Odiapua.com

ସୁରକ୍ଷାର ସଂକଳ୍ପ : ରକ୍ଷାବନ୍ଧନ

ମାନବ ଜାତିର ବିକାଶ ଓ ଶୃଙ୍ଖଳିତ ଜୀବନ ଯାପନ ପଛରେ ଯେଉଁ ମୂଳ ତତ୍ୱଟି ରହିଛି ତାହା ହେଉଛି ମାନବିକତା। ଅତୀତରେ ଲୋକମାନଙ୍କ ଭିତରେ ଛନ୍ଦ, କପଟ, ମିଥ୍ୟା ଏତେ ପରିମାଣରେ ନଥିଲା। ସେମାନଙ୍କ ଭିତରେ ସମ୍ପର୍କ ଥିଲା ଦୃଢ ଆଉ ମଧୁର। ସମ୍ପର୍କକୁ ଗୁରୁତ୍ୱ ଦେଉଥିଲେ ସେମାନେ, ଅନ୍ୟର ସୁଖ ଦୁଃଖରେ ଭାଗ ନେଉଥିଲେ। ନିକଟ ସମ୍ପର୍କୀୟ ହୁଅନ୍ତୁ କିମ୍ବା ଦୂର ସମ୍ପର୍କୀୟ, ସମସ୍ତଙ୍କ ଅଭାବ ଅସୁବିଧାରେ ପାଖରେ ଛିଡା ହେଉଥିଲେ। ସମବେଦନା ଜଣାଉଥିଲେ ଆଉ ସାହାଯ୍ୟ ସହଯୋଗ ପାଇଁ ଆଗେଇ ଆସୁଥିଲେ। ସମୟ ସହିତ ତାଳ ଦେଇ ଯେତେବେଳେ ଆମେ ଅତ୍ୟାଧୁନିକ ଜୀବନଶୈଳୀ ଆଡକୁ ଗତି କରୁଛେ, ଆମ ଭିତରେ ମାନବିକତା କମି କମି ଯାଉଛି। ପ୍ରତିଦିନ କେଉଁଠି ନା କେଉଁଠି ଦେଖିବାକୁ କିମ୍ବା ଶୁଣିବାକୁ ମିଳେ ଅନେକ ହୃଦୟ ବିଦାରକ ଘଟଣା ସବୁ। ଦିନକୁ ଦିନ ମଣିଷ ନିଷ୍ଠୁର ସାଜୁଥିବା ବେଳେ, ମାନବିକତା ଓ ମଣିଷ ପଣିଆ କମି କମି ଯାଉଛି। ସ୍ୱାର୍ଥ ଆଉ ଲୋଭରେ ମଣିଷ ଏତେ ତଳକୁ ଖସିଯାଉଛି ଯେ, ସତେ ଯେମିତି ସମାଜର ସବୁ ବନ୍ଧନ ତା ପାଇଁ ତୁଛ ହେଉଛି। ନିଜର ଜନ୍ମଦାତାଙ୍କୁ ମଧ୍ୟ ସେ ପର କରି ଦେଉଛନ୍ତି। ଆଜିକାଲି ସମ୍ପର୍କର ମାନେ ବଦଳିଗଲାଣି। ସ୍ୱାର୍ଥ ସାଧନ ପାଇଁ ସମ୍ପର୍କ ଯୋଡା ଯାଉଥିବା ବେଳେ, ରକ୍ଷାବନ୍ଧନ ଆମକୁ ସଚେତନ କରାଉଛି ଯେ ଭାଇ ଭାବରେ ଭଉଣୀର ରକ୍ଷା, ପୁତ୍ର ଭାବରେ ପିତାମାତାଙ୍କ ରକ୍ଷା, ପତି ଭାବେ ପତ୍ନୀର ରକ୍ଷା, ପତ୍ନୀ ଭାବେ ପତିର ରକ୍ଷା, ନାଗରିକ ଭାବେ ରାଷ୍ଟ୍ରର ରକ୍ଷା, ମାନବ ଭାବେ ମାନବିକତାର ରକ୍ଷା କଲେ, ସମ୍ପର୍କ ଦୃଢ ହେବା ସହିତ ମାନବ ଜାତିର ବିକାଶ ହୋଇପାରିବ।

