Odiapua.com

ସୁସ୍ଥ ଜୀବନର ଚାବିକାଠି ଆୟୁର୍ବେଦ

ପୁରୀ, ୨୭/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ସମ୍ମତ। ପ୍ରତ୍ୟେକ ରୋଗର ସଫଳ ଚିକିତ୍ସା ଆୟୁର୍ବେଦରେ ରହିଛି। ଆୟୁର୍ବେଦ ସଚଳ ଜୀବନର ଚାବିକାଠି ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତା ମତ ଦେଇଛନ୍ତି। ଗୋପବନ୍ଧୁ ଆୟୁର୍ମେଦ ମହାବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ୪ର୍ଥ ଜାତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସରର ହୋତା କହିଲେ ଆୟୁର୍ବେଦର ଆତ୍ମତତ୍ୱ ରହିଛି। ତାହା ଶରୀର ତତ୍ୱକୁ ସୁସ୍ଥ ରଖିପାରିବ। ଧନନ୍ତରୀ ସ୍ୱୟଂ ଭଗବାନ ବିଷ୍ଣୁ, ଆୟୁର୍ବେଦ ଚିକିତ୍ସାର ଜନକ। ଆର୍ୟୁବେଦ ଔଷଧ ଅମୃତ ହୋଇଥିବାରୁ ତାହାର କେବେ ମୃତ୍ୟୁ ହୋଇପାରିବ ନାହିଁ। ଆୟୁର୍ବେଦ ଚିକିତ୍ସା ଶିକ୍ଷା ଏବଂ ଗବେଷଣା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଚରକ ଓ ଶୁଶ୍ରୃତଙ୍କ ମାର୍ଗଦର୍ଶନ ଆୟୁବେଦ ଚିକିତ୍ସା ପଦ୍ଧତିକୁ ଶହ ଶହ ବର୍ଷ ଧରି ବଞ୍ଚାଇ ରଖିବାକୁ ସେ ପ୍ରକାଶ କରିଥିଲେ। ଅବସରପ୍ରାପ୍ତ ପ୍ରଫେସର ବ୍ରଜକିଶୋର ସ୍ୱାଇଁ କହିଲେ ଅବଅତ କଳସ ଧରି ଧନ୍ୱନ୍ତରୀ ଆବିର୍ଭାବ ହୋଇଥିଲେ। ସେଥିରେ ୮ଟୋପା ଅମୃତ ରହିଥିଲା। ତାହାକୁ ଅଷ୍ଟାଙ୍ଗ ଆୟୁର୍ବେଦ ବୋଲି କୁହାଯାଉଛି। ଆୟୁର୍ବେଦ ଉପରେ କୋଟି କୋଟି ଲୋକଙ୍କ ବିଶ୍ୱାସ ଅତୁଟ ରହିଛି। ଅମୃତର ସଂସ୍ପର୍ଶରେ ସୁନା ଜୀବନ ପାଇଥିବା ଶ୍ରୀ ସ୍ୱାଇଁ କହିଛନ୍ତି। କଲେଜ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଅବସରପ୍ରାପ୍ତ ପ୍ରଫେସର ଡ଼ାକ୍ତର ମୃତ୍ୟୁଞ୍ଜୟ ପଣ୍ଡା, ପ୍ରଫେସର ବ୍ରଜ କିଶୋର ଦାସ, ଡ଼ାକ୍ତର ବିପିନାନନ୍ଦ ମିଶ୍ର, ଶ୍ରୀମନ୍ଦିର ସେବକ ମଧୁସୂଦନ ସିଂହାରୀଳ ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ, ପ୍ରଫେସର ଦେବପ୍ରସାଦ ଦାଶ, ପ୍ରଫେସର ବଙ୍କିମ ଚନ୍ଦ୍ର ସେନାପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନେ କହିଲେ ଆୟୁର୍ବେଦ ଔଷଧରେ ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ ଶରୀର ପ୍ରତି ତାହା କ୍ଷତିକାରକ ନୁହେଁ। ଆୟୁର୍ବେଦ ଶିକ୍ଷା ଓ ଚିକିତ୍ସା ପ୍ରତି ସରକାର ଅବହେଳା କରୁଛନ୍ତି। ରାଜ୍ୟର ଆୟୁର୍ବେଦ କଲେଜ ଗୁଡ଼ିକରେ ବହୁସଂଖ୍ୟକ ଅଧ୍ୟାପକ ଓ କର୍ମଚାରୀ ପଦବୀ ଖାଲି ପଡ଼ିଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏଲୋପ୍ୟାଥିକ ଚିକିତ୍ସା ସହ ଆୟୁର୍ବେଦକୁ ସମାନ ମାନ୍ୟତା ଦିଆଯିବା ଉଚିତ। ଗୋପବନ୍ଧୁ ଆୟୁର୍ବେଦ କଲେଜକୁ ସେଣ୍ଟର ଅଫ ଏକ୍ସଲେନ୍ସି ମାନ୍ୟତା ପ୍ରଦାନ ପାଇଁ ଅତିଥିମାନେ ପରାମର୍ଶ ଦେଇଛନ୍ତି। ପ୍ରଫେସର ଧିରଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଡ଼ାକ୍ତର ଶିବ ପ୍ରସାଦ ମିଶ୍ର ଧନ୍ୟବାଦ କରିଥିଲେ।