରିବା ସହ ମହିଳା ମାନେ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହୋଇ ପାରିବେ । ଏଠାରେ ଥିବା ପଚାଂୟତ କାର୍ଯ୍ୟାଳୟ ପାଶ୍ୱର୍ରେ ଥିବା ପ୍ଲଟ୍ ନଂ ୩୧୧୦,ଖାତା ନଂ ୮୧୯ ରେ ଥିବା ଏକ ଏକର ୨୪ ଡିସମିଲ୍ ସରକାରୀ ଜମି ମଧ୍ୟରୁ ୨୩ ଡିସମିଲ୍ ଜମି ଚିହ୍ନଟ ହୋଇ ଗୃହ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ରୀୟ ତଦନ୍ତ ପରେ ତହସିଲ୍ କର୍ତୁପକ୍ଷଙ୍କୁ ଜମି ଯୋଗାଇ ଦେବା ନେଇ ଆବେଦନ ହୋଇସାରିଛି । ମାତ୍ର ତହସିଲ୍ କର୍ତୁପକ୍ଷ ଅଦ୍ୟାବଧି ଜମି ଯୋଗାଇ ଦେଇ ପାରି ନଥିବାରୁ କାର୍ଯ୍ୟାରମ୍ଭ ଆଗେଇ ପାରୁ ନାହିଁ । ଦୀର୍ଘମାସ ଧରି ଅର୍ଥ ପଡି ରହିଥିବାରୁ ଏହା ଏବେ ଫେରି ଯିବାକୁ ବସିଲାଣି । ଉପରୋକ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଜି ସଂପୃକ୍ତ ପଚାଂୟତର କାରିଗର ଶିଳ୍ପୀ ଗୌରୀ ରଣା, ନୟନା ବେହେରା, ପାର୍ବତୀ ବେହେରା, ମଞ୍ଜୁଲତା ମୁଦୁଲି, ବାସନ୍ତି ବେହେରା,ପ୍ରତିମା ମୁଦୁଲି,ଉଷାଲତା ବେହେରା, ତିଳୋତମା ବେହେରା, ଛବିରାଣୀ ସାହୁ, ପଙ୍କଜିନୀ ସାହୁ, ସାବିତ୍ରୀ ମୁଦୁଲି, ଅନ୍ନପୂର୍ଣ୍ଣା ସାହୁ, ବିନିତା ବେହେରା,କୁନ୍ତଳା ବେହେରା, କାମିନୀ ସାହୁ, ସତ୍ୟଭାମା ବେହେରା, ମାଳତୀ ବେହେରା,ମାମିନା ବେହେରା, ରୀନା ସାହୁ, ରୀନା ବେହେରା,ବୁଲ ମୁଦୁଲି, ତୁଳସୀ ମୁଦୁଲି ପ୍ରମୁଖଙ୍କ ନେତୃତ୍ୱରେ ମହିଳା ମାନେ ଜିଲ୍ଲାପାଳ ଓ ହସ୍ତଶିଳ୍ପ ସହ ନିର୍ଦ୍ଦେଶକଙ୍କୁ ଭେଟିଥିଲେ । ପ୍ରକାଶଥାଉକି ଜିଲ୍ଲାରେ ପ୍ରଥମ ଥର ପାଇଁ ସାଧାରଣ ସୁବିଧା କେନ୍ଦ୍ର ‘ସୂଜନିକା’ପାଇଁ ଅର୍ଥ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ତେବେ ସ୍ଥାନୀୟ ସରପଚଂ ପଚାଂୟତ ପାଶ୍ୱର୍ରେ ଥିବା ସରକାରୀ ଜାଗାକୁ ଛାଡିବାକୁ ନାରାଜ ହେଉଥିବା ଶୁଣିବାକୁ ମିଳୁଛି । ଆଜି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବନ୍ତ ତହସିଲ୍ଦାରଙ୍କ ସହ କଥା ହୋଇ ତୁରନ୍ତ ପ୍ରସ୍ତାବିତ ଜମି ଯୋଗାଇ ଦେବାକୁ ତାଗିଦ୍ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ହସ୍ତଶିଳ୍ପ ସହ-ନିର୍ଦ୍ଦେଶକ ପ୍ରକାଶ ମିଶ୍ର କହନ୍ତି,ଜମି ଯୋଗାଇ ଦେଲେ ତୁରନ୍ତ ବିଭାଗ ପକ୍ଷରୁ କାର୍ଯ୍ୟାରମ୍ଭ କରାଯିବ ।