Odiapua.com

ସୂଚନା ପ୍ରଦାନରେ ଅବହେଳା, ଦୁଇ ଅଧିକାରୀଙ୍କୁ ୧୦ ହଜାର ଲେଖାଏଁ ଜୋରିମାନା

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂଚନା ପ୍ରଦନ କରିବାରେ ଅବହେଳା ପ୍ରଦର୍ଶନ କରିଥିବାରୁ ଭଦ୍ରକ ଜିଲାର ଧାମନଗର ବ୍ଲକର କୋଠାର ଗ୍ରାମ ପଂଚାୟତର ପୂର୍ବତନ ସୂଚନା ଅଧିକାରୀ ଓ ଧାମନଗର ବ୍ଲକର ପୂର୍ବତନ କେସିୟରଙ୍କୁ ରାଜ୍ୟ ସୂଚନା ଆୟୁକ୍ତ ସୁକାନ୍ତ କୁମାର ମହାନ୍ତି ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଛନ୍ତି । ସୂଚନା ଅନୁସାରେ ଭଦ୍ରକ ଜିଲା ନୂଆହାଟ ବାସିନ୍ଦା ଶ୍ରୀକାନ୍ତ ପୃଷ୍ଟି ଗତ ୭.୬.୨୦ରେ ଭଦ୍ରକ ବିଡ଼ିଓ ଅଫିସରେ କେତେକ ସୂଚନା ପାଇଁ ଆବେଦନ କରିଥିଲେ । ନିର୍ଦ୍ଧାରିତ ସମୟରେ ସୂଚନା ନ ମିଳିବାରୁ ସେ ସେଠାରେ ପ୍ରଥମ ଅପିଲ କରିଥିଲେ । ତଥାପି ତାଙ୍କୁ ସୂଚନା ମିଳିନଥିଲା । ଗତ ୧୬.୧୨.୨୦୨୪ରେ ଧାମନଗର ବିଡ଼ିଓ ଜଣାଇଥିଲେ ଯେ କୋଠାର ଗ୍ରାମ ପଂଚାୟତ ଅଫିସକୁ ଟ୍ରାନଫର କରାଯାଇଥିଲା । ଆୟୁକ୍ତଙ୍କ ହସ୍ତକ୍ଷେପ ଫଳରେ କୋଠାର ଗ୍ରାମ ପଂଚାୟତର ପୂର୍ବତନ କ୍ୟାସିୟର ସାହା ନଜରୁଲ ରହମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଆବେଦନକାରୀକୁ ୧୫.୧୧.୨୦୨୫ରେ ପ୍ରଦାନ କରାଯାଇଥିଲା । ନିର୍ଦ୍ଧାରିତ ସମୟର ସୂଚନା ପ୍ରଦାନ କରିବାରେ ବିଳମ୍ବ ସଂପର୍କରେ କୌଣସି ସନ୍ତୋଷଜନକ ଉତର ଏହି ୨ଜଣ ଅଧିକାରୀ ପ୍ରଦାନ କରିପାରିନଥିଲେ । ଫଳରେ ଶ୍ରୀକାନ୍ତ ଦାସ ଓ ସାହା ନଜରୁଲ ରହମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି । ଏକ ମାସ ମଧ୍ୟରେ ଏହି ଅର୍ଥ ସରକାରୀ ତହସିଲରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଅର୍ଥ ପୈଠ ନ କରିଲେ ଉଭୟଙ୍କ ଦରମାରୁ ଏହି ଅର୍ଥ ଆଦାୟ କରିବାକୁ ଆୟୁକ୍ତ ଉଚ୍ଚ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।