Odiapua.com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଏବଂ ଦୁଇ ଆହତ ଯବାନ୍‌ ଙ୍କୁ ଏୟାକ ଲିଫ୍ଟ କରି ଭୁବନେଶ୍ୱର ଅଣାଗଲା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ୱର ୦୯/୦୭ (ଓଡ଼ିଆ ପୁଅ) କନ୍ଧମାଳ ଜିଲ୍ଲା ଗୋଛପଡ଼ା ଥାନା ଅଂଚଳରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଥିଲା। ଏହି ଅପରେସନ୍ ଚାଲିଥିବାବେଳେ ଆଜି ସକାଳୁ ହଠାତ୍ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଫଳରେ ୨ଜଣ ଯବାନ୍ ଗୁରୁତର ଆହତ ହୋଇଥିଲେ। ଏହାବ୍ୟତୀତ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ କିଛି ମାଓବାଦୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଦୁଇ ଯବାନଙ୍କୁ ସିଆର୍‌ପିଏଫ୍‌, ଏସ୍‌ଓଜି ଓ ଡିଭିଏଫ୍‌ଙ୍କ ସହାୟତାରେ ଅପରେସନ୍ ଅଂଚଳରୁ ଉଦ୍ଧାର କରାଯାଇଥିଲା।

ଆଜି ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଗୋଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜି (ଅପରେସନ୍‌) ଅମିତାଭ ଠାକୁର ଏବଂ ଡିଆଇଜି (ଏସ୍‌ଆଇଡବ୍ଲ୍ୟୁ) ଅନୁପ କୁମାର ସାହୁ ପ୍ରମୁଖ ମାଓବାଦୀ କାର୍ଯ୍ୟକଳାପର ସମୀକ୍ଷା କରିବାକୁ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିଲେ। ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଏବଂ ଦୁଇ ଯବାନ୍‌ଙ୍କ ଆହତ ହୋଇଥିବା ଖବର ପାଇବା ମାତ୍ରେ ଡିଜିପି ତାଙ୍କ ଗସ୍ତକୁ ତୁରନ୍ତ ବାତିଲ କରିଥିଲେ। ସଙ୍ଗେସଙ୍ଗେ ବୌଦ୍ଧ ଜିଲ୍ଲା ଅଭିମୁଖେ ଯାଇ ପାଦେଲପଡ଼ାରେ ହେଲିକେପ୍‌ଟର୍‌କୁ ଅବତରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଦ୍ଧାର କରାଯାଇଥିବା ଆହତ ଦୁଇ ଯବାନ୍‌ଙ୍କୁ ଡିଜିପି ଏୟାର୍‌ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ। ଆହତ ଯବାନ୍‌ଙ୍କ ଚିକିତ୍ସା ନିମନ୍ତେ ସାଙ୍ଗରେ ସ୍ଥାନୀୟ ଡାକ୍ତର ମଧ୍ୟ ସାମିଲ ହୋଇଥିଲେ। ବର୍ତମାନ ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାବେଳେ ସମ୍ପୃକ୍ତ ଅଂଚଳରେ ଅପରେସନ୍‌କୁ ଜୋରଦାର କରାଯାଇଛି।