Odiapua.com

‘ସୁଭଦ୍ରା’ ଫର୍ମ ବିତରଣ ଆରମ୍ଭ

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ସଶକ୍ତିକରଣ ତଥା ସେମାନଙ୍କର ଅର୍ଥନୈତିକ ସ୍ୱାବଲମ୍ବନ ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଯାଉଥିବା ଐତିହାସିକ ଏବଂ ଯୁଗାନ୍ତକାରୀ ଯୋଜନା ‘ସୁଭଦ୍ରା’ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆବେଦନ ଫର୍ମ ବିତରଣ ଆରମ୍ଭ ହୋଇଯାଇଛି । ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଥିବା ଏହି ଫର୍ମ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଉପଲବ୍‌ଧ କରାଯିବ । ଜିଲ୍ଲାର ବ୍ଲକ ମାନଙ୍କରେ ଫର୍ମ ବିତରଣ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖାଯାଇଛି । ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା ମାନଙ୍କୁ ଛାଡ଼ି ୨୧ ରୁ ୬୦ ବର୍ଷ ବୟସ୍କ ମଧ୍ୟରେ ଥିବା ସମସ୍ତ ମହିଳା ଏହି ଯୋଜନା ସହିତ ଯୋଡ଼ି ହୋଇ ସୁଯୋଗ ଲାଭ କରିବା ନେଇ ବ୍ୟବସ୍ଥା ସମ୍ବନ୍ଧରେ ସଚେତନ କରାଯିବା ନେଇ ପ୍ରଶାସନ ତରଫରୁ ପ୍ରୟାସ ଜାରି ରହିଛି । ସମସ୍ତେ ଜାଣି ରଖିବା ଉଚିତ୍ ଯେ ଏହି ଯୋଜନାରେ ଆବେଦନ ପାଇଁ ଆଧାର ଅନିବାର୍ଯ୍ୟ । ମୋବାଇଲ ନମ୍ବର ସହ ଆଧାର ସଂଯୋଗ ନଥିଲେ ଆଧାର କେନ୍ଦ୍ର ଯାଇ ପ୍ରଥମେ ଆଧାର ସଂଯୋଗ କରାଇବାକୁ ହେବ । ଜଣେ ବି ଯୋଗ୍ୟ ମହିଳା ଯେପରି ଏହି ଯୋଜନାର ଲାଭ ଉଠାଇବାରୁ ବଂଚିତ ନହୁଏ ସେଥିପାଇଁ ସଂପୃକ୍ତ ପ୍ରଶାସନିକ ଅଧିକାରୀ, କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଆବେଦନକାରୀ ମାନେ ଯେପରି କୌଣସି ଅସୁବିଧାରେ ନ ପଡ଼ନ୍ତି ସେଥିପାଇଁ ସମସ୍ତ କ୍ଷେତ୍ର ସ୍ତରୀୟ କର୍ମଚାରୀ ମାନଙ୍କୁ ସହଯୋଗ ଓ ସହୃଦୟତାର ଆବଶ୍ୟକ ବୋଲି ପରାମର୍ଶ ପ୍ରଦାନ କରାଯାଇଛି । ବର୍ଷକୁ ୧୦ ହଜାର ଟଙ୍କାକୁ ୨ଟି କିସ୍ତିରେ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ମା’ମାନଙ୍କ ଆକାଉଂଟ ଜରିଆରେ ପ୍ରଦାନ କରାଯିବାକୁ ଥିବା ଏହି ଅର୍ଥରାଶି ପ୍ରଥମ କିସ୍ତି ଆକାରରେ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆଗମନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନ କରାଯାଇ ଚୟନ କରାଯାଇଥିବା ଯୋଗ୍ୟା ମହିଳାମାନଙ୍କ ଆକାଉଂଟକୁ ପ୍ରେରଣ କରାଯିବ । ସୂଚନା ଯୋଗ୍ୟ କି ଭଦ୍ରକ ଜିଲ୍ଲାରେ ଥିବା ସମୁଦାୟ ୨୪୩୫ ଟି ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଏହି ଆବେଦନ ଫର୍ମ ଉପଲବ୍‌ଧ କରାଯିବା ନେଇ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସକ୍ରିୟ କରାଯାଇଛି ।