Odiapua.com

ସୁରକ୍ଷିତ ଶିଶୁ ପାଇଁ ସୁସ୍ଥ ପରିବେଶ ଆବଶ୍ୟକ, ଶିଶୁ ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଶୀର୍ଷକ କର୍ମଶାଳା

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଜିଲ୍ଲା ପ୍ରଶାସନ ଭଦ୍ରକ ଆନୁକୂଲ୍ୟରେ ଶିଶୁ ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଶୀର୍ଷକ କର୍ମଶାଳା ଜିଲ୍ଲା ସଂସ୍କୃତି ଭବନ, ଭଦ୍ରକ ପରିସରରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ମର୍ମରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ଥିବା ସମସ୍ତ ଗଣମାଧ୍ୟମର ପ୍ରତିନିଧି ଅଂଶ ଗ୍ରହଣ କରି ମତ ପୋଷଣ କରିଥିଲେ । ପ୍ରାରମ୍ଭରେ ଶିଶୁ ସୁରକ୍ଷା ୟୁନିଟ୍‌ର ଆଇନ୍ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସହ ବହୁ ଦିନ ପରେ ସମସ୍ତଙ୍କ ସହଭାଗିତା ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶଂସ କରିଥିଲେ । ମୁଖ୍ୟ ଅତିଥି ରୂପେ ସ୍ୱତନ୍ତ୍ର କିଶୋର ପୋଲିସ୍ ୟୁନିଟ୍‌ର ଅଧ୍ୟକ୍ଷା ତଥା ଡ଼ି.ଏସ୍‌.ପି (ଏଚ୍‌.ଆର.ପି.ସି.) ପୁଷ୍ପଲତା ବାରିକ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ନିଜ ବକ୍ତବ୍ୟରେ ଶିଶୁ ସୁରକ୍ଷା ପାଇଁ ପ୍ରତିବନ୍ଧକ ଥିବା କେତକ ନିୟମ ଯେପରି ଶିଶୁର ପରିଚୟ ପ୍ରକଟ ନକରିବା, ଶିଶୁକୁ ଭୟଭୀତ ନକରିବା , କିଶୋର ନ୍ୟାୟ ଆଇନ ସମ୍ବନ୍ଧରେ ମତ ପୋଷଣ କରିଥିଲେ । ସମ୍ମାନୀତ ଅତିଥି ରୂପେ ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଡ଼ା. ଦେବରାଜ ପାଣିଗ୍ରହୀ, ସଦସ୍ୟ ଅମର କୁମାର ବାରିକ, ଭାରତୀ ଦାଶ ସମେତ ବିଷୟ ବିଶାରଦ ରୂପେ ପୂର୍ବତନ ଶିଶୁ ମଂଗଳ କମିଟର ଅଧ୍ୟକ୍ଷ, ଅନୁଗୂଳର କଲ୍ୟାଣ କିଶୋର ମହାନ୍ତି ଯୋଗଦାନ କରି ଗଣମାଧ୍ୟମର ଭୂମିକା ବାବଦରେ ବିସୃତ ଆଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ପ୍ରତାପ କୁମାର ଦାସ, ପ୍ରଭାତ କୁମାର ଦାସ, ଅଶ୍ୱିନୀ କୁମାର ପାଢ଼ୀ, ଜ୍ଞାନ ପ୍ରକାଶ ପାଣି, ନରେନ୍ଦ୍ର କୁମାର ସାମଲ, ଅଜିତ ସାମଲ ପ୍ରମୂଖ ଶିଶୁ ସୁରକ୍ଷା ପାଇଁ ସହୃଦୟର ସହ କାମ କରିବା ପାଇଁ ମନୋବଳ ଆବଶ୍ୟକ ଏବଂ ଏହାର ପ୍ରଚାର ପ୍ରସାର ସୁଦୂରବ୍ୟାପୀ ହେବା ଆବଶ୍ୟକ ବୋଲି ମତ ପୋଷଣ କରିଥିଲେ । ଯାହା ଫଳରେ ରାସ୍ତାକଡ଼ରେ ବୁଲୁଥିବା ଶିଶୁ, ଭିକ୍ଷାବୃତ୍ତି କରୁଥିବା ଶିଶୁ ଓ ଅବହେଳିତ ଶିଶୁମାନେ ସାମାଜିକ ସ୍ରୋତରେ ସାମିଲ ହୋଇପାରିବେ । ଏହି କର୍ମଶାଳାରେ ଶିଶୁ ସୁରକ୍ଷା ୟୁନିଟ୍‌ର ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ, ଆନୁଷ୍ଠାନିକ ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା, ମହେଶ ଦାଶ, ଦମୟନ୍ତୀ ଦାଶ, ଧୀରଜ ବାରିକ, ଚିନ୍ମୟ ପଣ୍ଡା ସମେତ ତଥାଗତ ଜେନା, ନିବେଦିତା ଲେଙ୍କା, ରଶ୍ମିରେଖା ଜେନା, ଦେବସ୍ମିତା ମହାନ୍ତି, ସସ୍ମିତା ନାୟକ, ଅରବିନ୍ଦ ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ରିୟାଜ ଅହମ୍ମଦଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।