Odiapua.com

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଗଣମାଧ୍ୟମ (ଏୱାଇଡିଏମଏସ) ସମ୍ମାନ

– ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ
– ଯୋଗାଭ୍ୟାସ ହେଉଛି ନୂତନ ଭାରତର ମନ୍ତ୍ର: ପ୍ରକାଶ ଜାଭଡେକର

ନୂଆ ଦିଲ୍ଲୀ ୧୩-୬ (ଓଡ଼ିଆ ପୁଅ) ଭାରତରେ ଓ ବିଦେଶରେ ଯୋଗର ପ୍ରଚାର ଓ ପ୍ରସାର ପାଇଁ ଗଣମାଧ୍ୟମର ସକାରାତ୍ମକ ଭୂମିକା ଓ ଦାୟିତ୍ୱର ସ୍ୱୀକୃତି ସ୍ୱରୂପ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ସମ୍ମାନ (ଏୱାଇଡିଏମଏସ) ପ୍ରଦାନ କରାଯିବ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଯୋଗାଭ୍ୟାସ ଏବଂ ଯୋଗର ପ୍ରସାର ଫଳରେ ସୁସ୍ଥ ଓ ନିରାମୟ ଜୀବନ ସମ୍ଭବ ହୋଇପାରିଛି। ଯୋଗ ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱକୁ ଭାରତର ଉପହାର ଏବଂ ଏହା ନୂତନ ଭାରତର ମନ୍ତ୍ର। ଯୋଗକୁ ଜାତିସଂଘ ସ୍ୱୀକୃତି ପ୍ରଦାନ କରିଛି ଏବଂ ସମ୍ପ୍ରତି ପ୍ରତ୍ୟେକ ବର୍ଷ ଜୁନ ୨୧ରେ ବିଶ୍ୱବ୍ୟାପୀ ପ୍ରାୟ ୨୦୦ ଦେଶରେ ଏହାର ଅଭ୍ୟାସ କରାଯାଉଛି।

ନିମ୍ନଲିଖିତ ବର୍ଗରେ ଗଣମାଧ୍ୟମମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ଛାପା ଓ ଇଲେକ୍ଟ୍ରୋନିକ (ଟେଲିଭିଜନ ଓ ରେଡିଓ) ଗଣମାଧ୍ୟମକୁ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ସମ୍ମାନ (ଏୱାଇଡିଏମଏସ) ପ୍ରଦାନ କରାଯିବ। ୩ଟି ବର୍ଗରେ ୩୩ଟି ସମ୍ମାନ ପ୍ରଦାନ କରାଯିବ। ‘ଖବରକାଗଜରେ ଶ୍ରେଷ୍ଠ ଯୋଗ ପ୍ରଚାର’ ବର୍ଗରେ ୨୨ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ଟି ପୁରସ୍କାର ପ୍ରଦାନ କରାଯିବ। ‘ଟେଲିଭିଜନରେ ଯୋଗ ପ୍ରଚାର’ ବର୍ଗରେ ୨୨ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ଟି ସମ୍ମାନ ପ୍ରଦାନ କରାଯିବ।

‘ରେଡିଓରେ ଯୋଗ ପ୍ରଚାର’ ବର୍ଗରେ ୨୨ଟି ଭାରତୀୟ ଭାଷା ଏବଂ ଇଂରାଜୀ ଭାଷାରେ ୧୧ଟି ସମ୍ମାନ ପ୍ରଦାନ କରାଯିବ। ଏହି ପୁରସ୍କାରରେ ଏକ ସ୍ୱତନ୍ତ୍ର ମେଡାଲ, ଫଳକ, ଟ୍ରଫି ଏବଂ ପ୍ରଶଂସାପତ୍ର ପ୍ରଦାନ କରାଯିବ। ଏୱାଇଡିଏମଏସ ପାଇଁ କଭରେଜର ସମୟ ରହିବ ୨୦୧୯ ଜୁନ ୧୦ରୁ ଜୁନ ୨୫। ଯୋଗକୁ ଲୋକପ୍ରିୟ କରିବା ପାଇଁ ୬ ଜଣିଆ ବିଚାରକ କମିଟି ଦ୍ୱାରା ଗଣମାଧ୍ୟମମାନଙ୍କର ଭୂମିକା ବିଚାର କରାଯିବ।

ପୁରସ୍କାର ବିଜୟୀଙ୍କ ନାମ ଘୋଷଣା କରାଯିବା ପରେ ପରବର୍ତ୍ତୀ ସମୟରେ ସୁବିଧା ମୁତାବକ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ସମ୍ମାନ (ଏୱାଇଡିଏମଏସ) ଉତ୍ସବର ଆୟୋଜନ କରାଯିବ। ପ୍ରାୟତଃ ଏହି ପୁରସ୍କାର ଉତ୍ସବ ୨୦୧୯ ଜୁଲାଇ ମାସରେ ଆୟୋଜନ ହେବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଏହି ଘୋଷଣା କରିବା ସମୟରେ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଖାରେ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।