Odiapua.com

ସୂଚନା ଅଧିକାରରେ ତଥ୍ୟ ନମିଳିବାରୁ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଜାମଯୋଡ଼ି ପଞ୍ଚାୟତ ଅଧିନ ବାଲିଦାଣ୍ଡି ଗ୍ରାମର ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ଅନିୟମିତତା ସମ୍ପର୍କରେ ସୂଚନା ଅଧିକାର ତଥ୍ୟ ବ୍ଲକ କାର୍ଯ୍ୟାଳୟକୁ ମଗା ଯାଇଥିଲା । ବ୍ଲକ କାର୍ଯ୍ୟାଳୟରୁ ସୂଚନା ନମିଳିବାରୁ ମଙ୍ଗଳବାର ଗ୍ରାମର ସୁରଥ ଧଳ, ଦେବେନ୍ଦ୍ର ନାୟକ, ସନ୍ନ୍ୟାସୀ ଧଳ, ଭଗବାନ ନାୟକ, ନିତାଇହରି ନାୟକ, ଧୁମାଳ ମହାକୁଡ଼, ମୁକ୍ତିକାନ୍ତ ଧଳ, ବସନ୍ତ ଧଳ, ସୁକାନ୍ତୀ ଧଳ, ରସାନନ୍ଦ ପାଢ଼ୀ, କମଳାକାନ୍ତ ପରିଡ଼ା,ଚନ୍ଦ୍ରମଣି ନାୟକ, ମନୋଜ ଧଳ, ଅନୁସୟ ନାୟକ, ଅଭୟ ନାୟକ ପ୍ରମୁଖ ଧାରଣାରେ ବସିଥିଲେ । ପରେ ଆଗାମୀ ୭ଦିନ ମଧ୍ୟରେ ସେମାନଙ୍କୁ ତଥ୍ୟ ନମିଳିଲେ ଆମରଣ ଅନାଶନ କରିବେ ବୋଲି ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରି ଧାରଣା ସ୍ଥଗିତ ରଖିଥିବା ଜଣାପଡ଼ିଛି । ପ୍ରକାଶ ଯେ, ବାଲିଦାଣ୍ଡି ଗ୍ରାମର ମୋପୋଖରୀ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦିରେ ୨୦୧୯ ମସିହା ଠାରୁ ୨୦୨୩ ମସିହା ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ସୂଚନା ଅଧିକାରରେ ଆବେଦନ କରିଥିଲେ । ମାତ୍ର ପ୍ରଥମ ଅପିଲ ବିଡିଓଙ୍କ ନିକଟରେ କରିବାକୁ ଆବେଦନକାରୀଙ୍କୁ ଚିଠି କରାଯାଇଥିଲା । ବିଳମ୍ବରେ ଚିଠି ପାଇ ସୂଚନା ଅଧିକାରର ପ୍ରଥମ ଅପିଲରେ ବିଡିଓଙ୍କ ନିକଟରେ ହାଜର ହୋଇଥିଲେ । ଆବେଦନକାରୀଙ୍କୁ ସମସ୍ତ ତଥ୍ୟ ମାଗଣାରେ ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଇତି ମଧ୍ୟରେ ୭ଦିନ ବିତି ଯାଇଥିବା ବେଳେ ତଥ୍ୟ ମଳିପାରି ନାହିଁ । ଯେଉଁଥିପାଇଁ ସେମାନେ ଧାରଣାରେ ବସିଥିଲେ । ତେବେ ବଡିଓ ଜ୍ୟୋତିର୍ମୟ କରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ଆବେଦନକାରୀଙ୍କୁ ତଥ୍ୟ ଦିଆଯାଇଛି । ସେ ତଥ୍ୟ ନନେଇ ସମ୍ପୂର୍ଣ୍ଣ ତଥ୍ୟ ଦିଆ ନଯାଇଥିବା ଅଭିଯୋଗ କରିଛନ୍ତି । ପ୍ରଥମେ ଦିଆଯାଇଥିବା ତଥ୍ୟ ନେଇ ଅବଶିଷ୍ଟ କେଉଁ ତଥ୍ୟ ଦିଆ ନଯାଇଛି ସେନେଇ ସୂଚନା ଅଧିକାର ଆଇନ ଅନୁଯାୟି ଆବେଦନ କରିପାରିବେ ।