Odiapua.com

ସୁସ୍ଥ ଲୋକକୁ ଶଯ୍ୟାଶାୟୀ ଦର୍ଶାଇ ଜମିହଡପ ଅଭିଯୋଗ, ସାମିଲ ଅଛନ୍ତି ସରକାରୀ କର୍ମଚାରୀ

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମି କିଣା ବିକାରେ ଜାଲିଆତି। ସୁସ୍ଥ ଲୋକଙ୍କୁ ଶଯ୍ୟାଶାୟୀ ଦର୍ଶାଇ ଜାଲ ପ୍ରମାଣ ପତ୍ର ସହ ମିଛ ଦସ୍ତଖତ କରି ଜମି ହଡ଼ପ ।ଏମିତି ଏକ ଅଭିଯୋଗ ଦେଖିବାକୁ ମିଳିଛି ଭଦ୍ରକ ସବରେଜିଷ୍ଟର ଅଫିସରେ । ସୂଚନା ମୁତାବକ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଗଣିଜାଙ୍ଗ ଗ୍ରାମର ପ୍ରଶାନ୍ତ ମିଶ୍ର ନାମକ ଜଣେ ବ୍ୟକ୍ତି ଆଗରପଡ଼ା ମୌଜା ରାଉତରାୟପୁର ଠାରେ ୨୦୧୦ ମସିହାରେ ଉମାକାନ୍ତ ମହାପାତ୍ରଙ୍କ ଠାରୁ ୩୧ ଡିସିମିଲ ଜମି କ୍ରୟ କରିଥିଲେ । ୩୧ ଅଗଷ୍ଟ ୨୦୨୪ ରେ ଉମାକାନ୍ତ ମହାପାତ୍ର ସେହି ଜମିକୁ ବିକ୍ରୟ ପାଇଁ ଜାଲ କାଗଜ ପତ୍ର ପ୍ରସ୍ତୁତ କରି ପ୍ରଶାନ୍ତ ମିଶ୍ରଙ୍କ ଅଜାଣତରେ ସବରେଜିଷ୍ଟ୍ରର ଏବଂ ସବରେଜିଷ୍ଟର ଅଫିସ କର୍ମଚାରୀଙ୍କ ସହଯୋଗରେ ଭିଜିଟ ଦଲିଲ କରିନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜମି ମାଲିକ । ଆହୁରି ମଧ୍ୟ ସୁସ୍ଥ ସବଳ ପ୍ରଶାନ୍ତ ମିଶ୍ରଙ୍କ ନାମରେ କଟକର ଏକ ଡାକ୍ତର ପ୍ରେଷ୍କୁସନ୍ ପ୍ରସ୍ତୁତ କରି ତାଙ୍କୁ ଶଯ୍ୟାଶାୟୀ ଦର୍ଶାଇ ତାଙ୍କ ଜମି ହଡ଼ପ କରିଛନ୍ତି । ଏନେଇ ଶ୍ରୀ ମିଶ୍ର ଭଦ୍ରକ ଟାଉନ ଥାନା ରେ ଏକ କେସ କରିଛନ୍ତି ଯାହାର ନମ୍ୱର ୬୭୧/୨୦୨୪ । ଆହୁରି ମଧ୍ୟ ଜିଲ୍ଲାପାଳ ଏବଂ ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି କେମିତି ସେ ତାଙ୍କ ଜମି ଫେରସ୍ତ ପାଇବେ । ଅନ୍ୟପକ୍ଷରେ ଜାଲିଆତି ବାବଦରେ ସବରେଜିଷ୍ଟ୍ରରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ । ହେଲେ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଆଉ କହିଥିଲେ ଏହା ତଦନ୍ତ ପରିସରଭୁକ୍ତ । ତଦନ୍ତ ପରେ ଯାହା ହେବ ତାହା ସମସ୍ତଙ୍କ ପାଇଁ ଠିକ୍ ହେବ । ତେବେ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କେମିତି ଏତେ ବଡ଼ ଜାଲିଆତି ହୋଇପାରିଲା। ଏହା ପଛରେ କାହା ହାତ ରହିଛି। ଏମିତି ଜାଲିଆତି ଏହା ଗୋଟିଏ ନା ଆହୁରି ଅଛି ତାହା ସମୟ କହିବ ।