Odiapua.com

ସୁନ୍ଦରଗଡ଼ ଜିଲ୍ଲା: ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଖୋଲିବ ୮୧ଟି ମିଲେଟ୍ ଶକ୍ତି କିଓସ୍କ

– ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେବେ ମିଶନ ଶକ୍ତିର ମା’

– ପୁଷ୍ଟିଶସ୍ୟରୁ ଖାଦ୍ୟ ପ୍ରସ୍ତୁତି, କିଓସ୍କ ପରିଚାଳନା ପାଇଁ ତାଲିମ

ସୁନ୍ଦରଗଡ଼, ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ) : ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ସହ ନାନାଦି ପୁଷ୍ଟିଶସ୍ୟ ଚାଷ ଓ ଏଥିରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହନ ଦିଆଯାଇ ଆସୁଛି। ଏହାକୁ ଏବେ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନ ଶକ୍ତି ବିଭାଗ ସହାୟତାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୧ଟି ମିଲେଟ୍ ଶକ୍ତି କିଓସ୍କ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ୬ଟି କିଓସ୍କ ଖୋଲିବ।

ଏହି କିଓସ୍କ ସ୍ଥାନୀୟ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ପରଶି ଦେବା ସହ ମିଶନ ଶକ୍ତିର ମା’ମାନଙ୍କୁ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମିଲେଟ୍ସରୁ ଖାଦ୍ୟ ପ୍ରସ୍ତୁତି ଓ ମିଲେଟ୍ ଶକ୍ତି କିଓସ୍କର ପରିଚାଳନାଗତ ତାଲିମ ଦିଆଯାଉଛି।

ଏଥିପାଇଁ ସେପ୍ଟେମ୍ବର ୮ ଓ ୯ ତାରିଖରେ ଜିଲ୍ଲାର ଟାଙ୍ଗରପାଲି ବ୍ଲକ ରଙ୍ଗିଆମୁଣ୍ଡା ସ୍ଥିତ ସେବକ କମ୍ପ୍ଲେକ୍ସଠାରେ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ୱାସନ ପକ୍ଷରୁ ଏକ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏଥିରେ ତାଲିମ ଦିଆଯାଇଛି।

“ମିଲେଟ୍ ଶକ୍ତି କିଓସ୍କ ଜରିଆରେ ସ୍ଥାନୀୟ ଲୋକଙ୍କୁ ଜଳଖିଆରେ ପୁଷ୍ଟିକର ଖାଦ୍ୟ ଖାଇବାର ସୁଯୋଗ ମିଳିବ। ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟରେ ଭରପୂର୍ ମାଇକ୍ରୋ ନ୍ୟୁଟ୍ରିଏଂଟ୍, ଭିଟାମିନ୍ ଓ ମିନେରାଲ୍ସ ରହିଛି। ତେଣୁ ଏଥିରୁ ପ୍ରସ୍ତୁତ ଖାଦ୍ୟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ। ଏହାସହ କିଓସ୍କ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରର ଆଉ ଏକ ମାଧ୍ୟମ ମଧ୍ୟ ମିଳିପାରିବ”, କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ।

ମାଣ୍ଡିଆରୁ ଏଣ୍ଡୁରି ପିଠା, କାଙ୍ଗୁ ତଥା ସୁଆଁରୁ ବରା, ମାଣ୍ଡିଆ ଚିକେନ ପକୋଡ଼ା, ମାଣ୍ଡିଆରୁ ଖିରି ଆଦି ସୁସ୍ୱାଦୁ ଖାଦ୍ୟ କିଭଳି ତିଆରି କରିହେବ, ଏସ୍ଏଚ୍ଜି ମହିଳାମାନେ ଏହି କର୍ମଶାଳାରୁ ଧାରଣା ପାଇଥିଲେ। ସେହିପରି ମିଲେଟ୍ ଶକ୍ତି କିଓସ୍କର ପରିଚାଳନା ସହ ଏହାର ପରିଷ୍କାର ପରିଚ୍ଛନ୍ନତା କିଭଳି ବଜାୟ ରଖାଯିବ, ସେନେଇ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା।

ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ବ୍ଲକରେ ବର୍ତ୍ତମାନ ମାଣ୍ଡିଆ, ବାଜରା, କୋଦ, ଜହ୍ନା, ଗଙ୍ଗେଇ, ସୁଆଁ ଆଦି ବିଭିନ୍ନ ପ୍ରକାର ପୁଷ୍ଟିଶସ୍ୟ ଚାଷ କରାଯାଉଛି। ମାଣ୍ଡିଆ ତଥା ଅନ୍ୟ ପୁଷ୍ଟିଶସ୍ୟରେ ରହିଛି ପ୍ରଚୁର ପୋଷଣ ଶକ୍ତି। ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ଆଗାମୀ ଅକ୍ଟୋବର ସୁଦ୍ଧା ୬ଟି ମିଲେଟ୍ ଶକ୍ତି କିଓସ୍କ ଖୋଲାଯିବ। ଜିଲ୍ଲାର ୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହାର ପରିଚାଳନା ଦାୟିତ୍ୱରେ ରହିବେ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ୭୫ଟି କିଓସ୍କ ପର୍ଯ୍ୟାୟକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲିବ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଇସିଡିଏସ୍ ପ୍ରୋଗ୍ରାମ ଅଫିସର ଚୁଲେଶ୍ୱରୀ ପଟେଲ, ଡିଏମ୍ଏଫର ପୋଷଣ ବିଶେଷଜ୍ଞ କୁସୁମ ସିଏସ୍, ଆଇସିଡିଏସ୍ ଜିଲ୍ଲା ସଂଯୋଜକ ଅରବିନ୍ଦ ମାଝୀ ତଥା ଓଡ଼ିଶା ମିଲେଟ୍ସ ମିଶନର ଅଧିକାରୀମାନେ ଉପସ୍ଥିତ ଥିଲେ।