Odiapua.com

‘ସୁଭଦ୍ରା’ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ସାମ୍ବାଦିକ ସମିଳନୀ, ସେପ୍ଟେମ୍ବର ୭ ରୁ ୧୬ ପର୍ଯ୍ୟନ୍ତ ଜିଲ୍ଲାରେ ବୁଲିବ ସୁଭଦ୍ରା ସଚେତନତା ରଥ

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ସଶକ୍ତି କରଣ ନେଇ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଯୁଗାନ୍ତକାରୀ ଯୋଜନା ‘ସୁଭଦ୍ରା’ର କାର୍ଯ୍ୟକାରୀତା ଦିଗରେ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବା ସହିତ ଗଣମାଧ୍ୟମ ଜରିଆରେ ଏହି ଯୋଜନା ସମ୍ବନ୍ଧରେ ଯୋଗ୍ୟ ହିତାଧିକାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ସାମ୍ବାଦିକ ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌.ପି. ବରୁଣ ଗୁଂଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ସୁଭଦ୍ରା ଯୋଜନାରେ ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଏହି ଜିଲ୍ଲା ସ୍ତରୀୟ ପ୍ରେସ୍‌ମିଟ୍‌ର ଆବାହକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସୁଭଦ୍ରା ଯୋଜନାର ଆଭିମୁଖ୍ୟ, ଜିଲ୍ଲାରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ପ୍ରସ୍ତୁତି, ମାଗଣାରେ ଫର୍ମ ବିତରଣ, ଆବେଦନ ପ୍ରକ୍ରିୟା, ଯୋଗ୍ୟ ହିତାଧିକାରୀ, ଅନ୍‌ଲାଇନ୍‌ରେ ଆବେଦନ ପାଇଁ ନିୟୋଜିତ ମୋ ସେବା କେନ୍ଦ୍ର, ଜନସେବାକେନ୍ଦ୍ର, ଆଧାର ସଂଯୋଗ ପାଇଁ ଚିହ୍ନଟ ଆଧାର କେନ୍ଦ୍ର ସମ୍ବନ୍ଧରେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ତଥ୍ୟ ସମନ୍ଧରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟକି ଏହି କାର୍ଯ୍ୟପାଇଁ ଭଦ୍ରକ ଜିଲ୍ଲାରେ ୧୦୮୬ଟି ଜନସେବା କେନ୍ଦ୍ର ୨୯୧ ଟି ମୋସେବା କେନ୍ଦ୍ର ୪୦ଟି ଆଧାର କେନ୍ଦ୍ର ଚିହ୍ନଟ କରାଯାଇଥିବା ସମ୍ବନ୍ଧରେ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାପାଇଁ ମୁଦ୍ରିତ ୬ ଲକ୍ଷ ଆବେଦନ ଫର୍ମରୁ ୪ ଲକ୍ଷ ବିତରଣ ସରିଥିବା ଏବଂ କୌଣସି ଜାଗାରେ ଫର୍ମର ଅଭାବ ନଥିବା କହିଥିଲେ। ଆବେଦନର କୌଣସି ନିର୍ଦ୍ଧାରିତ ଶେଷ ତାରିଖ ନାହିଁ। ଏଥିପାଇଁ ଆବେଦନ ପ୍ରକ୍ରିୟା ନିରନ୍ତର ଭାବେ ଚାଲୁ ରହିବ। ଆବେଦନକାରୀମାନେ ବ୍ୟତିବ୍ୟସ୍ତ ନ ହେବାକୁ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳ ଜଣାଇଛନ୍ତି। ଆଧାର-ମୋବାଇଲ ଲିଙ୍କ ହୋଇନଥିଲେ ମଧ୍ୟ ପଞ୍ଜିକରଣ କରିହେବ ବୋଲି ଜିଲ୍ଲାପାଳ ଜଣାଇଥିଲେ। ବାୟୋମେଟ୍ରିକ୍ ପଦ୍ଧତିରେ ଆଧାର ପ୍ରାମାଣିକରଣ କରାଯାଇପାରିବ। ଚଳିତମାସ ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆଗମନ ଅବସରରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନର ଶୁଭାରମ୍ଭ କରାଯିବ। ମାର୍ଚ୍ଚ ୨୦୨୫ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଜିଲ୍ଲାର ୨୪୩୫ ଅଙ୍ଗନୱାଡ଼ି ଜରିଆରେ ଫର୍ମ ବିତରଣ କାର୍ଯ୍ୟ ଚାଲୁ ରହିଛି। କୌଣସି ଅସୁବିଧାର ସମୁଖୀନ ହେଲେ ନିଶୁକ୍ଳ ହେଲ୍ପଲାଇନ୍ ୧୪୬୭୮ରେ ହିତାଧିକାରୀମାନେ ଯୋଗାଯୋଗ କରିପାରିବେ। ସେପ୍ଟେମ୍ବର ୭ରୁ ୧୬ ମଧ୍ୟରେ ଜିଲ୍ଲାରେ ବୁଲିବ ସୁଭଦ୍ରା ସଚେତନତା ରଥ। ହୋଡ଼ିଂ, ବ୍ୟାନର, ପୋଷ୍ଟର ଓ ୱାଲ ପେଂଟି ଜରିଆରେ ପଂଚାୟତ, ବ୍ଲକ, ଜିଲ୍ଲା ସ୍ତରରେ ପ୍ରଚାର ପ୍ରସାର କରାଯିବା ନେଇ ମଧ୍ୟ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ।