Odiapua.com

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି କୃଷକ ଏବଂ ସରକାରଙ୍କ ପ୍ରଥମ ବୈଠକ ନବମ ରାଉଣ୍ଡ

ନୂଆ ଦିଲ୍ଲୀ ୧୫ ଜାନୁଆରୀ (ଓଡ଼ିଆ ପୁଅ) କୃଷକଙ୍କ ଆନ୍ଦୋଳନରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗତ ୫୧ ଦିନ ଧରି କେନ୍ଦ୍ରର କୃଷି ନିୟମକୁ ନେଇ ଚାଲିଆସୁଛି କୃଷକଙ୍କ ଆନ୍ଦୋଳନ। ଆଜି ମଧ୍ୟାହ୍ନ ୧୨ ଟାରେ କୃଷକ ଏବଂ ସରକାରଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହେବ। ବଡ କଥା ହେଉଛି ବର୍ତ୍ତମାନ କୃଷକ ଆଇନ ଲାଗୁ ନକରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ବାର୍ତ୍ତାଳାପ ପ୍ରଥମ ଥର ବସିବ।

ସୂଚନାଯୋଗ୍ୟଯେ, କୃଷି ନିୟମ ବିରୁଦ୍ଧରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ସେପଟେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଏହି ତିନିଟି ଆଇନ କାର୍ଯ୍ୟକାରୀ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥି ସହିତ ଏହି ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ କୋର୍ଟ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ହର୍ଷମ୍ରତ ମାନ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, ଡକ୍ଟର ପ୍ରମୋଦ କୁମାର ଯୋଶୀ (ପୂର୍ବତନ ନିର୍ଦ୍ଦେଶକ ଜାତୀୟ କୃଷି ଅନୁସନ୍ଧାନ ପରିଚାଳନା) ଅନିଲ ଧନୱାଟଙ୍କୁ ଏହି କମିଟିର ସଦସ୍ୟ ଭାବରେ ନାମ ସୁପାରିଶ୍ କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆମେ ଚାଷୀଙ୍କ ଜମିକୁ ସୁରକ୍ଷା ଦେବୁ। ଚୁକ୍ତିଭିତ୍ତିକ ଚାଷ ପାଇଁ କୌଣସି ଚାଷୀଙ୍କ ଜମି ବିକ୍ରି ହୋଇପାରିବ ନାହିଁ ବୋଲି ଆମେ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେବୁ। ଏହା ସହ ପ୍ରଧାନ ବିଚାରପତି ଅରବିନ୍ଦ ଶରଦ ବୋବଡେ କହିଛନ୍ତି ଯେ ଆମେ ଏକ କମିଟି ଗଠନ କରୁଛୁ ଯାହା ଦ୍ୱାରା ଆମର ସ୍ପଷ୍ଟ ଚିତ୍ର ରହିବ। କୃଷକମାନେ କମିଟିକୁ ଯିବେ ନାହିଁ ବୋଲି ଯୁକ୍ତି ଶୁଣିବାକୁ ଚାହୁଁନାହୁଁ। କିନ୍ତୁ ଅପର ପକ୍ଷରେ କମିଟିର ଚାରିଜଣ ସଦସ୍ୟ କୃଷି ଆଇନ୍ ର ସମର୍ଥକ ବୋଲି କହି ଆନ୍ଦୋଳନରତ କୃଷକମାନେ ଅଭିଯୋଗ କରିଛନ୍ତି ଏବଂ ଆନ୍ଦୋଳନକୁ ଚାଲୁ ରଖିଛନ୍ତି।