Odiapua.com

ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ, ୨୧ରେ ଭଦ୍ରକ କଲେଜ ପଡ଼ିଆରେ ଜନସମାବେଶ ଓ ବିକାଶ ମେଳା

ଭଦ୍ରକ,୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରାଜ୍ୟ ସରକାରଙ୍କ ଫଳପ୍ରସୂ ପଦକ୍ଷେପ ଏବଂ ପ୍ରଣୀତ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଆଧାରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଜନସମାବେଶ ଓ ବିକାଶ ମେଳା ଆୟୋଜନ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଏହି କାର୍ଯ୍ୟକ୍ରମର ରୂପରେଖ ନିର୍ଦ୍ଧାରଣ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରିକୃତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉଚ୍ଚ ଶିକ୍ଷା, ଯୁବସେବା ଓ କ୍ରୀଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି । ଷ୍ଟଲ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦ୍‌ଘାଟନୀ ଦିବସରେ ୫ହଜାରରୁ ଉର୍ଦ୍ଧ୍ୱ ଜନ ସମାଗମର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ବ୍ୟବସ୍ଥା କରାଯାଉଛି । ସରକାରଙ୍କ ଦ୍ୱାରା ପ୍ରଣୀତ ବହୁବିଧ କଲ୍ୟାଣକାରୀ ଦିଗ ଗୁଡ଼ିକ ସମ୍ପର୍କରେ ଜନସଚେତନତା ସୃଷ୍ଟି କରି ରାଜ୍ୟ ସରକାରଙ୍କୁ ଲୋକଙ୍କ ନିକଟତର କରିବା ଦିଗରେ ଏହି ମେଳା ବିଶେଷ ସହାୟକ ହେବ ବୋଲି ମନେକରାଯାଏ ।