ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ସୁଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରାଯିବା ଆଭିମୁଖ୍ୟ ନେଇ ଜନ ସାଧାରଣଙ୍କ ବିଭିନ୍ନ ଅଭିଯୋଗ, ସମସ୍ୟା, ଦାବି ଆଦିର ତ୍ୱରିତ ସମାଧାନ ପାଇଁ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା, ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ସ୍ତରରେ ଜିଲ୍ଲାପାଳଙ୍କ ଦ୍ୱାରା ଜନାଭିଯୋଗ ଶୁଣାଣି ଶିବିର ମାସର ପ୍ରତ୍ୟେକ ସୋମବାରରେ ଆୟୋଜନ କରାଯାଉଛି। ମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ମଧ୍ୟ ରାଜ୍ୟସରକାର ଆରମ୍ଭ କରିଛନ୍ତି। ସେହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ଧାମନଗର ବ୍ଲକ୍ର ଗୋବିନ୍ଦପୁର ଗ୍ରାମପଂଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି। ମନ୍ତ୍ରୀଙ୍କ ସହ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ, ଏସ୍.ପି. ମାଡ଼କର ସନ୍ଦୀପ, ସମ୍ପତ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ମନ୍ତ୍ରୀଙ୍କ ଓ.ଏସ୍.ଡ଼ି. ନୀତିଶ୍ କୁମାର ତ୍ରିପାଠୀ, ସି.ଡ଼ି.ଏମ୍.ଓ. ଡା ସୁଧାଂଶୁ ଶେଖର ବଳ ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣାଣି କାର୍ଯ୍ୟରେ ମାନ୍ୟବର ମନ୍ତ୍ରୀଙ୍କୁ ସହଯୋଗ କରିଥିଲେ। ସମୁଦାୟ ଆଗତ ୨୦୫ ଅଭିଯୋଗ ମଧ୍ୟରୁ ସର୍ବାଧିକ ଆବାସ ଯୋଜନା ସମ୍ବନ୍ଧୀୟ ଥିଲା। ଆଦୌ ଘର ନିର୍ମାଣ ସହାୟତା ପାଇନଥିବା, ଘର ସମ୍ପୂର୍ଣ୍ଣ କରି ଟଙ୍କା ପାଇନଥିବା, ଟଙ୍କା ମିଳୁ ନଥିବାରୁ ଘର ସମ୍ପୂର୍ଣ୍ଣ ହୋଇପାରୁନଥିବା, ଭଳି ଅଭିଯୋଗ ଥିଲା। ସେହିପରି ରାସ୍ତା ଜବରଦଖଲ, ଜମିଜମା ଚିହ୍ନଟିକରଣ, ପି.ଏମ୍.କିଷାନ ଯୋଜନାରେ ଟଙ୍କା ମିଳିନଥିବା, ଉଚ୍ଚ ଶିକ୍ଷିତ ବେକାରୀ ଯୁବକଙ୍କୁ ଶିଳ୍ପଦ୍ୟୋଗୀ ପାଇଁ ଋଣ ପ୍ରଦାନ, ସରକାରୀ ବ୍ୟବସ୍ଥାରେ ଧାନ ବିକ୍ରୟ କରି ଅର୍ଥ ନ ମିଳିବା, ରାସ୍ତା ନିର୍ମାଣ, ବିଦ୍ୟୁତ ସମସ୍ୟା, ଦିବ୍ୟାଙ୍ଗକୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରାପ୍ତ କରାଇବା ଆଦି ବିଭିନ୍ନ ବିଭାଗୀୟ ସମସ୍ୟାର ସମାଧାନ ପାଇଁ ଶିବିରରେ ଉପସ୍ଥିତ ଜିଲ୍ଲାସ୍ତରୀୟ ସଂପ୍ରୃକ୍ତ ଅଧିକାରୀ ମାନଙ୍କ ସହ ମନ୍ତ୍ରୀ ଆଲୋଚନା କରି ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଜଣେ ଆବେଦନ କାରୀଙ୍କୁ ସି.ଏମ୍.ଆରଏଫ୍ ରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ ଜିଲ୍ଲାପାଳ ମଞ୍ଜୁର କରିଥିଲେ। ଲୋକମାନେ ସରକାରଙ୍କ ପାଖକୁ ଯିବେନାହିଁ ବରଂ ଲୋକଙ୍କ ସରକାର ଲୋକଙ୍କ ସମସ୍ୟା ଶୁଣିବାକୁ ଲୋକଙ୍କ ପାଖକୁ ଆସିବେ ବୋଲି ମନ୍ତ୍ରୀ ପ୍ରକାଶ କରି ଆଗାମୀ ଦିନ ମାନଙ୍କରେ ଏହିପରି କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ଆହୁରି ବ୍ୟାପକ ହେବ ବୋଲି କହିଥିଲେ। ଯେଉଁମାନେ ଜିଲ୍ଲା କି ରାଜ୍ୟ ସଦର ମହକୁମାକୁ ଯାଇ ପାରୁନାହାଁନ୍ତି ସେମାନେ ଏହିଭଳି ଫୋରମ୍ରେ ଅଭିଯୋଗ ଦାଖଲ କରିପାରିବେ ବୋଲି ସେ କହିଥିଲେ। ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତଥିଲେ। ଧାମନଗର ବି.ଡ଼ି.ଓ. ବନିବିହାରୀ ଦିଣ୍ଡା, ଏବିଡିଓ ଶର୍ମିଷ୍ଠା ମଲ୍ଲିକ୍, ତହସିଲଦାର ସାଇ ସାଲୋନା ପ୍ରମୁଖଙ୍କ ସହ ଡେପୁଟୀ କଲେକ୍ଟର କରୁଣାକର ଦିନ୍ଦା, ସାଧାରଣ ବିବିଧ ବିଭାଗର ନିତ୍ୟାନନ୍ଦ ନାୟକ ପ୍ରମୁଖ ଏହି ଶିବିର ଆୟୋଜନ, ପରିଚାଳନା, ଅଭିଯୋଗ ପଞ୍ଜିକରଣରେ ଆନୁସଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ।