ଭୁବନେଶ୍ୱର ୧୬-୧୧ (ଓଡ଼ିଆ ପୁଅ) ଭୁବନେଶ୍ୱରରେ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେଯେ, ସୁରଭି କାର୍ଯ୍ୟକ୍ରମ ତୁମମାନଙ୍କୁ ଏକାଠି କରିଛି। ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ଦେଖାଇବା ପାଇଁ ସୁଯୋଗ ସୃଷ୍ଟି କରିଛି ଏହି କାର୍ଯ୍ୟକ୍ରମ। ନୂଆ ଅଭିଜ୍ଞତା ହାସଲ କରିବା ସହିତ ଜ୍ଞାନକୁ କେବଳ ସ୍କୁଲ ବହି ଭିତରେ ସୀମିତ ରଖ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ସେ କହିଥିଲେଯେ, ଆଜିକାଲି ହେଉଛି ଜ୍ଞାନର ଯୁଗ। ତେଣୁ ସବୁବେଳେ ଜ୍ଞାନକୁ ଅପଡେଟ୍ ରଖ। କ୍ରୀଡା, ନୃତ୍ୟ, ସଂଗୀତ, କଳା ଓ ସମାଜସେବା ଯାହା ତୁମକୁ ଭଲ ଲାଗୁଛି, ସେଥିରେ ଉର୍ଷ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କର। ଜୀବନରେ ସମସ୍ୟା ରହିବ, କିନ୍ତୁ ତାକୁ ସାହସର ସହ ମୁକାବିଲା କର। ଆତ୍ମବିଶ୍ବାସର ସହ ଆଗକୁ ବଢ। ସକରାତ୍ମକ ମନୋଭାବ ନେଇ କାମ କର। ସଫଳତା ତୁମର ହିଁ ହେବ। ଭଲ ମଣିଷ ହେବାକୁ ଚେଷ୍ଟା କର। ବାପା, ମା’ଙ୍କ ସ୍ୱପ୍ନ ପୂରଣ କର। ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ। ତେଣୁ ପାଠପଢା ଜାରି ରଖ। ସବୁ ଦିନ ସ୍କୁଲ ଯିବ। ଅନ୍ୟ ମାନଙ୍କୁ ମଧ୍ୟ ସ୍କୁଲ ଆସିବାକୁ ଉତ୍ସାହିତ କର।
ଏହି ସୁରଭି କାର୍ଯ୍ୟକ୍ରମ ନଭେମ୍ବର ୧୪ ଶିଶୁ ଦିବସ ଦିନ ଆରମ୍ଭ ହୋଇ ଆଜି ଉଦ୍ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଶ୍ରୀ ସମୀର ଦାଶ, ଶ୍ରୀ ଅଶୋକ ପଣ୍ଡା ପ୍ରମୁଖ ପିଲାମାନଙ୍କୁ ଉଦ୍ବୋଧନ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶ୍ରୀମତୀ ଚିତ୍ରା ଅରମୁଗମ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଶ୍ରୀ ବି.ଏସ. ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଏଠାରେ ହୋଇଥିବା ପିଲାମାନଙ୍କ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।