Odiapua.com

ସୁପ୍ରିମକୋର୍ଟଙ୍କୁ କହିଲେ ଦିଲ୍ଲୀ ସରକାର – ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆମେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ ପ୍ରସ୍ତୁତ

ନୂଆ ଦିଲ୍ଲୀ ୧୫ -୧୧ (ଓଡ଼ିଆ ପୁଅ) ଜାତୀୟ ରାଜଧାନୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେଜ୍ରିୱାଲ ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କ ସରକାର ସମ୍ପୂର୍ଣ୍ଣ ଭାବେ ଲକଡାଉନ୍‌ କରିବାକୁ ପ୍ରସ୍ତୁତ। ଏହା ସହିତ ଦିଲ୍ଲୀ ସରକାର କହିଛନ୍ତି ଯେ, ଯଦି ପଡୋଶୀ ରାଜ୍ୟ ଅଧୀନରେ ପଡ଼ୁଥିବା ଏନସିଆରରେ ମଧ୍ୟ ଲକ୍‌ଡାଉନ୍‌ କରାଯାଏ ତେବେ ଏହା ଅଧିକ ଫଳପ୍ରଦ ହେବ। ଉଲ୍ଲେଖନୀୟ ଯେ, ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡ଼ା ନିନ୍ଦା କରିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଯଦି ଆବଶ୍ୟକ ହୁଏ ତେବେ ଦୁଇ ଦିନିଆ ଲକଡାଉନ୍‌ କରାଯିବା ଉଚିତ ବୋଲି କହିଥିଲେ କୋର୍ଟ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାର ଶନିବାର ଏକ ଜରୁରୀ ବୈଠକ ଡାକିଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌କୁ ପରାମର୍ଶ ଦେଇଛନ୍ତି। ଆମେ କୋର୍ଟଙ୍କ ଆଦେଶ ସମ୍ପର୍କରେ ଏକ ପ୍ରସ୍ତାବ ପ୍ରସ୍ତୁତ କରୁଛୁ। ପ୍ରସ୍ତୁତ ପ୍ରସ୍ତାବକୁ ସୁପ୍ରିମକୋର୍ଟରେ ରଖାଯିବ।

କେଜ୍ରିୱାଲ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆଜିଠାରୁ ନଭେମ୍ବର ୧୭ ପର୍ଯ୍ୟନ୍ତ ବିଦ୍ୟାଳୟ ଏକ ସପ୍ତାହ ପାଇଁ ବନ୍ଦ ରହିଛି। ଏଥି ସହିତ ଦିଲ୍ଲୀ ପରେ ହରିୟାଣା ସରକାର ମଧ୍ୟ ଏକ ବଡ ପଦକ୍ଷେପ ନେଇଛନ୍ତି। ନଭେମ୍ବର ୧୭ ପର୍ଯ୍ୟନ୍ତ ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଏବଂ ଝଜରରେ ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ଖଟ୍ଟର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ରବିବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହା ତୁରନ୍ତ କାର୍ଯ୍ୟକାରୀ ହେବ।