ରକ୍ଷାବନ୍ଧନ ଏକ ପଵିତ୍ର ବନ୍ଧନ। ଏହି ପର୍ବ ନାରୀଜାତିର ସୁରକ୍ଷା ବିଷୟରେ ସମଗ୍ର ମାନବ ଜାତିକୁ ସଚେତନତାର ବାର୍ତ୍ତା ଦେଇଥାଏ। ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଶୁଭ ମନାସି ଥାଏ ଏବଂ ଭାଇ ତା’ର ଭଉଣୀକୁ ସବୁ ଦିନ ପାଇଁ ସୁରକ୍ଷା ଦେବାର ସଂକଳ୍ପ ନେଇଥାଏ। ଏହା ଦ୍ୱାରା ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହୋଇଥାଏ। ଏହି ଦିନରେ କୁଳ ପୁରୋହିତ ନିଜ ନିଜ ଜଜମାନଙ୍କ ହାତରେ ରାକ୍ଷୀ ବାନ୍ଧି ମନ୍ତୁରା ପଇତା ଦେଇ ମଙ୍ଗଳ କାମନା କରିଥାନ୍ତି। ଆମର ଆରାଧ୍ୟ ଦେବତା ମଧ୍ୟ ଏହି ସଂପର୍କର ଡୋରୀରେ ବନ୍ଧା ହୋଇ ପାଳନ କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା। ପୁରାଣରେ ମଧ୍ୟ ରକ୍ଷାବନ୍ଧନ ବିଷୟରେ ଅନେକ ଘଟଣା ଅଛି। ରାଜା ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ। ତାଙ୍କ ଉପରେ କୌଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ। ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ। ଏହା କିନ୍ତୁ ମାତା ଲକ୍ଷ୍ମୀଙ୍କୁ ପସନ୍ଦ ଆସିନଥିଲା। ତେଣୁ ମହାଲକ୍ଷ୍ମୀ ବ୍ରାହ୍ମଣୀ ବେଶ ହୋଇ ଶ୍ରାବଣ ପୂର୍ଣ୍ଣମୀରେ ବଳିଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ। ଲକ୍ଷ୍ମୀ ମାତାଙ୍କର ଉଦ୍ଦେଶ୍ୟ ଜାଣିବା ପରେ ବଳି ଭଗବାନଙ୍କୁ ବୈକୁଣ୍ଠ ଫେରିବାକୁ ଅନୁରୋଧ କରିଥିଲେ। ପୁରାଣ କଥା ବସ୍ତୁ ଅନୁସାରେ ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ଆଘାତ ପ୍ରାପ୍ତ ହୋଇଥିଲେ। ଦ୍ରୌପଦୀ ନିଜ ପିନ୍ଧା ବସ୍ତ୍ରରୁ କିଛି ଅଂଶ ଛିଡାଇ କୃଷ୍ଣଙ୍କ ହାତରେ ପଟି ବାନ୍ଧି ଦେଇ ରକ୍ତସ୍ରାବ ବନ୍ଦ କରିଥିଲେ। ଦ୍ରୌପଦୀଙ୍କ ଏହି ଦାନ କୃଷ୍ଣ ପରିଶୋଧ କରିଥିଲେ କୁରସଭା ସ୍ଥଳରେ। ଦୁଃଶାସନ ବସ୍ତ୍ର ହରଣ କରିବା ବେଳେ କୃଷ୍ଣ କୋଟି ବସ୍ତ୍ର ଦାନ କରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ। ଇତିହାସରେ ମଧ୍ୟ ରାକ୍ଷୀକୁ ନେଇ ସୁନ୍ଦର ଉଦାହରଣ ଗୁଡିକ ରହିଛି। ମୋଗଲ ମାନଙ୍କ ଶାସନ ସମୟରେ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ହିନ୍ଦୁ ରମଣୀମାନେ ମୋଗଲ ଶାସକମାନଙ୍କୁ ରାକ୍ଷୀ ପଠାଇ ସେମାନଙ୍କ ସହ ଭାତୃଭାଵ ପ୍ରତିଷ୍ଠା କରିଥିଲେ। ମଧ୍ୟଯୁଗରେ ବାହାଦୁର ଶାହ ଚିତ୍ତୋର ଉପରେ ଆକ୍ରମଣ ନିମନ୍ତେ ଅଗ୍ରସର ହେଲାବେଳେ ଚିତ୍ତୋର ରାଣୀ କର୍ଣ୍ଣାବତୀ ହୁମାୟୁନଙ୍କ ନିକଟକୁ ଏକ ରାକ୍ଷୀ ପଠାଇଥିଲେ। ଯାହାଫଳରେ ହୁମାୟୁନ ଭଉଣୀଙ୍କ ସୁରକ୍ଷା ନିମନ୍ତେ ନିଜ ସୈନ୍ୟ ଚିତ୍ତୋର ପଠାଇଥିଲେ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା
ମୋ : ୯୯୩୮୦୬୦୮୮୬