Odiapua.com

ସୁସ୍ଥ ସମାଜ ଗଠନ ଦିଗରେ କ୍ରୀଡ଼ାର ଭୂମିକା ଗୁରୁତ୍ୱପୂର୍ଣ୍ଣ, ନୂଆ-ଓ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କ୍ରୀଡ଼ା କ୍ଷେତ୍ରରେ ଦେଶବିଦେଶରେ ଆମ ରାଜ୍ୟ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ଅଛି । ରାଜ୍ୟତମାମ୍ ଗାଁ, ସହର ର କୋଣ ଅନୁକୋଣର ଥିବା ବିଭିନ୍ନ ପ୍ରତିଭାମାନଙ୍କୁ ଚିହ୍ନଟ କରି ଆଗକୁ ବଢ଼ିବା ପାଇଁ ସେମାନଙ୍କୁ ସୁଯୋଗ ଦେବା ଦିଗରେ ରାଜ୍ୟ ସରକାରଙ୍କ ନୂଆ-ଓ ଯୋଜନା ବେଶ୍ ଉପଯୋଗୀ ସାବ୍ୟସ୍ତ ହେଉଛି । ସଶକ୍ତ ଓଡ଼ିଶା ଗଠନ ପାଇଁ ସୁସ୍ଥ ସମାଜ ଆବଶ୍ୟକ । ଶାରିରୀକ, ମାନସିକ, ଭୌତିକ ବିକାଶ ନେଇ ସୁସ୍ଥ ଶରୀର ହାସଲ ପାଇଁ କ୍ରୀଡ଼ା ଏକ ଉକୃଷ୍ଟ ମାଧ୍ୟମ । ହକି,ଫୁଟବଲ, ଭଲିବଲ, ଖୋ ଖୋ, କବାଡ଼ି, କ୍ରିକେଟ୍ ଏହି ୬ଟି ଖେଳକୁ ସାମିଲ କରାଯାଇଥିବା ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶାର କ୍ରୀଡ଼ା କାର୍ଯ୍ୟକ୍ରମ ସାରା ରାଜ୍ୟରେ କ୍ରୀଡ଼ାର ମାହୋଲ ସୃଷ୍ଟି କରିବା ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବର ଆନୁଷ୍ଠାନିକ ଉଦ୍‌ଘାଟନ ପର୍ବରେ ଯୋଗ ଦେଇଥିବା ଅତିଥିମାନେ ନିଜ ନିଜ ବକ୍ତବ୍ୟ ପ୍ରସଙ୍ଗରେ ଏହା ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭଦ୍ରକ କଲେଜ ଖେଳପଡ଼ିଆରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ପର୍ବରେ ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଉପଜିଲ୍ଲାପାଳ ମନୋଜ ପାତ୍ର, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗା ରଞ୍ଜନ ଦାସ, ସମାଜସେବୀ ଅଜୟ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ସଂଯୋଜକ ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ ନୂଆ-ଓ ଯୁବ ଓନିଶା ନବୀନ ଓଡ଼ିଶାର ଆଭିମୁଖ୍ୟ ଓ ଭଦ୍ରକ ଜିଲ୍ଲାରେ ଆୟୋଜିତ ବ୍ଲକ୍ ଓ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅତିଥିମାନେ ପତାକା ଉତ୍ତୋଳନ କରି କ୍ରୀଡ଼ା ସମୂହର ଆରମ୍ଭ ପୂର୍ବରୁ କ୍ରିକେଟ୍ ପିଚ୍‌କୁ ଫିତାକାଟି ଉଦ୍‌ଘାଟନ କରିଥିଲେ ଏବଂ ଅତିଥିମାନେ ବ୍ୟାଟିଂ ବୋଲିଂ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଭଦ୍ରକ କଲେଜ ଖେଳ ପଡ଼ିଆରେ ୨୮ ତାରିଖରେ ଅନୁଷ୍ଠିତ ଖୋ ଖୋ ଖେଳରେ ପୁୁରୁଷ ବର୍ଗରେ ବୀଣାପାଣି, ଗୁଆମାଳ, ତିହିଡ଼ି ଏବଂ ଜେ.ଜେ.କେ.ଏ.ଧାମନଗର, ମହିଳା ବର୍ଗରେ ମା ଦୁର୍ଗା ଭଦ୍ରକ ବ୍ଲକ୍ ଓ ଜେ.ଜେ.କେ.ଏ, ଧାମନଗର ଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ମହିଳା କ୍ରିକେଟ୍‌ରେ ଭଦ୍ରକ କ୍ରିକେଟ୍ ଆକାଡ଼େମୀ ଚାମ୍ପିୟନ, ବୈତରଣୀ ଗାର୍ଲସ କ୍ରିକେଟ ଟିମ୍ ଧାମନଗର ରନର୍ସ ଅପ୍ ଏବଂ ମନୋରମା କ୍ରିକେଟ୍ ଟିମ୍‌, ତିହିଡ଼ି ତୃତୀୟ ସ୍ଥାନ ହାସଲ କରିଛନ୍ତି । ରାମେଶ୍ୱର ପଡ଼ିଆରେ କବାଡ଼ି ପୁରୁଷରେ କଳିଙ୍ଗ କ୍ଲବ ଜଗନ୍ନାଥପୁର, ତିହିଡ଼ି ବୁଲସ୍‌, ତିହିଡ଼ି (ମିର୍ଜାପୁର), ସିଟି ସ୍ପୋର୍ଟସ୍ ଚାନ୍ଦବାଲି ଏବଂ ନବଦିଗନ୍ତ ଯୁବକ ସଂଘ, ଧାମନଗର, ସେମିଫାଇନାଲ୍ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଉଦ୍‌ଘାଟନୀ ପର୍ବରେ ଚାନ୍ଦବାଲି ଢ଼ୋଲକ ବାଦ୍ୟ ସାଂସ୍କୃତିକ ଦଳର ବାଦ୍ୟ ପରିବେଷଣ ଜରିଆରେ ଅତିଥିମାନଙ୍କୁ ମଞ୍ଚକୁ ପାଛୋଟି ଅଣାଯାଇଥିଲା । ଏ.ପି.ଡ଼ି ପ୍ରହଲ୍ଲାଦ ରଣା, ଡ଼ି.ପି.ଏମ୍‌.ଓ.ଏଲ୍‌.ଏମ୍‌. ସଞ୍ଜୟ ବାରିକ୍‌, କ୍ରୀଡ଼ାଧିକାରୀ ପଦ୍ମନ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।