Odiapua.com

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଜନ ସଚେତନତା ଅଭିଯାନ

ନୂଆ ଦିଲ୍ଲୀ ୨୯-୧୦ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଆଂଚଳିକ ଜନସମ୍ପର୍କ ବ୍ୟୁରୋ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଭୁବନେଶ୍ୱରରେ ଏକ ତିନିଦିନିଆ ଜନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ଚକେଇଶିଆଣିସ୍ଥିତ ଡି.ଏନ କ୍ଲବ ପଡିଆରେ ଆସନ୍ତା ଅକ୍ଟୋବର ୩୧ରେ ଆରମ୍ଭ ହୋଇ ୨ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ।

ଅକ୍ଟୋବର ୩୧ରେ ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ସକାଳ ୯ଟାରେ ଏକତା ଦୌଡର ଆୟୋଜନ କରାଯିବ। ଅପରାହ୍ନରେ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ କରିବେ।

ନଭେମ୍ବର ୧ରେ ସ୍ୱଚ୍ଛତା ହିଁ ସେବା ଏବଂ ଫିଟ ଇଣ୍ଡିଆ ଅଭିଯାନ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ବିଶିଷ୍ଟ ଲେଖକ ଡଃ ବନୋଜ ତ୍ରିପାଠୀ, ସାମାଜିକ କର୍ମୀ ଡଃ ପ୍ରଭାସ ମିଶ୍ର, ପୂର୍ବତଟ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶ୍ରୀ ଜ୍ୟୋତି ପ୍ରକାଶ ମିଶ୍ର, ଏସ.ସି.ବି ମେଡିକାଲ କଲେଜର ଡଃ ରବି ଶତପଥୀ ପ୍ରମୁଖ ଯୋଗଦେବେ।

ନଭେମ୍ବର ୨ରେ ଉଦ୍ୟାପନୀ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଓଡିଶା ବିଧାନ ସଭାର ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାୟକ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୀତାଂଶୁ କୁମାର ରାଉତ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ତିନିଦିନିଆ ସମାରୋହରେ ରାଷ୍ଟ୍ରୀୟ ଏକତା ଦିବସ ଏବଂ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କିତ ଏକ ବିଶାଳ ମଲ୍ଟିମିଡିଆ ପ୍ରଦର୍ଶନୀର ଆୟୋଜନ କରାଯିବ। ଏହି ପ୍ରଦର୍ଶନୀ ପ୍ରତ୍ୟହ ସକାଳ ୧୧ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଗୀତ ଓ ନାଟକ ବିଭାଗର କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସୂଚନା ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।