Odiapua.com

ସୂଚନା ଫଳକ ଅଛି ହେଲେ ଗୋଷ୍ଠୀ କେନ୍ଦ୍ର ଗାଏବ୍!

କୋଦଳା :୧୩/୦୬ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଉନ୍ନୟନ ମୂଳକ କାମ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବିଧି ବ୍ୟବସ୍ଥା ରହିଥିଲେ ମଧ୍ୟ କିଛି ଅସାଧୁ କର୍ମଚାରୀ ଓ ବ୍ୟକ୍ତି ଆଇନକୁ ଫାଙ୍କି ବେଆଇନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ଉନ୍ନୟନ କାର୍ଯ୍ୟ ନାମରେ ବେଆଇନ କାର୍ଯ୍ୟ ହେଉଥିବା ଅଭିଯୋଗ ଆସିଛି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ନାମରେ ପାଣ୍ଠିକୁ ହଡ଼ପ କରିବାକୁ ପ୍ରାୟୋଜିତ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ୨୦୧୮ – ୧୯ ଆର୍ଥିକ ବର୍ଷରେ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଠାରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ସୂଚନା ଫଳକ ତିଆରି ହୋଇଛି। ଆମ ଗାଁ ଆମ ବିକାଶ ଯୋଜନାରେ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଗୋଷ୍ଠୀ କେନ୍ଦ୍ରର କାର୍ଯ୍ୟ ତା ୨୦ ଫେବୃଆରୀ ୨୦୧୯ ରୁ ଆରମ୍ଭ ହୋଇଥିବା କଥା ଏହି ସୂଚନା ଫଳକରେ ଉଲ୍ଲେଖ ରହିଛି। ତେବେ ବାସ୍ତବରେ ଏହି ଗ୍ରାମରେ କୌଣସି ଗୋଷ୍ଠୀ କେନ୍ଦ୍ର ନିର୍ମାଣ ହୋଇନଥିବା କଥା ଅନୁସନ୍ଧାନ ବେଳେ ଜଣାପଡିଛି। ଗ୍ରାମବାସୀଙ୍କ କହିବା କଥା ଫେବୃଆରୀ ମାସରୁ ଏହି ଫଳକ ଲେଖା ହୋଇଥିବା ବେଳେ କି କାମ କେଉଁଠି ହେବ ସେମାନଙ୍କୁ ଜଣା ନାହିଁ। ଦୀର୍ଘ ୪ ମାସ ଧରି ଫଳକ ଲେଖାଯିବା ଓ କାର୍ଯ୍ୟ ନ ହେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅପରପକ୍ଷେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ନାମରେ ଫଲସ୍ ବିଲ୍ ଘଟଣାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ହେଉଛି।