Odiapua.com

ସୂଚନା ଅଧିକାର ଆଇନକୁ ଫାଙ୍କିଲେ, କମିଶନଙ୍କ ନିର୍ଦ୍ଦେଶ ପରେ ଦେଲେ ସମସ୍ତ ତଥ୍ୟ

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂଚନା ଅଧିକାର ଆଇନକୁ ଫାଙ୍କି ଚାଲିଛନ୍ତି ସରକାରୀ ଅଧିକାରୀ । ଯିଏ ଯେମିତି ପାରିଲା ବିଭିନ୍ନ ଆଳ ଦେଖାଇ ତଥ୍ୟ ପ୍ରଦାନ କରୁ ନାହାନ୍ତି । ବେଳେବେଳେ ତଥ୍ୟ ପ୍ରଦାନ ପାଇଁ ବହୁ ପରିମାଣର ଅର୍ଥ ଜମା କରିବାକୁ କହୁଛନ୍ତି । ଏହାକୁ ଦେଇ ନପାରି ସେମାନେ ଚୁପ ବସୁଛନ୍ତି । କେତେକ ତଥ୍ୟ ନପାଇ ଚୁପ୍ ବସୁଥିବାବେଳେ, ସତ୍ୟର ସନ୍ଧାନରେ ଥିବା କିଛି ବ୍ୟକ୍ତି ଫାଷ୍ଟ ଏପିଲେଟ ଅଥରିଟି ଓ ପରେ ସୂଚନା କମିଶନରଙ୍କ ଦ୍ୱାରସ୍ଥ ହେଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ତଥ୍ୟ ଅନୁଯାୟୀ ଭଦ୍ରକ ପୌରାଞ୍ଚଳ ଜଗନ୍ନାଥପୁର ଗ୍ରାମର ବିକାଶ ଧଳ ସୂଚନା ଅଧିକାର ଆଇନ-୨୦୦୫ ଆଧାରରେ ଗତ ୨୦୧୯ ମସିହା ନଭେମ୍ବର ମାସ ୪ ତାରିଖରେ ବନ୍ତ ବ୍ଲକ ଛୟାଳସିଂ ବରହମପୁରସ୍ଥିତ ବରଜୁ ପୁରୁଷୋତ୍ତମପୁର ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ, ନିଯୁକ୍ତି ସମୟରେ ଉକ୍ତ ବିଦ୍ୟାଳୟର ଶିକ୍ଷକମାନେ ଦାଖଲ କରିଥିବା ମାଟ୍ରିକ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର, ସେମାନେ ଦାଖଲ କରିଥିବା ଭିନ୍ନକ୍ଷମ, ଜାତି ଓ ଆବାସିକ ପ୍ରମାଣପତ୍ରର ଅବିକଳ ନକଲ ମାଗିଥିଲେ । କିନ୍ତୁ ସଂପୃକ୍ତ ପ୍ରଧାନ ଶିକ୍ଷକ ଏହା ତ୍ୟତୀୟ ପକ୍ଷର ବ୍ୟକ୍ତିଗତ ତଥ୍ୟ ଥିବା ଓ ସର୍ବୋଚ୍ଚ ନ୍ୟୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କହି ତଥ୍ୟ ଦେଇନଥିଲେ । ତେଣୁ ଶ୍ରୀ ଧଳ ପ୍ରଥମ ଆପିଲେଟି ଅଥରିଟି ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅପିଲ କରିଥିଲେ । ତଥ୍ୟ ପ୍ରଦାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କନିର୍ଦ୍ଦେଶ ସତ୍ତ୍ୱେ ପ୍ରଧାନ ଶିକ୍ଷକ ଏହି ତଥ୍ୟ ଦେଇ ନଥିଲେ । ତେଣୁ ବାଧ୍ୟ ହୋଇ ଶ୍ରୀ ଧଳ ସୂଚନା ପ୍ରଦାନ ଅଧିକାରୀ ତଥା ସଂପୃକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ପ୍ରଥମ ଆପିଲେଟ ଅଥରିଟି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପକ୍ଷଭୂକ୍ତ କରି ରାଜ୍ୟ ସୂଚନା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାକି ମାମଲା ନମ୍ବର ୧୨୮/୨୦ରେ ପଞ୍ଜିକୃତ ହୋଇଥିଲା । ତେବେ ଗତ ଜାନୁଆରୀ ମାସ ୧୯ ତାରିଖ ଚୁଡାନ୍ତ ଶୁଣାଣୀ ସମୟରେ ଦ୍ୱିତୀୟ ପକ୍ଷ ଉପସ୍ଥିତ ଥିଲେ । ଦ୍ୱିତୀୟ ପକ୍ଷଙ୍କ ଓକିଲ ଲିଖିତ ଆକାରରେ ସେମାନଙ୍କ ଉତ୍ତର ରଖିଥିଲେ । ଏଥିରେ ସନ୍ତୁଷ୍ଟ ନହୋଇ ସୂଚନା କମିଶନର ଆବେଦନକାରୀ ଶ୍ରୀ ଧଳଙ୍କୁ ସେ ମାଗିଥିବା ଶିକ୍ଷକମାନଙ୍କ ମାଟ୍ରିକ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର, ସେମାନଙ୍କ ମାର୍କ ସିଟ, ଭିନ୍ନକ୍ଷମ ପ୍ରମାଣପତ୍ର, ଜାତି ଓ ଅବାସିକ ପ୍ରମାଣପତ୍ରର ଅବିକଳ ନକଲ ପ୍ରଦାନ କରିବାକୁ ଗତ ଜାନୁଆରୀ ମାସ ୧୯ ତାରିଖ ନିର୍ଦ୍ଦେଶ ଦେଇଥିଲେ । ଫଳରେ ବାଧ୍ୟ ହୋଇ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଧଳ ମାଗିଥିବା ତଥ୍ୟ େରେଜିଷ୍ଟ୍ରେଡ ପୋଷ୍ଟ ଯୋଗେ ଦେବାକୁ ବାଧ୍ୟ ହୋଇଛନ୍ତି । ତେବେ ସୂଚନା ଅଧିକାର ବଳରେ ମଗାଯାଉଥିବା ତଥ୍ୟ ଦେବାରେ ଅବହେଳା କରୁଥିବା କର୍ତ୍ତୃପକ୍ଷଙ୍କ ପାଇଁ ସୂଚନା ଆୟୋଗଙ୍କ ଏହି ରାୟ ଚେତାବନୀ ସଦୃଶ ହୋଇଛି ।